October 12, 2026

ଧ୍ରୁବ ରାଠୀଙ୍କୁ ଅପହରଣ କରିଥିଲେ ୫୦ଜଣ ସାଦା ପୋଷାକଧାରୀ

1 min read

ନୂଆଦିଲ୍ଲୀ: ଲୋକପ୍ରିୟ ୟୁଟ୍ୟୁବର୍‌ ଧ୍ରୁବ ରାଠୀଙ୍କୁ ହରିୟାଣାର ଗୁରୁଗ୍ରାମସ୍ଥିତ ବାସଭବନରୁ ଅଟକ ରଖିବା ପରେ ଶନିବାର ବିଳମ୍ବିତ ରାତିରେ ଛାଡ଼ି ଦିଆଯାଇଥିଲା। ଦିଲ୍ଲୀର ଯନ୍ତରମନ୍ତରଠାରେ କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ପ୍ରସ୍ତାବିତ ପ୍ରତିବାଦ ପୂର୍ବରୁ ପୁଲିସ ତାଙ୍କୁ ଅଟକ ରଖିଥିଲା। ମୁକ୍ତ ହେବା ପରେ ଧ୍ରୁବ ରାଠୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ବାର୍ତ୍ତା ଦେଇ ତାଙ୍କୁ ଅଟକ ନୁହେଁ, ବରଂ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି।

ସିଜେପି ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଛି ଯେ, ପ୍ରାୟ ୫୦ ଜଣ ସାଦା ପୋଷାକଧାରୀ ପୁଲିସ କର୍ମଚାରୀ ଶନିବାର ସକାଳ ୮ଟାରେ ଧ୍ରୁବ ରାଠୀଙ୍କ ଘରେ ପହଞ୍ଚି ତାଙ୍କୁ ନେଇଯାଇଥିଲେ। ଧ୍ରୁବ ରାଠୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମର୍ଥକ ଓ ଏନ୍‌ଡିଏ ସରକାରର ଦୃଢ଼ ସମାଲୋଚକ ଭାବେ ଜଣାଶୁଣା।

UN: ସିଜେପି ପ୍ରତିବାଦ ନେଇ ଜାତିସଂଘର ପ୍ରତିକ୍ରିୟା: କଡ଼ା ଜବାବ ଦେଲା ଭାରତ

ଧ୍ରୁବ ରାଠୀଙ୍କୁ ଗୁରୁଗ୍ରାମର ସେକ୍ଟର-୫୬ସ୍ଥିତ ଘରୁ ଅଟକ ରଖାଯାଇଥିଲା। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତରମନ୍ତରଠାରେ ଏହି ପ୍ରତିବାଦ ଆୟୋଜନ କରାଯାଇଥିଲା। ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ଥିବା ଅନିୟମିତତା ଅଭିଯୋଗ ଏହାର ମୁଖ୍ୟ କାରଣ ଥିଲା। ଶନିବାର ଦିଲ୍ଲୀରେ ରାଜନେତାଙ୍କ ସମେତ ୩ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇ ପରେ ଛାଡ଼ି ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି।