September 2, 2026

ଦେଶର ବ୍ୟାଙ୍କଗୁଡ଼ିକରେ ବୈଦେଶିକ ମୁଦ୍ରା ଜମା କରିବାର ହାର ବ୍ୟାପକ ଭାବେ ବୃଦ୍ଧି ପାଇଛି

1 min read

ମୁମ୍ବାଇ: ଭାରତୀୟ ଅର୍ଥନୀତି ଓ ବ୍ୟାଙ୍କିଂ କ୍ଷେତ୍ର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ବିଶ୍ୱସ୍ତରୀୟ ଆର୍ଥିକ ଅସ୍ଥିରତା ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ପ୍ରବାସୀ ଭାରତୀୟମାନଙ୍କ ଗଭୀର ବିଶ୍ୱାସ ପୁଣି ଥରେ ପ୍ରମାଣିତ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ୱତନ୍ତ୍ର ବିଦେଶୀ ଜମା ସ୍କିମ୍ ଅଧୀନରେ ପ୍ରବାସୀ ଭାରତୀୟମାନଙ୍କ ମୋଟ ଜମା ରାଶି ୧୦୦ ବିଲିଅନ୍ ଡଲାରର ମାଇଲଖୁଣ୍ଟ ଅତିକ୍ରମ କରିଛି।

ଭାରତୀୟମାନଙ୍କୁ ଆକୃଷ୍ଟ କରିବାରେ ମୁଖ୍ୟ ଭୂମିକା
ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ମାସ ହେବ ବିଦେଶରେ ରହୁଥିବା ଭାରତୀୟମାନଙ୍କ ଦ୍ୱାରା ଦେଶର ବ୍ୟାଙ୍କଗୁଡ଼ିକରେ ବୈଦେଶିକ ମୁଦ୍ରା ଜମା କରିବାର ହାର ବ୍ୟାପକ ଭାବେ ବୃଦ୍ଧି ପାଇଛି। ବିଶେଷ କରି ପ୍ରବାସୀ ବାହ୍ୟ (ଏନ୍‌ଆର୍‌ଇ) ଓ ବୈଦେଶିକ ମୁଦ୍ରା ପ୍ରବାସୀ (ଏଫସିଏନଆର-ବି) ଆକାଉଣ୍ଟଗୁଡ଼ିକରେ ଏହି ଜମା ପରିମାଣ ସବୁଠାରୁ ଅଧିକ ରହିଛି। ବିଶ୍ୱର ବିଭିନ୍ନ ବିକଶିତ ଦେଶଗୁଡ଼ିକରେ ମୁଦ୍ରାସ୍ଫୀତି ଓ ସୁଧ ହାରର ଅସ୍ଥିରତା ଲାଗିରହିଥିବା ବେଳେ ଭାରତୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆଯାଉଥିବା ଆକର୍ଷଣୀୟ ସୁଧ ହାର ଓ ସୁରକ୍ଷିତ ନିବେଶ ପରିବେଶ ପ୍ରବାସୀ ଭାରତୀୟମାନଙ୍କୁ ଆକୃଷ୍ଟ କରିବାରେ ମୁଖ୍ୟ ଭୂମିକା ତୁଲାଇଛି।

ଏହି ବୃହତ୍ ଜମା ରାଶି ଭାରତର ଆର୍ଥିକ ସ୍ଥିରତାକୁ ଆହୁରି ସୁଦୃଢ଼ କରିବାରେ ଏକ ପ୍ରମୁଖ କବଚ ଭାବେ କାର୍ଯ୍ୟ କରୁଛି। ବର୍ତ୍ତମାନର ବୈଶ୍ୱିକ ପରିସ୍ଥିତିରେ ଯେତେବେଳେ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ସେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ସେହି ସମୟରେ ପ୍ରବାସୀ ଭାରତୀୟମାନଙ୍କ ଏହି ନିର୍ଭରଯୋଗ୍ୟ ଓ ଦୀର୍ଘମିଆଦୀ ଜମା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ଶକ୍ତିଶାଳୀ କରିବା ସହ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟକୁ ସ୍ଥିର ରଖିବାରେ ସାହାଯ୍ୟ କରୁଛି। ଅର୍ଥନୀତିଜ୍ଞମାନଙ୍କ ମତରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିଆଯାଇଥିବା ସମୟୋପଯୋଗୀ ନୀତିଗତ ନିଷ୍ପତ୍ତି ଓବ୍ୟାଙ୍କଗୁଡ଼ିକର ବିଦେଶୀ ଶାଖା ସହିତ ଡିଜିଟାଲ ବ୍ୟାଙ୍କିଂର ସହଜ ଉପଲବ୍ଧତା ଯୋଗୁଁ ଏହି ଜମା ପ୍ରବାହ ସମ୍ଭବ ହୋଇପାରିଛି। ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ସହିତ ଆମେରିକା, ବ୍ରିଟେନ୍ ଓ ସିଙ୍ଗାପୁରରେ ରହୁଥିବା ଭାରତୀୟମାନେ ଏହି ଜମା ପ୍ରତି ବଡ଼ ଅବଦାନ ପ୍ରଦାନ କରିଛନ୍ତି।