June 19, 2026

ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଆଗତ ଲକ୍ଷ୍ୟରେ ବିଜେପି

1 min read

ନୂଆଦିଲ୍ଲୀ: ବିଗତ କିଛି ଦିନରେ ଭାରତୀୟ ରାଜନୀତିରେ ବଡ଼ ଧରଣର ହଲଚଲ୍‌ ଦେଖିବାକୁ ମିଳିଛି। ବିରୋଧୀ ‘ଇଣ୍ଡି’ ମେଣ୍ଟର ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ସୃଷ୍ଟି ହୋଇଥିବା ବିଦ୍ରୋହ ଓ ବିଭାଜନର ସୁଦୂରପ୍ରସାରୀ ଫାଇଦା ଉଠାଇବାକୁ ପ୍ରସ୍ତୁତ ହେଉଛି ବିଜେପି ନେତୃତ୍ୱାଧୀନ ଏନଡିଏ। ଆଗାମୀ ମୌସୁମୀ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ପୁନର୍ବାର ଆଗତ କରି ଏହାକୁ ପାରିତ କରାଇବା କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ୍ୟ ତଥା ଏନେଇ ସମଗ୍ର ରଣନୀତି ବୋଲି କୁହାଯାଉଛି।ଟିଏମସି ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ମଧ୍ୟରେ ବିଭାଜନ ପରେ, ଲୋକସଭାକୁ ନେଇ ବିଜେପିର ଆଶା ଯଥେଷ୍ଟ ବୃଦ୍ଧି ପାଇଛି। ସାମ୍ବିଧାନିକ ସଂଶୋଧନ ପାରିତ କରିବା ପାଇଁ ଆବଶ୍ୟକ ୩୬୨ର ‘ଯାଦୁକରୀ ସଂଖ୍ୟା’କୁ ଏନଡିଏ ଛୁଇଁ ପାରି ନଥିଲେ ସୁଦ୍ଧା ଏହାର ନିକଟତର ହୋଇଛି। ଅନ୍ୟ କେତେକ ଦଳର ସହଯୋଗରେ ଏନଡିଏ ପାଇଁ ଉଭୟ ସଭାରେ ୧୦ରୁ କମ୍‌ ଭୋଟର ଆବଶ୍ୟକତା ରହୁଥିବା ସାଂପ୍ରତିକ ରାଜନୈତିକ ଅଙ୍କରୁ ଜଣାପଡ଼ୁଛି। ସୂଚିତ ଯେ, ଗତ ଏପ୍ରିଲରେ ସରକାର ମହିଳା ସଂରକ୍ଷଣ ବିଲ୍‌ର ଏକ ଅଂଶ ଭାବେ ସୀମା ପୁନଃନିର୍ଦ୍ଧାରଣ ସହିତ ଜଡ଼ିତ ଏକ ସମ୍ବିଧାନ ସଂଶୋଧନ ବିଲ୍ ଆଣିଥିଲେ, କିନ୍ତୁ ଲୋକସଭାରେ ବିରୋଧୀ ଦଳର ମିଳିତ ପ୍ରୟାସ ଦ୍ବାରା ଏହି ବିଲ୍‌ ୫୪ଟି ଭୋଟରେ କାଟ୍‌ ଖାଇଥିଲା। ସମ୍ପ୍ରତି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଗଭୀର ସଙ୍କଟରେ ପଡ଼ିଛି। ଦଳର ୨୮ ଲୋକସଭା ସାଂସଦଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ବିଦ୍ରୋହୀ ହୋଇ ନ୍ୟାସନାଲ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନ୍‌ସିପିଆଇ)ରେ ମିଶି ଯାଇଛନ୍ତି ଏବଂ ଏନଡିଏକୁ ସମର୍ଥନ ଦେବାର ସଙ୍କେତ ଦେଇଛନ୍ତି। ଏହା ଏନଡିଏର ଶକ୍ତି ବଢ଼ାଇବାରେ ମୁଖ୍ୟ ଭୂମିକା ନେବ ବୋଲି ଆକଳନ କରାଯାଉଛି।

ଅନ୍ୟପକ୍ଷରେ ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି)ର ୯ ସାଂସଦଙ୍କ ମଧ୍ୟରୁ ୬ ଜଣ ଏକନାଥ ସିନ୍ଦେ ଶିବସେନାରେ ମିଶିବାର ଚର୍ଚ୍ଚା ଜୋର୍ ଧରିଛି। ଏହା ମଧ୍ୟ ଏନଡିଏର ପକ୍ଷରେ ଯାଇପାରେ। ସେହିପରି ସମାଜବାଦୀ ପାର୍ଟିରେ ମଧ୍ୟ ବିଦ୍ରୋହ ହେବ ବୋଲି ଆକଳନ କରାଯାଉଛି। ସମାଜବାଦୀ ପାର୍ଟିରେ ବର୍ତ୍ତମାନ ୩୭ଜଣ ସାଂସଦ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫ଜଣ ଦଳ ବିରୋଧରେ ବିଦ୍ରୋହ କରି ଏନ୍‌ଡିଏରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଏପରି ହେଲେ ଏନ୍‌ଡିଏ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରାୟ ଦୁଇ-ତୃତୀୟାଂଶ ବହୁମତ ଲକ୍ଷ୍ୟ ଛୁଇଁ ପାରେ। ଏହାଦ୍ବାରା ସମ୍ବିଧାନ ସଂଶୋଧନ ବିଲ୍ ମାଧ୍ୟମରେ ସରକାର ତାଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରିବେ।
ଲୋକସଭାରେ ୫୪୩ ଆସନରୁ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ପାଇଁ ୩୬୨ ଆସନର ସମର୍ଥନ ଆବଶ୍ୟକ, କିନ୍ତୁ ଖାଲିଥିବା ଆସନ ପରିପ୍ରେକ୍ଷୀରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ୩୬୦ ରହିବ। ଗତ ଏପ୍ରିଲ୍‌ରେ ଏହି ବିଲ୍ ଉପରେ ଭୋଟଦାନ ସମୟରେ ୧୨ଜଣ ସାଂସଦ ଅନୁପସ୍ଥିତ ଥିଲେ। ଯଦି ଆଗାମୀ ଅଧିବେଶନରେ ଏହି ଧାରା ବଜାୟ ରହେ ତେବେ ବିଲ୍‌ ପାରିତ କରିବାକୁ ୩୫୨ଜଣ ସାଂସଦଙ୍କ ସମର୍ଥନର ଆବଶ୍ୟକତା ପଡ଼ିବ।ବର୍ତ୍ତମାନ ବିଜେପିର ୨୪୦ ସାଂସଦଙ୍କୁ ମିଶାଇ ଲୋକସଭାରେ ଏନ୍‌ଡିଏର ୨୯୩ ଜଣ ସାଂସଦ ଅଛନ୍ତି। ତେଣୁ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ପାଇଁ ଏନଡିଏକୁ ୬୯ ଭୋଟର ଆବଶ୍ୟକତା ରହିଛି। ତେବେ ଇତିମଧ୍ୟରେ ଟିଏମ୍‌ସିର ୨୦ ଓ ଶିବସେନାର ୬ ଜଣ ସାଂସଦ ଏନଡିଏ ସମର୍ଥନରେ ଆସି ଯାଇଥିବାରୁ ଏନଡିଏର ଶକ୍ତି ୩୧୯କୁ ବୃଦ୍ଧି ପାଇଛି। ଏହିପରି ଭାବେ ଦୁଇ-ତୃତୀୟାଂଶ ଅଙ୍କକୁ ଛୁଇଁବାକୁ ୩୩ ଭୋଟର ଆବଶ୍ୟକତା ରହୁଛି।ତାମିଲନାଡ଼ୁରେ ଯୋଶଫ ବିଜୟଙ୍କ ଟିଭିକେ ସରକାରକୁ କଂଗ୍ରେସ ସମର୍ଥନ ଦେବା ପରେ ଇଣ୍ଡି ମେଣ୍ଟରୁ ଅଲଗା ହୋଇଯାଇଥିବା ଡିଏମ୍‌କେକୁ ମଧ୍ୟ ଏନଡିଏ ସପକ୍ଷରେ ଭୋଟ ଦେବ ବୋଲି ଆଶା କରାଯାଉଛି। ଯଦି ଡିଏମ୍‌କେର ୨୨ଜଣ ସାଂସଦ ସରକାରଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରନ୍ତି ତେବେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାସ୍‌ କରାଇ ପାଇଁ ଆବଶ୍ୟକ ସଂଖ୍ୟାର ନିକଟତର ହେବ ଏନ୍‌ଡିଏ। ଅବଶ୍ୟ ସାଂପ୍ରତିକ ସ୍ଥିତିରେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଆଗତ ହେଲେ ଉତ୍ତର ଭାରତ ତୁଳନାରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ କ୍ଷତିଗ୍ରସ୍ତ ହେବା ଆଶଙ୍କାରେ ଡିଏମକେ ଏହାର ବିରୋଧ କରୁଛି। ମାତ୍ର ଡିଏମକେର ଦାବିକୁ ମାନିନେଲେ ଦଳ ଏନଡିଏକୁ ସମର୍ଥନ କରିବ। ସେହିପରି ୱାଇଏସ୍‌ଆର କଂଗ୍ରେସର ୪ଜଣ ସାଂସଦ ବିଭିନ୍ନ ପ୍ରସଙ୍ଗରେ ଏନ୍‌ଡିଏ ସରକାରଙ୍କୁ ସମର୍ଥନ ଦେଇ ଆସୁଛନ୍ତି। ଏହାସହ ଉତ୍ତରପ୍ରଦେଶ ରାଜନୈତିକ ସ୍ଥିତିକୁ ଲକ୍ଷ୍ୟ କଲେ ସମାଜବାଦୀ ପାର୍ଟିର ପାଖାପାଖି ୨୫ଜଣ ସାଂସଦ ଏନ୍‌ଡିଏରେ ସାମିଲ ହେବାକୁ ଆଶାୟୀ। ଯଦି ସେମାନେ ଏନ୍‌ଡିଏରେ ସାମିଲ ହୁଅନ୍ତି ତେବେ ଆଗାମୀ ଅଧିବେଶନରେ ଏନ୍‌ଡିଏ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ କରାଇ ନେବା ସହଜ ହୋଇଯିବ। ଏହାବାଦ୍‌ ପ୍ରାୟ ୬ ସ୍ବାଧୀନ ସାଂସଦଙ୍କୁ ନିଜ ଶିବିରକୁ ଆଣିବାକୁ ଏନ୍‌ଡିଏ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି। ଏସବୁ ପଦକ୍ଷେପ ସଫଳ ହେଲେ ଏନ୍‌ଡିଏ ତରଫରୁ ମହିଳା ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ସହିତ ‘ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ’ ବିଲ୍‌ ମଧ୍ୟ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟସଭା ଉପରେ ନଜର ପକାଇଲେ ଟିଏମ୍‌ସିର ୩ଜଣ ସାଂସଦଙ୍କ ଇସ୍ତଫା ପରେ ବର୍ତ୍ତମାନ ରାଜ୍ୟସଭାରେ ମୋଟ ୨୪୨ଜଣ ସାଂସଦ ଅଛନ୍ତି। ରାଜ୍ୟସଭାରେ ବିଲ୍‌ ପାରିତ କରିବା ନିମନ୍ତେ ବର୍ତ୍ତମାନ ସମୟରେ ୧୬୨ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଏନ୍‌ଡିଏ ନିକଟରେ ୧୫୦ଜଣ ରାଜ୍ୟସଭା ସାଂସଦ ଥିବା ବେଳେ ଡିଏମ୍‌କେର ୮ଜଣ ସାଂସଦଙ୍କ ସମର୍ଥନ ମିଳିବ। ବିଲ୍‌ ପାରିତ କରିବାକୁ ଆବଶ୍ୟକ ଆଉ ମାତ୍ର ୪ ସାଂସଦଙ୍କ ଭୋଟ୍‌ର ଆବଶ୍ୟକ ଥିବା ବେଳେ ଏନ୍‌ଡିଏ ତରଫରୁ ଏଥିନିମନ୍ତେ ପ୍ରୟାସ ଆରମ୍ଭ ହୋଇଗଲାଣି। ରାଜ୍ୟସଭାରେ ଥିବା ବିଜେଡିର ୫ ଏବଂ ୱାଇଏସଆରସିପିର ୭ ସାଂସଦଙ୍କ ସମର୍ଥନ ହାସଲ କରିବା ପାଇଁ ବିଜେପି ପକ୍ଷରୁ ଉଦ୍ୟମ ଚାଲିଛି। ଏସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିରୋଧୀ ଇଣ୍ଡି ମେଣ୍ଟରେ ବିଭାଜନ ଘଟାଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ମହିଳା ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ କରାଇବାକୁ ଏନ୍‌ଡିଏ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଥିବା ରାଜନୈତିକ ବିଶ୍ଲେଷକମାନେ କହିଛନ୍ତି। ସେହିପରି ଅନ୍ୟ ଦଳରୁ ବହୁ ସଂଖ୍ୟାରେ ସାଂସଦ ଏନଡିଏରେ ସାମିଲ ହେଉଥିବାରୁ ଆଗାମୀ ନିର୍ବାଚନରେ ଟିକେଟ୍ ବଣ୍ଟନକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାର ଆଶଙ୍କା ରହିଥିଲା। ମାତ୍ର ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପାଇଲେ, ସମସ୍ତ ନେତାଙ୍କୁ ସନ୍ତୁଷ୍ଟ କରାଯାଇପାରିବ ଏବଂ ଏହି ଆଭ୍ୟନ୍ତରୀଣ ସମସ୍ୟାର ସହଜ ସମାଧାନ ହୋଇଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।