୨୦୦ ବର୍ଷ ପରେ ପରିବାରରେ ଜନ୍ମିଲା ଝିଅ
1 min read
ମହାରାଷ୍ଟ୍ର: ଭାରତ ପରି ପୁରୁଷ ପ୍ରଧାନ ଦେଶରେ ଆଜି ବି ଲିଙ୍ଗଗତ ପାର୍ଥକ୍ୟ ଦେଖିବାକୁ ମିଳୁଛି । ପରିବାରରେ ପୁଅ ଜନ୍ମ ହେଲେ ଲୋକେ ଖୁସି ମନାଉଥିବା ବେଳେ ଝିଅ ହେଲେ ଅନେକେ ଦୁଃଖ କରୁଛନ୍ତି । ଏଭଳିକି ଭ୍ରୂଣ ହତ୍ୟାର ମଧ୍ୟ ନଜିର ରହିଛି । ତେବେ ମହାରାଷ୍ଟ୍ରର ବିଦ୍ ଅଂଚଳର ଦହିଫାଲେ ପରିବାରରେ ଶିଶୁକନ୍ୟାଟିଏ ଜନ୍ମ ହେବା ପରେ ପରିବାର ଲୋକେ ଯେଉଁ ଢଙ୍ଗରେ ଖୁସି ମନାଇଛନ୍ତି, ତାହା ଚର୍ଚ୍ଚାର କାରଣ ପାଲଟିଛି । ନବଜାତ ଶିଶୁକନ୍ୟା ଓ ତା ମା’କୁ ପରିବାର ଲୋକେ ବ୍ୟାଣ୍ଡ ବାଜା ବଜାଇ, ରଥରେ ବସାଇ ଘରକୁ ଆଣିଛନ୍ତି । ଶିଶୁକନ୍ୟାର ପ୍ରବେଶ ପାଇଁ ଘରକୁ ମଧ୍ୟ ରଙ୍ଗୀନ ଆଲୋକମାଳାରେ ସଜାଇ ଦିଆଯାଇଥିଲା । ବନ୍ଧୁବାନ୍ଧବଙ୍କୁ ମଧ୍ୟ ଘରକୁ ନିମନ୍ତ୍ରଣ କରାଇ ପରିବେଶକୁ ଉତ୍ସବ ମୁଖର କରିଦିଆଯାଇଥିଲା । ନବଜାତ ଶିଶୁକନ୍ୟାର ନାଁ ରଖାଯାଇଛି ଗାର୍ଗୀ ।
ଅବଶ୍ୟ ଗାର୍ଗୀକୁ ଏଭଳି ଭବ୍ୟ ସ୍ୱାଗତ ପଛରେ ଏକ କାରଣ ବି ରହିଛି । ପ୍ରାୟ ୨୦୦ ବର୍ଷ ପରେ ପରିବାରରେ କୁଆଡେ ଝିଅଟିଏ ଜନ୍ମ ହୋଇଛି । ସେପାଇଁ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇପଡିଛନ୍ତି । ଶିଶୁକନ୍ୟାର ଜେଜେ ଲିମ୍ବାଜୀ ଦହିଫାଲେ ଭାବବିହ୍ୱଳ ହୋଇ କହିଛନ୍ତି, ‘୨୦୦ ବର୍ଷ ଧରି ଆମ ପରିବାରରେ ଝିଅଟେ ଜନ୍ମ ହେଉ ନ ଥିଲା । ଆଜି ଝିଅ ଆମ ପରିବାରକୁ ଆସିଛି । ଏହାର ଅର୍ଥ ଏତେଦିନ ପରେ ଆମ ଘରକୁ ସ୍ୱୟଂ ମା ଲକ୍ଷ୍ମୀ ଆସିଛନ୍ତି ।’ ଝିଅର ଜେଜେମା ସୁରେଖା କହନ୍ତି, ‘ଝିଅ ଜନ୍ମହେବା ଖବର ପାଇବା ମାତ୍ରକେ ଆମେ ତାକୁ ଭବ୍ୟ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇଗଲୁ । ଝିଅ ନୁହେଁ ତ, ଲକ୍ଷ୍ମୀ ଆମ ଘରକୁ ଆସୁଛନ୍ତି । ୨୦୦ ବର୍ଷ ପରେ ଆମ ଘରକୁ ଆସିଥିବା ଲକ୍ଷ୍ମୀକୁ ଆମେ ଫୁଲ ପରି ବଢାଇବୁ ।’


