November 20, 2026

ଡିଜିଟାଲ ଯୁଗରେ ଯୁବ ମୁସଲମାନ ଏବଂ ସାଇବର ସୁରକ୍ଷା

1 min read

ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଇଣ୍ଟରନେଟ୍ ଆମ ଜୀବନର ଏକ ଅବିଚ୍ଛିନ୍ନ ଅଂଶ ପାଲଟିଯାଇଛି। ସ୍ମାର୍ଟଫୋନ୍‌, ସୋସିଆଲ ମିଡ଼ିଆ, ଅନଲାଇନ୍ ବ୍ୟାଙ୍କିଙ୍ଗ୍‌, ଡିଜିଟାଲ ପେମେଣ୍ଟ୍‌, ଇ- କମର୍ସ ଏବଂ ଇ-ଲଣ୍ଡିଂ ଶିକ୍ଷା ଆମ ଦୈନନ୍ଦିନ ଜୀବନକୁ ଅଧିକ ସହଜ ଓ ଦୃତ କରିଛି। କିନ୍ତୁ ଏହି ସୁବିଧା ସହିତ ସାଇବର ଅପରାଧର ବିପଦ ମଧ୍ୟ ବଢ଼ିଛି। ଅନଲାଇନ୍ ଠକେଇ, ପରିଚୟ ଚୋରି, ବ୍ୟଙ୍କ ଖାତା ଓ ଗୁପ୍ତ ତଥ୍ୟ ହ୍ୟାକିଂ ଭଳି ଘଟଣା ଏବେ ଆଉ ଅସାଧାରଣ ନୁହେଁ। ତେଣୁ ଯୁବପିଢ଼ି ପାଇଁ ଡିଜିଟାଲ ସୁବିଧାର ସୁରକ୍ଷିତ ବ୍ୟବହାର ପାଇଁ ସଚେତନତା ଅତ୍ୟନ୍ତ ଆବଶ୍ୟକ।
ଡିଜିଟାଲ୍ ଯୁଗରେ ସବୁଠାରୁ ମୂଲ୍ୟବାନ ଜିନିଷ ହେଉଛି ନିଜର ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବା। ବ୍ୟକ୍ତିଗତ ତଥ୍ୟ ଯଥା ମୋବାଇଲ୍ ନମ୍ବର, ଇମେଲ୍ ଠିକଣା, ଆଧାର ବିବରଣୀ, ବ୍ୟାଙ୍କିଙ୍ଗ ସୂଚନା, ଘର ଠିକଣା, ଶିକ୍ଷାଗତ ରେକର୍ଡ ଏବଂ ଫଟୋଗ୍ରାଫ୍ ଯଦି କୌଣସି ଭୁଲ ଲୋକ ହାତରେ ପଡ଼େ ତେବେ ତାହାର ଅପବ୍ୟବହାର ହେବାର ସମ୍ଭାବନା ଅଧିକ ଥାଏ। ଅନେକ ଯୁବକ ଆବଶ୍ୟକତାଠାରୁ ଅଧିକ ସୂଚନା ନିଜ ସୋସିଆଲ ମିଡ଼ିଆ ପ୍ରୋଫାଇଲ୍ ଓ ସାର୍ବଜନୀନ ପୋଷ୍ଟ ମାଧ୍ୟମରେ ସେୟାର କରନ୍ତି। ଏହି ତଥ୍ୟକୁ ଅପରାଧୀମାନେ ବିଭିନ୍ନ ପ୍ରକାର ଠକେଇ ଯଥା ଆର୍ôଥକ ଠକେଇ ପାଇଁ ବ୍ୟବହାର କରନ୍ତି। ଅନ୍‌ଲାଇନ୍‌ରେ କିଛି ସେୟାର କରିବା ପୂର୍ବରୁ ବ୍ୟବହାରକାରୀମାନେ ନିଜକୁ ପଚାରିବା ଉଚିତ ଯେ ଏହା ପ୍ରକୃତରେ ଆବଶ୍ୟକ କି ନାହିଁ ଏବଂ ଏହାର ଅପବ୍ୟବହାର ହୋଇପାରେ କି ନାହିଁ। ବ୍ୟାଙ୍କ ଆକାଉଣ୍ଟ୍ ବନ୍ଦ କରାଯିବା କଥା ହେଉ କିମ୍ବା ପୁରସ୍କାର ରାଶି ଜିତିବା ଖବର ହେଉ, ଏହା ସାଧାରଣତଃ ମନରେ ଜରୁରୀତାର ଭାବନା ସୃଷ୍ଟି କରିଥାଏ ଏବଂ ଅନେକ ସମୟରେ ଅପରାଧୀମାନଙ୍କ ଦ୍ୱାରା କୁହାଯାଥିବା ଲିଙ୍କ୍ ଉପରେ କ୍ଲିକ୍ କରିବାକୁ ଉତ୍ସାହିତ କରିଥାଏ। କୌଣସି ନିଷ୍ପତ୍ତିି ନେବା ପୂର୍ବରୁ ବ୍ୟବହାରକାରୀମାନେ ଏଭଳି ବାର୍ତ୍ତାଗୁଡ଼ିକର ସତ୍ୟାସତ୍ୟ ବିଷୟରେ ଭଲଭାବରେ ଯାଞ୍ଚ କରିବା ଉଚିତ୍‌। ଅଜଣା ଲିଙ୍କରେ କ୍ଲିକ୍ ନକରିବା, ସନ୍ଦେହଜନକ ମେସେଜ୍ ଓ ଇ-ମେଲର ଉତ୍ତର ନଦେବା, ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରିବା ଏବଂ ସମୟସମୟରେ ତାହା ପରିବର୍ତ୍ତନ କରିବା ଭଳି ସରଳ ପଦକ୍ଷେପ ଅନେକ ସାଇବର ଅପରାଧକୁ ରୋକିପାରେ। ବ୍ୟାଙ୍କିଙ୍ଗ୍‌, ଡିଜିଟାଲ ପେମେଣ୍ଟ୍ କିମ୍ବା ସୋସିଆଲ ମିଡିଆ ବ୍ୟବହାର ସମୟରେ ବ୍ୟକ୍ତିଗତ ତଥ୍ୟ, ପାସୱାର୍ଡ, ଏ.ଟିଏମ୍ କାର୍ଡ ସୂଚନା କିମ୍ବା ୱାନ ଟାଇମ୍ ପାସୱାର୍ଡ (ଙଞଚ) କାହା ସହିତ ମଧ୍ୟ ସେୟାର କରିବା ଉଚିତ୍ ନୁହେଁ।
ସୋସିଆଲ ମିଡିଆ ଆଜି ଯୋଗାଯୋଗର ଏକ ମୁଖ୍ୟ ମାଧ୍ୟମ ହୋଇଥେଲେ ମଧ୍ୟ ଏହାର ଅତ୍ୟଧିକ ଓ ଅସାବଧାନ ବ୍ୟବହାର ବିପଦଜନକ ହୋଇପାରେ। ଅନଲାଇନରେ ଅତ୍ୟଧିକ ବ୍ୟକ୍ତିଗତ ତଥ୍ୟ, ଫଟୋ, ଅବସ୍ଥାନ କିମ୍ବା ଦୈନନ୍ଦିନ ଗତିବିଧି ପ୍ରକାଶ କରିବା ଦ୍ୱାରା ଅପରାଧୀମାନେ ତାହାର ଦୁରୁପଯୋଗ କରିପାରନ୍ତି। ତେଣୁ ସୋସିଆଲ ମିଡିଆର ପ୍ରାଇଭେସି ସେଟିଂସ୍ ସଠିକ ଭାବରେ ବ୍ୟବହାର କରିବା ସହ ଅଜଣା ବ୍ୟକ୍ତିଙ୍କ ଫ୍ରେଣ୍ଡ୍ ରିକ୍ୱେଷ୍ଟ, ମେସେଜ୍ କିମ୍ବା ଲିକ୍‌କୁ ଗ୍ରହଣ କରିବା ପୂର୍ବରୁ ସତର୍କ ହେବା ଆବଶ୍ୟକ। ଗୋପନୀୟତାକୁ ସୁରକ୍ଷା ଦେବା ଅର୍ଥ ନୁହେଁ ସମାଜରୁ ଲୁଚିବା। ଏହାର ଅର୍ଥ ହେଉଛି, କଣ ସେୟାର କରାଯାଉଛି ଏବଂ କାହା ସହିତ ସେୟାର କରାଯାଉଛି, ସେ ବିଷୟରେ ସତର୍କ ରହିବା।
