ଆଇନଶୃଙ୍ଖଳା ବଜାୟ ରଖିବାକୁ କଡ଼ା ପଦକ୍ଷେପ ନେଇଛି କଲକତା ପୁଲିସ
1 min read
କଲକତା:ଉତ୍ତର କଲକତାର ଚୋରବାଗାନ ସର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା ଘଟଣା ପରେ ସହରରେ ଆଇନଶୃଙ୍ଖଳା ବଜାୟ ରଖିବାକୁ କଡ଼ା ପଦକ୍ଷେପ ନେଇଛି କଲକତା ପୁଲିସ। ପୁଲିସ କମିଶନର ଅଜୟ ନନ୍ଦ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ର ଧାରା ୧୬୩ ଅନୁଯାୟୀ ସହରର କେତେକ ସମ୍ବେଦନଶୀଳ ଅଞ୍ଚଳରେ ନିଷେଧାଦେଶ ଜାରି କରିଛନ୍ତି।
ସୂଚନା ଅନୁଯାୟୀ,ଏହି ଆଦେଶ ଅକ୍ଟୋବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ବଳବତ୍ତର ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେଲେ ଏହାର ଅବଧି ବୃଦ୍ଧି ହୋଇପାରେ।ପୁଲିସ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, ନିର୍ଦ୍ଦିଷ୍ଟ ଅଞ୍ଚଳରେ ପାଞ୍ଚ କିମ୍ବା ତା’ଠାରୁ ଅଧିକ ବ୍ୟକ୍ତିଙ୍କ ବେଆଇନ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିସହ ଲାଠି, ଘାତକ ଅସ୍ତ୍ରଶସ୍ତ୍ର କିମ୍ବା ଅନ୍ୟ ବିପଜ୍ଜନକ ସାମଗ୍ରୀ ବହନ କରିବା ଏବଂ ଶାନ୍ତିଭଙ୍ଗ କରିବା ଭଳି କାର୍ଯ୍ୟକଳାପକୁ ନିଷିଦ୍ଧ କରାଯାଇଛି।ସମ୍ଭାବ୍ୟ ହିଂସାତ୍ମକ ପ୍ରଦର୍ଶନ, ରାଲି ଓ ସଭା ଯୋଗୁଁ ସାଧାରଣ ଶାନ୍ତି ଏବଂ ସୁରକ୍ଷା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ପ୍ରଶାସନ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି।


