ଡିଜିଟାଲ ଦୁନିଆରେ ଏକ ସେକେଣ୍ଡର ହଜାର ଭାଗରୁ ମଧ୍ୟ ଛୋଟ ସମୟର ପାର୍ଥକ୍ୟ ଅନେକ ସମୟରେ ବଡ଼ ପ୍ରଭାବ ପକାଇଥାଏ
1 min read
ନୂଆଦିଲ୍ଲୀ,୧।୯: ଡିଜିଟାଲ ଦୁନିଆରେ ଏକ ସେକେଣ୍ଡର ହଜାର ଭାଗରୁ ମଧ୍ୟ ଛୋଟ ସମୟର ପାର୍ଥକ୍ୟ ଅନେକ ସମୟରେ ବଡ଼ ପ୍ରଭାବ ପକାଇଥାଏ। କେତେବେଳେ UPI ପେମେଣ୍ଟ ଅଟକିଯାଏ, ତ ଆଉ କେତେବେଳେ ତତ୍କାଳ ଟିକେଟ ବୁକିଂ ସମୟରେ ସର୍ଭରର ସମୟ ଆପଣଙ୍କ ଫୋନ୍ରେ ଘଣ୍ଟା ସହ ମେଳ ଖାଏ ନାହିଁ। ଏହି ସମସ୍ୟାର ସମାଧାନ ଏବଂ ଦେଶର ଡିଜିଟାଲ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ କେନ୍ଦ୍ର ସରକାର ‘One Nation, One Time’ ନୀତି ଆଣିବାକୁ ଯାଉଛନ୍ତି।
ଏହା ଅଧୀନରେ Legal Metrology (Indian Standard Time) Rules, ୨୦୨୬ ଅଧିସୂଚିତ କରାଯାଇଛି। ଏହି ନୂଆ ବ୍ୟବସ୍ଥା ମାର୍ଚ୍ଚ ୨୦୨୭ରୁ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ। ଏହା ପରେ ଦେଶର ବିଭିନ୍ନ ଡିଜିଟାଲ, ବ୍ୟାଙ୍କିଂ ଓ ପ୍ରଶାସନିକ ସିଷ୍ଟମ୍ରେ ସମୟର ସମନୱୟ ଆହୁରି ସୁଦୃଢ଼ ହେବ ।
ନୂଆ ନିୟମ ଲାଗୁ ହେଲେ ସାଧାରଣ ଲୋକଙ୍କୁ ନିଜ ମୋବାଇଲ କିମ୍ବା ହାତଘଣ୍ଟାର ସମୟ ବଦଳାଇବାକୁ ପଡ଼ିବ ନାହିଁ। ପରିବର୍ତ୍ତନ ଆପଣଙ୍କ ଫୋନରେ ନୁହେଁ, ବରଂ ଦେଶର ବିଭିନ୍ନ ଡିଜିଟାଲ ସର୍ଭରରେ ହେବ। ବର୍ତ୍ତମାନ କିଛି ବ୍ୟାଙ୍କ, ଟେଲିକମ କମ୍ପାନୀ ଓ IT ସର୍ଭର ସମୟ ସମନୱୟ ପାଇଁ GPS ଭଳି ବାହ୍ୟ ସିଷ୍ଟମ ଉପରେ ନିର୍ଭର କରୁଛନ୍ତି। ମାର୍ଚ୍ଚ ୨୦୨୭ ପରେ ଦେଶର ଆଇନଗତ, ପ୍ରଶାସନିକ, ବ୍ୟାଙ୍କିଂ ଓ ଡିଜିଟାଲ କାର୍ଯ୍ୟରେ NPL (National Physical Laboratory), ନୂଆଦିଲ୍ଲୀର ପରମାଣୁ ଘଣ୍ଟା ସହ ସମୟ ସମନୱୟ କରାଯିବ।
ରାତି ୧୧ଟା ୫୯ ମିନିଟ୍ରେ ପେମେଣ୍ଟ କରିବା ସମୟରେ ଫୋନ ଓ ସର୍ଭର ମଧ୍ୟରେ ଅତି କ୍ଷୁଦ୍ର ସମୟର ପାର୍ଥକ୍ୟ ଯୋଗୁ କେତେକ କାରବାର ପେଣ୍ଡିଂ କିମ୍ବା ବିଫଳ ହୋଇପାରେ। ଦେଶର ବ୍ୟାଙ୍କିଂ ସର୍ଭରଗୁଡ଼ିକର ସମୟ ସମନୱିତ ହେଲେ ଏପରି ସମସ୍ୟା କମିବାର ଆଶା କରାଯାଉଛି। ଏହା ସହ ଡିଜିଟାଲ ଠକେଇର ତଦନ୍ତରେ ମଧ୍ୟ ସଠିକ ଟାଇମଷ୍ଟାମ୍ପ୍ ଗୁରୁତ୍ୱପୂର୍ଣ୍ଣ ହେବ।
ତତ୍କାଳ ଟିକେଟ ବୁକିଂ ସମୟରେ ସର୍ଭର ଓ ବ୍ୟବହାରକାରୀଙ୍କ ଡିଭାଇସ ମଧ୍ୟରେ ସମୟର ପାର୍ଥକ୍ୟ ନେଇ ସମସ୍ୟା ଦେଖାଦେଇପାରେ। ନୂଆ ବ୍ୟବସ୍ଥାରେ ସମୟର ସମନୱୟ ଅଧିକ ସଠିକ ହେଲେ ତତ୍କାଳ ଟିକେଟ ବୁକିଂରେ ମଧ୍ୟ ସ୍ବଚ୍ଛତା ଓ ସମାନ ସୁଯୋଗ ମିଳିବାର ଆଶା ରହିଛି।