ଡିଜିଟାଲ ମାଧ୍ୟମରେ ଭୁଲ ତଥ୍ୟ ଓ ଗୁଜବର ପ୍ରସାର ମଧ୍ୟ ଏକ ବଡ଼ ସମସ୍ୟା। କୌଣସି ଖବର କିମ୍ବା ସୂଚନାକୁ ଯାଞ୍ଚ ନ କରି ତାହାକୁ ଅନ୍ୟମାନଙ୍କ ନିକଟକୁ ପଠାଇବା ଦ୍ୱାରା ଅସତ୍ୟ ତଥ୍ୟ ଦ୍ରୁତଗତିରେ ବ୍ୟାପିପାରେ। ତେଣୁ ଡିଜିଟାଲ ସାକ୍ଷରତା ଅର୍ଥ କେବଳ ଇଣ୍ଟରନେଟ୍ ବ୍ୟବହାର ଜାଣିବା ନୁହେଁ, ବରଂ ସୂଚନାର ସତ୍ୟତା ଯାଞ୍ଚ କରିବା, ବିଶ୍ୱସନୀୟ ଉତ୍ସ ଚିହ୍ନଟ କରିବା ଏବଂ ଦାୟିତ୍ୱଶୀଳ ଭାବେ ତଥ୍ୟ ବାଣ୍ଟିବା ମଧ୍ୟ ଏହାର ଅଂଶ।
ଅନ୍ୟପକ୍ଷରେ, ଇଣ୍ଟରନେଟରେ ଘୃଣା ଓ ହିଂସା ପ୍ରସାର କରୁଥିବା ଗୋଷ୍ଠୀମାନେ ଯୁବକମାନଙ୍କୁ ପ୍ରଭାବିତ କରିବା ପାଇଁ ସୋସିଆଲ ମିଡିଆ ଓ ମେସେଜିଂ ପ୍ଲାଟଫର୍ମ ବ୍ୟବହାର କରନ୍ତି। ସେମାନେ ଏକାକୀତା, ହତାଶା କିମ୍ବା ଅସନ୍ତୋଷର ଭାବନାକୁ ଆଧାର କରି ଯୁବକମାନଙ୍କର ବିଶ୍ୱାସ ହାସଲ କରିପାରନ୍ତି। ତେଣୁ ଧାର୍ମିକ ଭାଷାରେ ପ୍ରଚାରିତ ଘୃଣା, ହିଂସା କିମ୍ବା ବିଭାଜନମୂଳକ ବାର୍ତ୍ତା ପ୍ରତି ମୁସଲମାନମାନେ ବିଶେଷ ସତର୍କ ରହିବା ଦରକାର। ଧାର୍ମିକ ତଥ୍ୟକୁ ପ୍ରସଙ୍ଗରୁ ବାହାର କରି ବିକୃତ ଭାବେ ପ୍ରଚାର କରାଯାଇପାରେ। ତେଣୁ କୌଣସି ଧାର୍ମିକ ଦାବିକୁ ତୁରନ୍ତ ବିଶ୍ୱାସ କିମ୍ବା ସେୟାର ନ କରି ଯୋଗ୍ୟ ଧାର୍ମିକ ବିଦ୍ୱାନ ଓ ବିଶ୍ୱସନୀୟ ଉତ୍ସରୁ ତାହା ଯାଞ୍ଚ କରିବା ଉଚିତ୍‌। ଶାନ୍ତି, ନ୍ୟାୟ, କରୁଣା ଓ ମାନବ ଜୀବନ ପ୍ରତି ସମ୍ମାନ ଇସଲାମୀୟ ଶିକ୍ଷାର ମୂଳ ଆଧାର, ଏହି ବିଷୟକୁ ଯୁବପିଢ଼ି ମନେ ରଖିବା ଆବଶ୍ୟକ।
ଅନଲାଇନ ହେରଫେରରୁ ରକ୍ଷା ପାଇବାର ଶ୍ରେଷ୍ଠ ଉପାୟ ହେଉଛି ସମାଲୋଚନାମୂଳକ ଚିନ୍ତାଧାରା। ଅନଲାଇନରେ ମିଳୁଥିବା ପ୍ରତ୍ୟେକ ତଥ୍ୟ ସତ୍ୟ ନୁହେଁ। ତେଣୁ ଯୁବକମାନେ ସୂଚନାର ଉତ୍ସ ଓ ସତ୍ୟତା ଯାଞ୍ଚ କରିବା ସହ ଅସୁବିଧାଜନକ ବିଷୟବସ୍ତୁ ସମ୍ପର୍କରେ ଅଭିଭାବକ, ଶିକ୍ଷକ, ପରାମର୍ଶଦାତା କିମ୍ବା ବିଶ୍ୱସ୍ତ ବିଦ୍ୱାନଙ୍କ ସହିତ ଆଲୋଚନା କରିବା ଆବଶ୍ୟକ।
