June 19, 2026

ସରକାରୀ କାର୍ଯ୍ୟକୁ ଅବହେଳା କରି ବେସରକାରୀ ସେବାରେ ବ୍ୟସ୍ତ ଡାକ୍ତର

1 min read

ଭୁବନେଶ୍ବର: ସରକାରୀ କାର୍ଯ୍ୟକୁ ଅବହେଳା କରି ବେସରକାରୀ ସେବାରେ ବ୍ୟସ୍ତ ଅଛନ୍ତି ଡାକ୍ତର, ଦୀର୍ଘଦିନ ଧରି ଡାକ୍ତରଖାନା ଆସୁ ନାହାନ୍ତି କି ରୋଗୀସେବା କରୁନାହାନ୍ତି। ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକୁ ବର୍ଷ ବର୍ଷ ଧରି ବେଖାତିର କରି ଚାଲିଛନ୍ତି। ଜଣେ କି ଦୁଇ ଜଣ ନୁହନ୍ତି, ଶତାଧିକ ଡାକ୍ତର ଏଭଳି ଭାବେ ସରକାରୀ କାର୍ଯ୍ୟକୁ ଅବହେଳା କରି ବେସରକାରୀ ସେବାରେ ବ୍ୟସ୍ତ ଅଛନ୍ତି। ଏଭଳି ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଛନ୍ତି। ସେହିପରି ୨୦୧୨ ମସିହାରୁ ରୋଗୀ ସେବାରୁ ଦୂରେଇ ରହିଥିବା ଜଣେ ଡାକ୍ତରଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି।

ସୂଚନା ଅନୁସାରେ ଓଡିଶାର ବିଭିନ୍ନ ଡାକ୍ତରଖାନାରେ ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି। ସେମାନଙ୍କ ସ୍ଥିତି ବିଷୟରେ ଜଣାଇବା ପାଇଁ ଖବରକାଗଜରେ ଇସ୍ତାହାର ମଧ୍ୟ ଦିଆଯାଇଥିଲା। କିନ୍ତୁ ସେମାନେ ନିଯୁକ୍ତି
ପାଇଥିବା ସ୍ଥାନରେ ଯୋଗ ଦେଲେ ନାହିଁ। ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ସେହିପରି କନ୍ଧମାଳ ପୁଲିସ ହସ୍ପିଟାଲର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ସରକାରୀ ସେବାରୁ ବହିଷ୍କୃତ କରିଛନ୍ତି। ଡାକ୍ତର ପାଣିଗ୍ରାହୀ ୨୦୧୨ ପରଠାରୁ ଅନଧିକୃତ ଭାବେ ଅନୁପସ୍ଥିତ ରହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଇ ନୂଆ ନୂଆ ଡାକ୍ତରଖାନା ଖୋଲୁଛନ୍ତି, ଡାକ୍ତରଖାନା ଗୁଡିକର ଆଧୁନିକୀକରଣ କରାଯାଉଛି ଏବଂ ସ୍ବାସ୍ଥ୍ୟ ଶିକ୍ଷା ପାଇଁ ନୂଆ ନୂଆ ମେଡିକାଲ କଲେଜ ମଧ୍ୟ ଖୋଲାଯାଉଛି। ତଥାପି ନିଯୁକ୍ତି ପାଇବା ପରେ ଅନେକ ଡାକ୍ତର କାର୍ଯ୍ୟରେ ଯୋଗ ନଦେଇ ଅନୁପସ୍ଥିତ ରହୁଛନ୍ତି। ଏହାକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।