June 19, 2026

ରଥ ନିର୍ମାଣ କାର୍ଯ୍ୟ ୫୯ ଦିନରେ ପହଞ୍ଚିଛି

1 min read

ପୁରୀ: ଗତକାଲି ସକାଳ ବେଳା ହୋଇଥିବା ବିଶୃଙ୍ଖଳା ସମାଧାନ ହେବା ପରେ ଆଜି ସକାଳ ୮ଟାରୁ ଶୃଙ୍ଖଳିତ ଢଙ୍ଗରେ ରଥ ନିର୍ମାଣ ଆରମ୍ଭ ହୋଇଛି। ସେବକମାନେ ରଥଖଳାରେ ପହଞ୍ଚି ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଆଜି ଗୋଟିଏ ଦିନରେ ତିନି ରଥରେ ୧୨ଟି କଣି ଫାଉଡ଼ା ତିଆରି ହୋଇଛି। ଏହା ରଥର ଚାରି କୋଣରେ ଲାଗିବ। ଏହା ଲାଗିବା ପରେ ସାଇଜରେ ବାଉଁଶ ବାଡ଼ିଆ ହୋଇଥାଏ।

ଗତକାଲି ୨୦ ଫୁଟିଆ ଦୁଇଟି ଲେଖାଏଁ ଘୋଡ଼ା ଇଷର ଚଉପଟ କାର୍ଯ୍ୟ ଶେଷ ହୋଇଥିବା ବେଳେ ଇଷ ଜୁଆଳି କାମ ଆଜି ଶେଷ ହୋଇଛି। ସେହିଭଳି ଦ୍ୱିତୀୟ ଭୂଇଁ ବା ମଝି ଭୂଇଁ ଉଭୟ ପାର୍ଶ୍ୱରେ ଆଗ ଆଣି ପଛ ଆଣି ଅନ୍ଧାରୀ ତାଗ ବାଡ଼ିଆ ଶେଷ ହୋଇଥିବାବେଳେ ଉପରି ଅନ୍ଧାରି ତାଗ କାମ ସରିଛି। କନକ ମୁଣ୍ଡି, ଅଁଳା ପିଣ୍ଡି ଓ ଛୋଟ କଳସ ପିଣ୍ଡି ନିର୍ମାଣ ଶେଷ ହୋଇଛି। ୪ଟି ଲେଖାଏଁ ଧ୍ୱଜ ବତାରୁ ଦୁଇଟି ଲେଖାଏଁ ଧ୍ୱଜ ବତାର ଚଉପଟ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି। ରୂପକାର ସେବକମାନେ ୪ ଟି ଲେଖାଏଁ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ କାମ ଜାରି ରଖଛନ୍ତି।