ଭାରତର ବିସ୍ତାରିତ ଡିଜିଟାଲ ଅର୍ଥନୀତି ଯୁବପିଢ଼ି ପାଇଁ ଶିକ୍ଷା, ରୋଜଗାର, ଉଦ୍ୟମିତା ଓ ସାମାଜିକ ଅବଦାନର ଅସଂଖ୍ୟ ସୁଯୋଗ ସୃଷ୍ଟି କରିଛି। ଡିଜିଟାଲ୍ ପ୍ଲାଟଫର୍ମ ଆଜି କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ଏହା ଜ୍ଞାନ, ଦକ୍ଷତା ଓ ଆର୍ôଥକ ସ୍ୱାବଲମ୍ବନର ଏକ ଶକ୍ତିଶାଳୀ ମଞ୍ଚ। କିନ୍ତୁ ଏହି ସୁଯୋଗର ସର୍ବାଧିକ ଲାଭ ଉଠାଇବା ପାଇଁ ଡିଜିଟାଲ ସଚେତନତା ସହିତ ଦାୟିତ୍ୱବୋଧ ମଧ୍ୟ ଅପରିହାର୍ଯ୍ୟ। ବ୍ୟକ୍ତିଗତ ତଥ୍ୟର ସୁରକ୍ଷା, ଦୃଢ଼ ପାସୱାର୍ଡ ବ୍ୟବହାର, ଡିଭାଇସ୍ ଓ ସଫ୍ଟୱେରକୁ ନିୟମିତ ଅପଡେଟ୍ ରଖିବା, ଅନଲାଇନ୍ ଠକେଇକୁ ଚିହ୍ନଟ କରିବା ଏବଂ ଗୋପନୀୟତା ରକ୍ଷା କରିବା, ଏସବୁ ଏବେ ମୌଳିକ ଡିଜିଟାଲ ଶିଷ୍ଟାଚାରର ଅଂଶ ହେବା ଦରକାର। ସାଇବର ସୁରକ୍ଷା କେବଳ ମୋବାଇଲ୍ କିମ୍ବା କମ୍ପ୍ୟୁଟରକୁ ସୁରକ୍ଷିତ ରଖିବାର ପ୍ରଶ୍ନ ନୁହେଁ। ଏହା ଜଣେ ବ୍ୟକ୍ତିର ପରିଚୟ, ଆର୍ôଥକ ସୁରକ୍ଷା, ସାମାଜିକ ପ୍ରତିଷ୍ଠା, ସମ୍ପର୍କ ଓ ଭବିଷ୍ୟତକୁ ସୁରକ୍ଷିତ ରଖିବାର ପ୍ରଶ୍ନ। ଏକ ଛୋଟ ଅସାବଧାନତା ମଧ୍ୟ ଗୁରୁତର କ୍ଷତିର କାରଣ ହୋଇପାରେ। ବିଶେଷକରି ଯୁବ ଭାରତୀୟ ମୁସଲମାନମାନଙ୍କ ପାଇଁ ପ୍ରଯୁକ୍ତିର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଆଧୁନିକ ଜ୍ଞାନ ଓ ଦକ୍ଷତାକୁ ନୈତିକ ମୂଲ୍ୟବୋଧ ସହିତ ସମନ୍ୱୟ କରିବାର ସୁଯୋଗ ଦେଇଥାଏ। ଡିଜିଟାଲ ଜଗତ- ଯୁବପିଢ଼ି ପାଇଁ ଶିକ୍ଷା, ସୃଜନଶୀଳତା, ଉଦ୍ୟମ ଓ ସକାରାତ୍ମକ ସାମାଜିକ ଅବଦାନର ମଞ୍ଚ ହେଉ- ଅସାବଧାନତା, ଠକେଇ ଓ କ୍ଷତିର ଉତ୍ସ ନୁହେଁ।
ଡିଜିଟାଲ ସ୍ୱାଧୀନତା ସେତେବେଳେ ହିଁ ସାର୍ଥକ, ଯେତେବେଳେ ତା ସହିତ ସଚେତନତା, ଦାୟିତ୍ୱବୋଧ ଓ ନୈତିକତା ଯୋଡ଼ି ହୁଏ।

ଅଲ୍‌ତାଫ୍ ମିର୍‌
ପିଏଚ୍‌.ଡି., ଜାମିଆ ମିଲିଆ ଇସଲାମିଆ