August 25, 2026

ପୁଣିଥରେ ଲଗାଣ ବର୍ଷା ଲୋକଙ୍କ ଭୟ ବଢ଼ାଇଛି

1 min read

ସମ୍ବଲପୁର: ପୁଣିଥରେ ଲଗାଣ ବର୍ଷା ଲୋକଙ୍କ ଭୟ ବଢ଼ାଇଛି। ଘରେ ଘରେ ଥଣ୍ଡା, କାଶ ଓ ଜ୍ବର ବ୍ୟାପିବାରେ ଲାଗିଛି। ଏପରି ସ୍ଥିତିରେ କିଛି ଅସାଧୁ ପାଥୋଲାବ୍‌ ଲୋକଙ୍କ ଭୟର ଭରପୂର ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି। ରକ୍ତ ନମୁନା ପରୀକ୍ଷା ଆଳରେ ସେମାନେ ରୋଗୀ ଶୋଷଣ କରୁଛନ୍ତି। ସ୍ବାଭାବିକ ଦରଠାରୁ ଯଥେଷ୍ଟ ଅଧିକ ଟଙ୍କା ହାଙ୍କୁଛନ୍ତି। ଏପରିକି, ଜଣେଜଣେ ରୋଗୀଙ୍କୁ ପାଖାପାଖି ହଜାରେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ବୁର୍ଲା ଓ ସମ୍ବଲପୁରରେ ସରକାରୀ ହସ୍ପିଟାଲରେ ମାଗଣାରେ ରକ୍ତପରୀକ୍ଷା ବ୍ୟବସ୍ଥା ରହିଛି। କିନ୍ତୁ ସହରରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଭୟଭୀତ ଲୋକେ ଘରୋଇ ପାଥୋଲ୍ୟାବ୍‌ ଉପରେ ଅଧିକ ଭରସା କରୁଛନ୍ତି। ଏହାର ସୁଯୋଗ ନେଇ କିଛି ପାଥୋଲାବ୍‌ ରୋଗୀ ଶୋଷଣ କରୁଥିବା ଅଭିଯୋଗ ହେଉଛି।
ଡେଙ୍ଗୁ ନମୁନା ପରୀକ୍ଷା ନଁାରେ ୭୦୦ରୁ ୯୦୦ ଟଙ୍କା ଏବଂ ମେଲେରିଆ ପରୀକ୍ଷା ପାଇଁ ୨୫୦ରୁ ୩୦୦ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଥିବା ଅଭିଯୋଗ ହୋଇଛି। ସନ୍ଦିଗ୍ଧ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ରକ୍ତ ନମୁନାରେ ନେଗେଟିଭ୍‌ ବାହାରୁଥିବା ଯୋଗୁଁ ସେମାନଙ୍କୁ ପରୀକ୍ଷଣରେ ରଖୁଛି ସ୍ବାସ୍ଥ୍ୟ ବିଭାଗ। ଏପଟେ ଡେଙ୍ଗୁ ଓ ମେଲେରିଆ ସାଙ୍ଗକୁ କାମଳ (ଜଣ୍ଡିସ) ମଧ୍ୟ ମୁଣ୍ଡ ଟେକିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ସରକାରୀ ଡାକ୍ତରଖାନାରେ ଏସବୁ ରକ୍ତ ପରୀକ୍ଷା ସମ୍ପୂର୍ଣ୍ଣ ମାଗଣା ଥିଲେ ହେଁ ଭୟଭୀତ ଲୋକେ ଅଧିକ ଖର୍ଚ୍ଚ କରି ଘରୋଇ ପାଥୋଲ୍ୟାବ୍‌ରେ ପରୀକ୍ଷା କରାଉଛନ୍ତି।
ସମ୍ବଲପୁର ଜିଲା ଚିକିତ୍ସାଳୟ ସହ ବୁର୍ଲା ଭୀମସାର ମେଡିସିନ ଓ ଶିଶୁ ରୋଗ ବିଭାଗରେ ଦୈନିକ ଶହଶହ ଜ୍ବର ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଭାଇରାଲ ଜ୍ବର ସାଙ୍ଗକୁ ଡେଙ୍ଗୁ, ମେଲେରିଆ, ଟାଇଫଏଡ ସନ୍ଦେହରେ ଡାକ୍ତର ରକ୍ତ ପରୀକ୍ଷା ପାଇଁ ପରାମର୍ଶ ଦେଉଥିବା ବେଳେ ଏହାକୁ ଟଙ୍କା ରୋଜଗାରର ସୁଯେ​ାଗ ଭାବେ ଧରି ନେଇଛନ୍ତି କିଛି କ୍ଲିନିକ୍‌। ସରକାରୀ ଡାକ୍ତରଖାନାରେ ମାଗଣାରେ ଔଷଧ ମିଳୁଥିଲେ ମଧ୍ୟ ଲୋକେ ବାହାରୁ କିଣିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଏହା ଯେମିତି ଔଷଧ ଦୋକାନୀ ଓ କ୍ଲିନିକ ମାଲିକଙ୍କୁ ବେଶ ସୁହାଇଛି ା ଜ୍ବର ପାଇଁ ଯେଉଁଠି ୫୦ରୁ ୧୦୦ଟଙ୍କା ମଧ୍ୟରେ ଔଷଧ ଖର୍ଚ୍ଚ ରହୁଛି, ସେଠାରେ ରକ୍ତ ପରୀକ୍ଷା ପାଇଁ ହଜାରେରୁ ତଳକୁ କମୁନି ଖର୍ଚ୍ଚ। ସରକାରୀ ଭାବେ ରକ୍ତପରୀକ୍ଷା ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ସମୟସାପେକ୍ଷ ଆଶଙ୍କା କରି ଲୋକେ ବ୍ୟୟବହୁଳ ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ରକ୍ତ ପରୀକ୍ଷା ନଁାରେ ରୋଗୀ ଶୋଷଣ ବଢ଼ି ଚାଲିଥିବା ବେଳେ ଏଭଳି ବେଆଇନ କାରବାର ରୋକିବାକୁ ଦୃଢ଼ ଦାବି ହେଉଛି।
ଅନ୍ୟପକ୍ଷରେ, ବ୍ୟାପୁଥିବା ଭୂତାଣୁ କୋପ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ତିନି ‘ଟି’( ଟେଷ୍ଟ, ଟ୍ରିଟମେଣ୍ଟ, ଟ୍ରାକ୍‌)ରଣନୀତିକୁ ଗୁରୁତ୍ବ ଦେଉଛି ା ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା, ଚିକିତ୍ସା ଓ କଥା ମାଧ୍ୟମରେ ସଚେତନା ସୃଷ୍ଟିକୁ ସର୍ବାଧିକ ଗୁରୁତ୍ବ ଦେଉଛି ବିଭାଗ। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଜାନୁଆରୀରେ ପ୍ରଥମ, ଏପ୍ରିଲ ମାସରେ ଦ୍ବିତୀୟ ଓ ଜୁଲାଇ ମାସରେ ତୃତୀୟ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ହେଁ ଏବେ ଆଉ ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି। ଯେଉଁ ଅଞ୍ଚଳରୁ ମେଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି, ସେଠାରେ ଘରକୁ ଘର ବୁଲି ସର୍ଭେ କରାଯିବା ସହ ନମୁନା ସଂଗ୍ରହ କରାଯାଉଛି। ଏଡିସିଟି(ଆଣ୍ଟି ଡିଟେକ୍ସନ କମ୍ପ୍ଲିଟ ଟ୍ରିଟମେଣ୍ଟ) ଅର୍ଥାତ୍‌ ସମ୍ପୂର୍ଣ୍ଣ ଚିକିତ୍ସା ସହ ନିରାକରଣ କରାଯାଉଛି। ମହାନଗର ନିଗମ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ (ସିଡିଏମଓ) ଡାକ୍ତର ନୀଳମାଧବ ଶତପଥୀ ପରାମର୍ଶ ଦେଇଛନ୍ତି ଯେ ରୋଗକୁ ଡରନ୍ତୁ ନାହିଁ, ଚିହ୍ନନ୍ତୁ ଓ ଚିକିତ୍ସିତ ହୁଅନ୍ତୁ। ଗୋଟିଏ ସ୍ଥାନରେ ପାଣି ଜମା ନ ରଖିବା, ମଶାରୀ ଟାଣି ଶୋଇବାକୁ ପରାମର୍ଶ ଦେଇଛନ୍ତି। ଯେଉଁମାନେ ରୋଗୀଙ୍କୁ ଶୋଷଣ କରୁଛନ୍ତି, ସେମାନଙ୍କ ବିରୋଧରେ ସ୍ବାସ୍ଥ୍ୟ ବିଭାଗ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଡାକ୍ତର ଶତପଥୀ ପ୍ରକାଶ କରିଛନ୍ତି ା