October 11, 2026

ଡେରାବିଶ ପାଠାଗାରରେ ପ୍ରତିଯୋଗିତା

1 min read

ଡେରାବିଶ,୧୧/୧୦(ନି.ପ୍ର):-ଡେରାବିଶ ପାଠାଗାର କିରଣକୁଞ୍ଜ ପରିସରରେ ରବିବାର ପୂର୍ବାହ୍ନରେ ଛାତ୍ରଛାତ୍ରୀମାନଙ୍କୁ ନେଇ ତର୍କ ଓ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଡ଼ ଭକ୍ତକବି ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନ, ଯୁକ୍ତିତର୍କ କ୍ଷମତା ଓ ସୃଜନଶୀଳ ଚିନ୍ତାଧାରାର ବିକାଶ କରିବା ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ବୋଲି କହିଥିଲେ। ଏଥିରେ ବ୍ଲକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବେ ପ୍ରାଧ୍ୟାପକ ତାରାକାନ୍ତ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସୋମନାଥ ସାହୁ,ସୁତିସ୍ମିତା ପତି, ଅଧ୍ୟାପକ ଦୀପକ ଓଝା ଓ ଶିକ୍ଷାବିତ କମଳାକାନ୍ତ ସାହୁ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୧୫ ତାରିଖରେ ପାଠାଗାର ପରିସରରେ ପାଳିତ ହେବାକୁ ଥିବା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମଙ୍କ ଜନ୍ମ ଦିବସ ଉତ୍ସବରେ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମକୁ ପାଠାଗାରର ସମ୍ପାଦକ ଅଧ୍ୟାପକ ଗୁରୁଚରଣ ସେଠୀ ଓ ଯୁଗ୍ମ ସମ୍ପାଦକ ବିଶ୍ବଜିତ କୁମାର ସାହୁ ପରିଚାଳନା କରିଥିଲେ।