ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ
1 min read
ଭୁବନେଶ୍ୱର: ସୋମବାର କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ବଜ୍ରପାତ ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍ସିଂହପୁର ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ୧୯ ତାରିଖ ସକାଳୁ ବର୍ଷା ପରିମାଣ ବଢ଼ିପାରେ। ଏଥିପାଇଁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ରେଡ୍ ଓ୍ବାର୍ନିଂ ଓ ରାୟଗଡ଼ା, ଗଜପତି ଓ କଳାହାଣ୍ଡିକୁ ଅରେଞ୍ଜ ଓ୍ବାର୍ନିଂ ରହିଛି। ସେହିପରି ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁରକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ଉପକୂଳ, ପଶ୍ଚିମ କେନ୍ଦ୍ରୀୟ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସହିତ ଗଭୀର ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତତ୍ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ତେବେ ଏହି ଲଘୁଚାପ ସୋମବାର ଅବପାତର ରୂପ ନେବା ପରେ ବର୍ଷା ପରିମାଣ ଓ ବିସ୍ତୃତି ବଢ଼ିପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି।