October 15, 2025

ଭୁବନେଶ୍ୱରରେ ପ୍ରଥମଥର ପାଇଁ ମେଗା ଔଦ୍ୟୋଗିକ ସମ୍ମିଳନୀ

1 min read

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଥମଥର ପାଇଁ ମେଗା ଔଦ୍ୟୋଗିକ ସମ୍ମିଳନୀ ‘ଟାଇକନ ୨୦୨୫’ର ଶୁଭାରମ୍ଭ
ଭୁବନେଶ୍ଵରରେ ଆରମ୍ଭ ହୋଇଛି ଜାତୀୟ ସ୍ତରୀୟ ଔଦ୍ୟୋଗିକ ସମ୍ମିଳନୀ ‘ଟାଇକନ ୨୦୨୫’। ପ୍ରଥମଥର ପାଇଁ ‘ଟାଇ ଭୁବନେଶ୍ୱର’ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଭାଗିତାରେ ଏହି ଦୁଇ ଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି। ଶନିବାର ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ତଥା ସମବାୟ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହାର ଉଦଘାଟନ କରିଥିଲେ। ଓଡ଼ିଶାକୁ ବ୍ୟବସାୟ ଓ ଉଦ୍ଭାବନ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଭାବେ ଉପସ୍ଥାପନ କରିବା ପାଇଁ ‘ଟାଇକନ ୨୦୨୫’ର ଲକ୍ଷ୍ୟ ରହିଛି।

“ଓଡ଼ିଶାରେ ଉଦ୍ୟୋଗ ଏବଂ ବ୍ୟବସାୟ କ୍ଷେତ୍ର ପାଇଁ ଅନେକ ସୁଯୋଗ ରହିଛି। ରାଜ୍ୟର ବିସ୍ତୀର୍ଣ୍ଣ ଉପକୂଳ ବ୍ଲୁ ଇକୋନୋମି ପାଇଁ ଏକ ସମ୍ବଳ। ଉଦ୍ୟୋଗୀ ଏବଂ ନିବେଶକାରୀଙ୍କୁ ରାଜ୍ୟରେ ନୂଆ କ୍ଷେତ୍ରଗୁଡ଼ିକରେ ବିକାଶ ଆଣିବା ପାଇଁ ଉଦ୍ଭାବନ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଓଡ଼ିଶା ସରକାର ଦକ୍ଷତା ବିକାଶ ଏବଂ ଷ୍ଟାର୍ଟଅପ୍ ପ୍ରୋତ୍ସାହନ ମାଧ୍ୟମରେ ଉଦ୍ୟୋଗୀଙ୍କୁ ସମର୍ଥନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ”, କହିଛନ୍ତି ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।

ଏହି ସମ୍ମିଳନୀରେ ଭାରତ, ଶ୍ରୀଲଙ୍କା, ସିଙ୍ଗାପୁର, ୟୁଏଇ ଓ ଆମେରିକା ଭଳି ଦେଶରୁ ୧୦୦ରୁ ଅଧିକ ଉଦ୍ୟୋଗୀ ଓ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଛନ୍ତି। ଏହାସହ ‘ଟାଇ’ର ୫୦୦ରୁ ଅଧିକ ପ୍ରତିନିଧି ସମ୍ମିଳନୀରେ ସାମିଲ ହୋଇଛନ୍ତି।

“ଟାଇକନ ହେଉଛି ଔଦ୍ୟୋଗିକତାର ଏକ ଉତ୍ସବ। ଉଦ୍ୟୋଗୀମାନେ ହେଉଛନ୍ତି ପରିବର୍ତ୍ତନକାରୀ ଏବଂ ରାଷ୍ଟ୍ର ନିର୍ମାତା। ଆମେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଟାଇ ସଦସ୍ୟ ଚାହୁଁଛୁ ଏବଂ ଓଡ଼ିଶାରେ ଔଦ୍ୟୋଗିକ ପରିବେଶକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛୁ। ଓଡ଼ିଶାକୁ ଉଦ୍ୟୋଗ ଓ ଉଦ୍ଭାବନ ପାଇଁ ଏକ ବିକଶିତ କେନ୍ଦ୍ରରେ ପରିଣତ କରିବା ଦିଗରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ”, କହିଛନ୍ତି ଟାଇ ଭୁବନେଶ୍ୱରର ଅଧ୍ୟକ୍ଷ ଅୟସକାନ୍ତ ମହାନ୍ତି।

‘ଟାଇକନ ୨୦୨୫’ର ଶୁଭାରମ୍ଭ ଦିବସରେ ଓଡ଼ିଶାର ଔଦ୍ୟୋଗିକ ପରିବେଶକୁ ସଶକ୍ତ କରିବା ପାଇଁ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉନ୍ମୋଚନ କରାଯାଇଥିଲା।