September 12, 2026

ବୈଧ ଅନୁମତି ବିନା ଚାଲିଛି ବିପଜ୍ଜନକ ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ

1 min read

ସୁକିନ୍ଦା, ୧୨/୯‌ : ବୈଧ ପ୍ରାଧିକରଣ କିମ୍ବା ଆବଶ୍ୟକ ପ୍ରମାଣପତ୍ର ନଥିବା ସତ୍ତ୍ୱେ ସୁକିନ୍ଦା କଞ୍ଚିଚୁଆ ଅଞ୍ଚଳରେ ଥିବା ‘ରି-ସଷ୍ଟେନେବିଲିଟି ଲିମିଟେଡ୍‌’ ପକ୍ଷରୁ ବିପଜ୍ଜନକ ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ଜାରି ରହିଥିବା ଅଭିଯୋଗ ହୋଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କାର୍ଯ୍ୟରେ କଟକଣା ଲାଗିଥିବା ସତ୍ତ୍ୱେ ସଂସ୍ଥା କିପରି କାର୍ଯ୍ୟ ଜାରି ରଖିଛି, ତାହାକୁ ନେଇ ପ୍ରଶ୍ନ ଉଠିଛି।

ବୋର୍ଡ ସୂଚନା ଅନୁସାରେ, ସଂସ୍ଥା ପାଖରେ ‘କନସେଣ୍ଟ ଟୁ ଅପରେଟ୍‌’ (ସିଟିଓ) ଥିବାବେଳେ ‘କନସେଣ୍ଟ ଟୁ ଏଷ୍ଟାବ୍ଲିସ୍‌’ (ସିଟିଇ) ଅନୁମୋଦନ ହୋଇନଥିବା ଜଣାପଡ଼ିଛି। ଏପରି ସ୍ଥିତିରେ ଗତ ପ୍ରାୟ ୬ ମାସ ଧରି ସଂସ୍ଥାର କାର୍ଯ୍ୟକଳାପ ଜାରି ରହିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ପୂର୍ବରୁ ‘ରାମକୀ’ ନାମରେ ପରିଚିତ ଏହି ସଂସ୍ଥା ପ୍ରାୟ ୭୦ ଏକର ଜମିରେ ୨୦୧୦-୧୧ ଆର୍ଥିକ ବର୍ଷରୁ କାର୍ଯ୍ୟକ୍ଷମ ରହିଥିବା କୁହାଯାଉଛି। ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନ, ଡାକ୍ତରଖାନା ଓ ରାସାୟନିକ କାରଖାନାରୁ ବିପଜ୍ଜନକ ବର୍ଜ୍ୟ ସଂଗ୍ରହ, ସଂରକ୍ଷଣ ଓ ନିଷ୍କାସନ କରିବା ଏହାର ପ୍ରମୁଖ କାର୍ଯ୍ୟ ବୋଲି ଜଣାପଡ଼ିଛି।

ନିର୍ଦ୍ଧାରିତ କ୍ଷମତା ଅନୁସାରେ ପ୍ରକଳ୍ପଟି ବାର୍ଷିକ ୬୦ ହଜାର ଟନ୍‌ ଶିଳ୍ପ ବର୍ଜ୍ୟ, ୬୩,୩୦୦ ଟନ୍‌ ବିପଜ୍ଜନକ ବର୍ଜ୍ୟ, ୨୪,୬୦୦ ଟନ୍‌ ଲ୍ୟାଣ୍ଡଫିଲ୍‌ ବର୍ଜ୍ୟ ଏବଂ ୮,୧୦୦ ଟନ୍‌ ଦହନଯୋଗ୍ୟ ବର୍ଜ୍ୟ ପରିଚାଳନା କରିପାରିବାର କ୍ଷମତା ରଖୁଥିବା ତଥ୍ୟ ରହିଛି।

ତେବେ ବୈଧ ପ୍ରାଧିକରଣ ଓ ଆବଶ୍ୟକ ପରିବହନ ଅନୁମତି ନଥିବା ସମୟରେ ବିଭିନ୍ନ କାରଖାନାରୁ ବିପଜ୍ଜନକ ବର୍ଜ୍ୟ ଆଣି ସଂସ୍ଥା ପରିସରରେ ପରିଚାଳନା କରାଯାଉଥିବା ଅଭିଯୋଗ ଗମ୍ଭୀର ହୋଇଛି।

ସୂଚନା ଅନୁସାରେ, ପ୍ରାୟ ୬ ମାସ ପୂର୍ବରୁ ସଂସ୍ଥା ପକ୍ଷରୁ ଚାଲିଥିବା ବର୍ଜ୍ୟ ସଂରକ୍ଷଣ ଓ ନିଷ୍କାସନ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଥିବା ଅଭିଯୋଗ ହୋଇଥିଲା। ଏହାପରେ କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକାଧିକଥର ଯାଞ୍ଚ କରାଯାଇଥିଲା। ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଷୟିକ ଦଳ ମଧ୍ୟ ସଂସ୍ଥାର ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ଯାଞ୍ଚ କରିଥିବା ଜଣାପଡ଼ିଛି।

ଯାଞ୍ଚ ସମୟରେ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଚିହ୍ନଟ ହେବା ପରେ ସଂସ୍ଥାର ପ୍ରାଧିକରଣକୁ ବନ୍ଦ ରଖାଯାଇଥିବା କୁହାଯାଇଛି। ଏପରି ସ୍ଥିତିରେ ସଂସ୍ଥା ପକ୍ଷରୁ ବର୍ଜ୍ୟ ପରିଚାଳନା କରାଯିବା କଥା ନୁହେଁ। କିନ୍ତୁ ଏହା ସତ୍ତ୍ୱେ ବିଭିନ୍ନ ଶିଳ୍ପ ସଂସ୍ଥା, ମେଡିକାଲ୍‌ ଓ କେମିକାଲ୍‌ ପ୍ଲାଣ୍ଟରୁ ବିପଜ୍ଜନକ ବର୍ଜ୍ୟ ସଂଗ୍ରହ କରାଯାଉଥିବା ଅଭିଯୋଗ ହୋଇଛି।

ଗତ ଅଗଷ୍ଟ ୨୪ ତାରିଖରେ ସୁକିନ୍ଦା ପୁଲିସ ସଂସ୍ଥା ସହ ସମ୍ପର୍କିତ ଦୁଇଟି ବର୍ଜ୍ୟବୋଝେଇ ଟ୍ରକ୍‌ ଜବତ କରିଥିଲା। ତଥାପି ବର୍ଜ୍ୟ ପରିଚାଳନା କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇନଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ମଦନ ମୋହନ ସାହୁ କହିଛନ୍ତି, ସମ୍ପୃକ୍ତ ସଂସ୍ଥାର ବୈଧ ଅଥରାଇଜେସନ୍‌ ନାହିଁ। ନିୟମ ଉଲ୍ଲଂଘନ କରି ବର୍ଜ୍ୟ ପରିଚାଳନା କରାଯାଉଥିବାରୁ ଖୁବ୍‌ଶୀଘ୍ର ସଂସ୍ଥାର ବର୍ଜ୍ୟ ପରିଚାଳନା କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯିବ।

ବିପଜ୍ଜନକ ବର୍ଜ୍ୟ ସିଧାସଳଖ ପରିବେଶ ଓ ଜନସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରୁଥିବାରୁ ଏଭଳି ଅଭିଯୋଗ ଉପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ସମ୍ପୃକ୍ତ ପ୍ରଶାସନ ତୁରନ୍ତ କଠୋର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।