July 27, 2024

ଓଡ଼ିଶୀରେ ଜଗନ୍ନାଥ ତତ୍ତ୍ୱ ଓ ସତ୍ତ୍ରିୟାରେ ପ୍ରକୃତି-ପୁରୁଷର ଅବତାରଣା

1 min read

????????????????????????????????????

କୋଣାର୍କ : ଭକ୍ତି ରସ ସହ ଭାବ ଓ ଆବେଗର ସମନ୍ୱୟରେ ସମର୍ପଣର ଭାବଧାରାକୁ ପରଶି ଦେଇଥିଲା କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ । ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟାରେ ଶାସ୍ତ୍ରୀୟ ଓଡ଼ିଶୀ ଓ ସତ୍ତ୍ରିୟା ନୃତ୍ୟ ପରିବେଷଣରେ ବିଭୋର ହୋଇଥିଲେ ଦର୍ଶକ ମଣ୍ଡଳୀ ।
ସଂଧ୍ୟାର ପ୍ରଥମ ପ୍ରସ୍ତୁତିରେ ରୋଜାଲିନ୍‌ ମହାପାତ୍ର ଓ ତାଙ୍କ ଦେବଦାସୀ ଅନୁଷ୍ଠାନର ଶିଳ୍ପୀମାନେ ସରସ୍ୱତୀ ବନ୍ଦନାକୁ ଉପସ୍ଥାପନ କରିଥିଲେ । ବୀଣା ଓ ପୁସ୍ତକ ଧାରଣ କରିଥିବା ବାକ୍‌ଦେବୀ ଅଜ୍ଞାନର ଅନ୍ଧକାରକୁ ଦୂରକରି ଜ୍ଞାନର ଆଲୋକକୁ ବିସ୍ତାର କରିବାର ଚେତନାକୁ ମଞ୍ଚାୟିତ କରିଥିଲେ ଶିଳ୍ପୀ । ପରେ ପରେ ଜନ ସମ୍ମୋହିନୀ ପଲ୍ଲବୀ ଓ ନୃତ୍ୟାଭିନୟ ଯୁଗେ ଯୁଗେ ଜଗନ୍ନାଥକୁ ପରିବେଷଣ କରିଥିଲେ ଦେବଦାସୀ ଅନୁଷ୍ଠାନର ଶିଳ୍ପୀବୃନ୍ଦ । ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ଯୁଗରେ ଶ୍ରୀ ଜଗନ୍ନାଥଙ୍କ ଅବତାର ସୃଷ୍ଟିକୁ ସୁରକ୍ଷା ଦେଇଛି । ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟ ଧ୍ୱଜା ଉଡ଼ାଇ ଆସିଛି । ପୌରାଣିକ ଆଖ୍ୟାନକୁ ନେଇ ନୃତ୍ୟ ସଂରଚନାଟି ଖୁବ୍‌ ଆକର୍ଷଣୀୟ ହୋଇଥିଲା ।
ଦ୍ୱିତୀୟ ଚରଣରେ ସତ୍ତ୍ରିୟା ନୃତ୍ୟଶିଳ୍ପୀ ଅନ୍ୱେଷା ମହନ୍ତ ଓ ସାଥୀଙ୍କ ଉପସ୍ଥାପନାରେ ଭକ୍ତି ଦର୍ଶନ ଆଧାରିତ ପରମ ଲୀଳାର ପରିବେଷଣ ଦର୍ଶକଙ୍କୁ ଭାବ ଓ ଭକ୍ତିରେ ତଲ୍ଲୀନ କରିଥିଲା । ଖୋଳ ଓ ଝାଂଜର ସୁମଧୁର ବାଦନରେ ବୈଷ୍ଣବ ସନ୍ଥଙ୍କ ସମର୍ପଣର ଅଭିବ୍ୟକ୍ତି ହୃଦୟକୁ ଇଶ୍ୱର ମନସ୍କ କରିଥିଲା । ପ୍ରକୃତି ଓ ପୁରୁଷର ମିଳିତ ତତ୍ତ୍ୱକୁ ଭାକ୍ତିକ ଆବେଦନରେ ତୋଳି ଧରିଥିଲେ କଳ୍ପବୃକ୍ଷ ନୃତ୍ୟାନୁଷ୍ଠାନର ଶିଳ୍ପୀ ସତ୍ତ୍ରିୟା ନୃତ୍ୟ ମାଧ୍ୟମରେ । ଆଚାର୍ଯ୍ୟ ଶ୍ରୀମନ୍ତ ଶଙ୍କର ଦେବଙ୍କ ସଂରଚିତ ଶ୍ରୀ ଜଗନ୍ନାଥ ବନ୍ଦନା ଓ ଶୁଦ୍ଧନୃତ୍ୟ ଚାଲି ରାମ୍‌ଦାନିର ନିଖୁଣ ପ୍ରକାଶରେ ସତ୍ତ୍ରିୟା ନୃତ୍ୟର ଶାସ୍ତ୍ରୀୟତା ଓ ଭକ୍ତି ତତ୍ତ୍ୱକୁ ବଖାଣି ଥିଲେ ଶିଳ୍ପୀଗଣ ।
ତୃତୀୟ ସଂଧ୍ୟାର ଅତିଥିଭାବେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱୋଳନ କରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍‌. ବାଲକ୍ରୀଷ୍ଣନ୍‌ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି ଓ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ।
ତୃତୀୟ ଦିନରେ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପୀମାନେ କ୍ରୀଡ଼ା ଓ ନାରୀ ଶସକ୍ତିକରଣ ବିଷୟବସ୍ତୁ ଉପରେ ସୁବର୍ଣ୍ଣବାଲିରେ ବାଲୁକାକଳା ପ୍ରସ୍ତୁତ କରିଥିଲେ । ଆନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନକୁ ଦେଖିବା ପାଇଁ ଆଜି ଚନ୍ଦ୍ରଭାଗା ତଟରେ ପର୍ଯ୍ୟଟକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମୁକ୍ତାକାଶ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସହ ଚନ୍ଦ୍ରଭାଗାବେଳା ଭୁମିର ବାଲୁକାକଳା ପ୍ରଦର୍ଶନ କୋଣାର୍କାର ପରିବେଶକୁ କଳା-ସଂସ୍କୃତି ମୁଖର କରିଦେଇଛି ବୋଲି ପର୍ଯ୍ୟଟକମାନେ ମତପୋଷଣ କରିଛନ୍ତି । ଡ଼. ମୃତୁଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମ ଉପସ୍ତାପନା କରିଥିବା ବେଳେ ଡ଼. ସଙ୍ଗୀତା ଗୋସାଇଁଙ୍କ ସହ ପର୍ଯ୍ୟଟନ ବିଭାଗର ଅଧିକାରୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପଦାଧିକାରୀ ପରିଚାଳନାରେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *