October 18, 2026

ଶ୍ରୀଲଙ୍କାର କିମ୍ବଦନ୍ତୀ ଦ୍ରୁତ ବୋଲର ଚାମିଣ୍ଡା ଭାସ୍‌ଙ୍କୁ ଆଇପିଏଲ-୨୦୨୭ ଲାଗି ଦିଲ୍ଲୀ କ୍ୟାପିଟାଲ୍‌ସ ବୋଲିଂ ପ୍ରଶିକ୍ଷକ ନିଯୁକ୍ତ କରିଛି

1 min read

ନୂଆଦିଲ୍ଲୀ: ଶ୍ରୀଲଙ୍କାର କିମ୍ବଦନ୍ତୀ ଦ୍ରୁତ ବୋଲର ଚାମିଣ୍ଡା ଭାସ୍‌ଙ୍କୁ ଆଇପିଏଲ-୨୦୨୭ ଲାଗି ଦିଲ୍ଲୀ କ୍ୟାପିଟାଲ୍‌ସ ବୋଲିଂ ପ୍ରଶିକ୍ଷକ ନିଯୁକ୍ତ କରିଛି। ପୂର୍ବରୁ ଉକ୍ତ ଫ୍ରାଞ୍ଚାଇଜ୍‌ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ମୁଖ୍ୟ ପ୍ରଶିକ୍ଷକ ଓ ଅଲରାଉଣ୍ଡର ଯୁବରାଜ ସିଂହଙ୍କୁ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଥିଲା। ଆଇପିଏଲ-୨୦୨୭ ଋତୁ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍‌ସ ନିଜର ପୂର୍ବତନ ପ୍ରଶିକ୍ଷକ ଦଳକୁ ବିଦାୟ ଦେଇଥିଲା। ଏବେ ୩ଜଣ ପୂର୍ବତନ ତାରକା ଖେଳାଳିଙ୍କୁ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଭାସ୍‌ ଆଇପିଏଲରେ ୩ଟି ଋତୁ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଡେକାନ ଚାଜର୍ସ ପାଇଁ ଖେଳିଥିଲେ। ଏଥିରେ ସେ ୧୩ଟି ମ୍ୟାଚ ଖେଳି ୧୮ଟି ୱିକେଟ ନେଇଥିଲେ। ଦୀର୍ଘ ୧୬ ବର୍ଷ ପରେ ଭାସ ଆଇପିଏଲକୁ ଫେରୁଛନ୍ତି।

ପ୍ରଶିକ୍ଷକ ଅଭିଜ୍ଞତା ବିଷୟରେ କହିଲେ , ଭାସ୍‌ ପୂର୍ବରୁ ଅନେକ ଥର ଶ୍ରୀଲଙ୍କା ପୁରୁଷ ଜାତୀୟ କ୍ରିକେଟ ଦଳ ପାଇଁ କାମ କରିଛନ୍ତି। ଏହା ବ୍ୟତୀତ ସେ ନ୍ୟୁଜିଲାଣ୍ଡ ଓ ଆୟରଲାଣ୍ଡ ଜାତୀୟ ଦଳ ପାଇଁ ପରାମର୍ଶଦାତା ଭାବରେ ମଧ୍ୟ କାମ କରିଛନ୍ତି। ଭାସ୍‌ ଶ୍ରୀଲଙ୍କା ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ୭୬୧ଟି ୱିକେଟ ନେଇଛନ୍ତି। ଯାହା ଶ୍ରୀଲଙ୍କା ପାଇଁ ଦ୍ବିତୀୟ ସର୍ବାଧିକ ୱିକେଟ ହାସଲକାରୀ ରହିଛନ୍ତି। ଏହି କିମ୍ବଦନ୍ତୀ ବୋଲରଙ୍କ ନିକଟରେ ରହିଥିବା ଅଭିଜ୍ଞତା ଦିଲ୍ଲୀ କ୍ୟାପିଟାଲ୍‌ସ ପାଇଁ ସହାୟକ ହେବାର ଆଶା କରାଯାଉଛି। ଏହାଛଡ଼ା ଅଭିଜ୍ଞ ସ୍ପିନର ଅମିତ ମିଶ୍ରା ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରଶିକ୍ଷକ ଦଳରେ ଯୋଗ ଦେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ, ସେ ଦିଲ୍ଲୀ କ୍ୟାପିଟାଲ୍‌ସର ବୋଲିଂ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବାକୁ ଯାଉଛନ୍ତି। ଗତ ଅଗଷ୍ଟରେ ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ବେଙ୍ଗାଲୁରୁରେ ଖେଳାଳି ମନୋନୟନ ପ୍ରକ୍ରିୟା ଆୟୋଜନ କରିଥିଲା । ଯେଉଁଥିରେ ସୌରଭ ଗାଙ୍ଗୁଲି, ଯୁବରାଜ ସିଂହ ଏବଂ ଅମିତ ମିଶ୍ରା ଉପସ୍ଥିତ ଥିଲେ। ଗତ ସେପ୍ଟେମ୍ବରରେ ଆଉ ଏକ ଖେଳାଳି ମନୋନୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅମିତ ମିଶ୍ରା, ଚାମିଣ୍ଡା ଭାସ ଓ ଯୁବରାଜ ସିଂହ ଅଂଶଗ୍ରହଣ କରିଥିଲେ।