ପିଆଜ ଖାଉଟି ଦର ବଢ଼ିଯାଉଛି
1 min read
କଟକ : ପିଆଜ ଖାଉଟିଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କୁ କନ୍ଦାଇଲାଣି। ସକାଳୁ ଗୋଟିଏ ଦର ଥିବାବେଳେ ସନ୍ଧ୍ୟାରେ ଦର ବଢ଼ିଯାଉଛି। ପୂର୍ବରୁ ପିଆଜ କିଲୋ ପ୍ରତି ୩୦ ରୁ ୩୫ ଟଙ୍କା ବିକ୍ରି ହେଉଥିବାବେଳେ ଏବେ ଏହା ଅର୍ଦ୍ଧଶତକ ଛୁଇଁଛି। ଖୁଚୁରା ଦୋକାନରେ ଦାମ୍ ଆହୁରି ଉଚ୍ଚା। ଯାହାକୁ ନେଇ ଚିନ୍ତା ବଢ଼ିଥିବାବେଳେ ମହାରାଷ୍ଟ୍ରର ନାସିକରେ ଉତ୍ପାଦନ କମ୍ ଯୋଗୁଁ ଓଡ଼ିଶାର ବଜାରରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଥିବା ଜଣାପଡ଼ିଛି। ନାସିକରେ ମାସକ ପୂର୍ବରୁ ପିଆଜ କ୍ବିଣ୍ଟାଲ ପିଛା ୨୦୫୦ ଟଙ୍କା ଥିଲା: ହେଲେ ଏବେ ଏହାର ପାଖାପାଖି ୩୬୦୦ ରୁ ୩୮୦୦ ଟଙ୍କା ରହିଛି। ଓଡ଼ିଶା ଆସିବା ପରେ ଦର ସେହି ଅନୁଯାୟୀ ବଢ଼ିଛି।
ଓଡ଼ିଶା ପିଆଜ ପାଇଁ ସବୁବେଳେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଉପରେ ନିର୍ଭର କରି ଆସୁଛି। ରାଜ୍ୟରେ ସାଧାରଣ ପିଆଜ ଉତ୍ପାଦନ ହେଉନାହିଁ। ସିଂହଭାଗ ମହାରାଷ୍ଟ୍ରର ନାସିକରୁ ଆମଦାନୀ କରିବାକୁ ପଡ଼଼ୁଛି। ଚଳିତବର୍ଷ ନାସିକରେ ମୌସୁମି ବିଳମ୍ବ ସହ ବନ୍ୟା ଯୋଗୁଁ ପିଆଜ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଯାହା ପ୍ରଭାବରେ ଉତ୍ପାଦନ କମ୍ ସହ ମଣ୍ଡିରେ ଦର ବୃଦ୍ଧି ହୋଇଛି। ନାସିକରେ ଜୁଲାଇ ମାସରେ କ୍ବିଣ୍ଟାଲ ପିଛା ୨୦୫୦ ଟଙ୍କା ପିଆଜ ଦର ରହିଥିଲା। ଅଗଷ୍ଟ ୧୯ରେ ଏହା ବୃଦ୍ଧି ପାଇ ୩୭୫୦ ଟଙ୍କା ହୋଇଥିଲା। ୨୧ ତାରିଖ ଏହା କମି ୩୬୦୦ ଟଙ୍କା ହୋଇଥିଲା; ମାତ୍ର ଏହି ୩ ଦିନ ମଧ୍ୟରେ ଦର କ୍ବିଣ୍ଟାଲ ପିଛା ୩୯୦୦ ଟଙ୍କା ରହିଛି। ନାସିକ ଯୋଗୁଁ ସର୍ବଭାରତୀୟସ୍ତରରେ ଦର ପରିବର୍ତ୍ତନ ହୋଇଛି। ଆଜି ଦେଶରେ ପିଆଜ ହାରାହାରି କ୍ବିଣ୍ଟାଲ ପିଛା ୪ ହଜାରରୁ ୪୫୦୦ ମଧ୍ୟରେ ରହିଛି। ତେଣୁ ଉତ୍ପାଦନ କମ୍ ଏବଂ ଦର ଅଧିକ ଯୋଗୁଁ ଓଡ଼ିଶାକୁ ପିଆଜ କମ୍ ଆସୁଛି। ଯାହାଦ୍ବାରା ହୋଲସେଲ ବଜାର ଏବଂ ଖୁଚୁରା ବଜାରରେ ଏହାର ମୂଲ୍ୟ ଅଧିକ ହୋଇଛି। କଟକରେ ଆଜି ପିଆଜ କ୍ବିଣ୍ଟାଲ ପିଛା ୪ ହଜାରରୁ ୪୩୦୦ ଟଙ୍କା ରହିଛି: କିନ୍ତୁ ବଜାରରେ କେଜି ପ୍ରତି ଏହାର ୫୦ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ବିଭିନ୍ନ ଖୁଚୁରା ଦୋକାନରେ ୬୦ ଟଙ୍କା ରହିଛି। ତେଣୁ ଏହି ସ୍ଥିତି ଆହୁରି ଏକ ମାସରୁ ଅଧିକ ସମୟ ଧରି ଲାଗି ରହିବ ବୋଲି ଜଣାପଡ଼ିଛି।
ଦୁଇ ମାସ ତିରୋଟ
ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ପିଆଜର ଅଭାବ ସାଧାରଣ ପ୍ରକ୍ରିୟା। କାରଣ ରବି ଋତୁରେ ଉତ୍ପାଦିତ ପିଆଜର ପରିମାଣ ବିଭିନ୍ନ ମଣ୍ଡିରେ ହ୍ରାସ ପାଇଥାଏ। ଏହା ସହ ଖରିଫ ଋତୁରେ ଚାଷ ହୋଇଥିବା ପିଆଜ ବଜାରକୁ ସେଭଳି ଆସିନଥାଏ। ତେଣୁ ସେହି ଦୃଷ୍ଟିରୁ ଦର ବୃଦ୍ଧି ଘଟିଥାଏ ବୋଲି ଜଣାପଡ଼ିଛି।


