September 22, 2026

କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି

1 min read

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପ୍ରାୟ ଦୁଇ ଦଶନ୍ଧି ଧରି ମଇଦାନରେ ସକ୍ରିୟ ରହିଥିବା ଇଙ୍ଗ୍ରାମ କେବଳ ଆନ୍ତର୍ଜାତୀୟ କ୍ରିକେଟ ନୁହେଁ, ବରଂ ବିଶ୍ୱର ବିଭିନ୍ନ ପ୍ରମୁଖ T20 ଲିଗ୍‌ରେ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଏହି ଖେଳରୁ ସମ୍ପୂର୍ଣ୍ଣ ଦୂରେଇ ଯିବେ ନାହିଁ; ବରଂ କୋଚିଂ ମାଧ୍ୟମରେ ଖେଳ ସହିତ ଜଡ଼ିତ ରହିବାକୁ ଯୋଜନା କରିଛନ୍ତି।

ଇଙ୍ଗ୍ରାମ ସୋସିଆଲ ମିଡିଆରେ ନିଜର ଅବସର ଘୋଷଣା କରିଥିଲେ। ୱାରଓ୍ବିଇକସାୟାର (Warwickshire) ବିପକ୍ଷରେ ଗ୍ଲାମୋର୍ଗାନ (Glamorgan) ପାଇଁ କାଉଣ୍ଟି ଚାମ୍ପିୟନସିପ ଡିଭିଜନ-୧ ମ୍ୟାଚ ଖେଳିବାର ପ୍ରାୟ ଦୁଇ ସପ୍ତାହ ପରେ ସେ ଏହି ନିଷ୍ପତ୍ତି ନେଇଥିଲେ। ସେହି ମ୍ୟାଚ୍‌ରେ ସେ ଯଥାକ୍ରମେ ୧୯ ଏବଂ ୫ ରନ ସଂଗ୍ରହ କରିଥିଲେ। ତଥାପି, ସମଗ୍ର ସିଜିନ୍ରେ ତାଙ୍କର ପ୍ରଦର୍ଶନ ଭଲ ରହିଥିଲା। ସେ ୧୨ଟି ମ୍ୟାଚ୍‌ରେ ୩୧.୪୦ ହାରାହାରି ସହ ୬୨୮ ରନ ସଂଗ୍ରହ କରିଥିଲେ।

ଇଙ୍ଗ୍ରାମ ଲେଖିଛନ୍ତି ଯେ, କିପରି ଏକ କୃଷକ ପରିବାରର ଲାଜକୁଳା ପିଲା ଭାବରେ ସେ ଦିନେ ନିଜର ପ୍ରିୟ ଖେଳ ଖେଳିବାର ସ୍ବପ୍ନ ଦେଖିଥିଲେ। ସେ ୨୦ ବର୍ଷରୁ ଅଧିକ ସମୟ ଧରି ସେହି ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ଏକ ସୌଭାଗ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ବ୍ୟାଟିଂ ପ୍ରତି ନିଜର ଆଗ୍ରହ ବିଷୟରେ କହିବାକୁ ଯାଇ ସେ ଏହାକୁ ଏକ କଳା ସହିତ ତୁଳନା କରିଛନ୍ତି, ଯେଉଁଥିରେ ବ୍ୟାଟ ତାଙ୍କ ପାଇଁ ଏକ ‘ପେଣ୍ଟବ୍ରଶ’ ଭଳି କାମ କରିଛି।

ଫ୍ରି ଷ୍ଟେଟ (Free State) ର ବାସିନ୍ଦା ଇଙ୍ଗ୍ରାମ ୨୦୦୪-୦୫ ସିଜିନ୍‌ରେ ଘରୋଇ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୦ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଆସିଥିବା ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ସେ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସ୍ଥାନ ପାଇଥିଲେ। ସେ ୨୦୧୩ ନଭେମ୍ବର ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ‘ହ୍ବାଇଟ-ବଲ’ (ସୀମିତ ଓଭର) ଦଳର ଅଂଶ ଥିଲେ। ଏହି ସମୟ ମଧ୍ୟରେ, ସେ ୩୧ଟି ଦିନିକିଆ ମ୍ୟାଚ୍‌ରେ ୩୨.୪୨ ହାରାହାରି ମୋଟ ଉପରେ, ଇଙ୍ଗ୍ରାମ ୩୭୮ଟି ଟି-୨୦ ମ୍ୟାଚ ଖେଳି ୧୩୮.୫୦ ଷ୍ଟ୍ରାଇକ ରେଟ ସହ ୯,୦୧୭ ରନ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ, ସେ ଜଣେ ସଫଳ ଟି-୨୦ ଫ୍ରିଲାନ୍ସର୍‌ ଭାବରେ ବିଭିନ୍ନ ଦେଶର ଲିଗ୍‌ ଗୁଡ଼ିକରେ ଖେଳିଥିଲେ। ଅବସର ଘୋଷଣା କରିବା ସମୟରେ ଇଙ୍ଗ୍ରାମ ତାଙ୍କ ପରିବାର, ବନ୍ଧୁବାନ୍ଧବ, ସହ-ଖେଳାଳି, କୋଚ, ସପୋର୍ଟ ଷ୍ଟାଫ, କ୍ଲବ, ଫ୍ରାଞ୍ଚାଇଜ ଏବଂ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ତଥାପି, ସେ କ୍ରିକେଟ୍‌କୁ ସମ୍ପୂର୍ଣ୍ଣ ବିଦାୟ ନେବାକୁ ନିଷ୍ପତ୍ତି ନେଇନାହାନ୍ତି। ସେ ଆଗକୁ କୋଚିଂ କ୍ଷେତ୍ରରେ ନିଜର କ୍ୟାରିଅର୍‌ ଆରମ୍ଭ କରିବେ ବୋଲି କହିଛନ୍ତି।