ନିର୍ବାଚନୀ ଅଖଣ୍ଡତାର ତ୍ରିସୂତ୍ର: ତଥ୍ୟ, ସ୍ୱଚ୍ଛତା ଓ ଜନଭାଗୀଦାରି
1 min read
ନିର୍ବାଚନ ବ୍ୟବସ୍ଥାର ଅଖଣ୍ଡତା କେବଳ ନିର୍ବାଚନର ସୁଚାରୁ ପରିଚାଳନା ଉପରେ ନିର୍ଭରଶୀଳ ନୁହେଁ; ବରଂ ଭୋଟର ତାଲିକାର ପ୍ରସ୍ତୁତି, ସଂଶୋଧନ ଓ ଚୂଡ଼ାନ୍ତ ପ୍ରକାଶନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କର ସ୍ପଷ୍ଟ ବୁଝାମଣା ଓ ବିଶ୍ୱାସ ମଧ୍ୟ ଏହାର ଏକ ମୁଖ୍ୟ ଆଧାର। ଝଓଜକୁ ନେଇ ସାମ୍ପ୍ରତିକ ସାର୍ବଜନୀନ ବିତର୍କ ଡ୍ରାଫ୍ଟ ପର୍ଯ୍ୟାୟର ସୂଚନା ଓ ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରକାଶିତ ସଂଖ୍ୟା ମଧ୍ୟରେ ଥିବା ପାର୍ଥକ୍ୟକୁ ସ୍ପଷ୍ଟ ଭାବେ ବୁଝିବାରେ ସାହାଯ୍ୟ କରିଛି।
ଏକ ଦାବି ବ୍ୟାପକ ଭାବେ ପ୍ରଚାରିତ ହେଉଛି ଯେ ଝଓଜ ପ୍ରକ୍ରିୟା ମାଧ୍ୟମରେ ୧୩ କୋଟି ଭୋଟରଙ୍କୁ ଚୂଡ଼ାନ୍ତ ତାଲିକାରୁ ବାଦ ଦିଆଯାଇଛି। ତେବେ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଏହି ସଂଖ୍ୟା ଡ୍ରାଫ୍ଟ ପର୍ଯ୍ୟାୟରେ ବିଭିନ୍ନ ବର୍ଗ ସମ୍ବନ୍ଧିତ ଅଟେ, ଯେଉଁଥିରେ ପ୍ରାୟ ୨.୮ କୋଟି ମୃତ ଭୋଟର, ୩ କୋଟି ଅନୁପସ୍ଥିତ କିମ୍ବା ଅନ୍ୱେଷଣଯୋଗ୍ୟ ଭୋଟର, ୬.୩ କୋଟି ସ୍ଥାୟୀ ଭାବେ ସ୍ଥାନାନ୍ତରିତ ଭୋଟର ଏବଂ ୧ କୋଟି ଏକାଧିକ ନାମଲେଖା ଥିବା ଭୋଟର ଅନ୍ତର୍ଭୁକ୍ତ। ତେଣୁ ଏହି ଡ୍ରାଫ୍ଟ-ଷ୍ଟେଜ୍ ବର୍ଗୀକରଣକୁ ସିଧାସଳଖ ୧୩ କୋଟି ଚୂଡ଼ାନ୍ତ ଭାବେ ବାଦ ପଡ଼ିଥିବା ଭୋଟରଙ୍କ ସହ ସମାନ କରିବା ଠିକ୍ ନୁହେଁ। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପୂର୍ବରୁ ଯାଞ୍ଚ, ଦାବି ଓ ଆପତ୍ତି ଦାଖଲ, ସେଗୁଡ଼ିକର ନିରାକରଣ ଏବଂ ଚୂଡ଼ାନ୍ତକରଣ ଭଳି ପ୍ରକ୍ରିୟା ଜାରି ରହିଥାଏ।
ଭାରତର ନିର୍ବାଚନୀ ଇତିହାସ ଦର୍ଶାଏ ଯେ ନିର୍ବାଚନୀ ପ୍ରତିଷ୍ଠାନର ବିଶ୍ୱସନୀୟତା ଗୋଟିଏ ଦିନରେ ଗଢ଼ି ଉଠେ ନାହିଁ; ଏହା ଦୀର୍ଘ ସମୟ ଧରି ପ୍ରତିଷ୍ଠାନଗତ ପ୍ରଥା, ଦାୟିତ୍ୱବୋଧ ଓ ଆଇନଗତ କ୍ଷମତାର ପ୍ରୟୋଗ ମାଧ୍ୟମରେ ଗଢ଼ିଉଠିଥାଏ। ୧୯୯୦ ଦଶକରେ ଟି.ଏନ୍. ଶେଷନଙ୍କ କାର୍ଯ୍ୟକାଳ ନିର୍ବାଚନ କମିଶନଙ୍କ ବିଦ୍ୟମାନ କ୍ଷମତାର ଅଧିକ ଦୃଢ଼ ପ୍ରୟୋଗ ପାଇଁ ବିଶେଷ ଭାବେ ସ୍ମରଣୀୟ। ଏହି ସମୟରେ ଆଦର୍ଶ ଆଚରଣ ସଂହିତାର କଠୋର ପ୍ରୟୋଗ ସହିତ କମିଶନର ଭୂମିକା ମଧ୍ୟ ସାର୍ବଜନୀନ ଭାବେ ଅଧିକ ଦୃଶ୍ୟମାନ ହୋଇଥିଲା। ଏହି ପର୍ଯ୍ୟାୟର ଗୁରୁତ୍ୱ କେବଳ କମିଶନ ନିଜ କ୍ଷମତାକୁ ଅଧିକ ସକ୍ରିୟ ଭାବେ ପ୍ରୟୋଗ କରିଥିବାରେ ସୀମିତ ନଥିଲା; ବରଂ ନାଗରିକମାନେ କ୍ରମାଗତ ଭାବରେ ଏହାକୁ ଏପରି ଏକ ସଂସ୍ଥା ଭାବରେ ଦେଖୁଥିଲେ ଯାହା ରାଜନୈତିକ ଚାପରୁ ମୁକ୍ତ ରହି ସ୍ୱାଧୀନ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ଥିଲା।
ତିନି ଦଶନ୍ଧି ପରେ ନିର୍ବାଚନୀ ବ୍ୟବସ୍ଥା ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ଅନେକ ମାତ୍ରାରେ ବଦଳିଛି। ନିର୍ବାଚନ କମିଶନ ଏବେ ଏପରି ଏକ ସୂଚନା ପରିବେଶରେ କାର୍ଯ୍ୟ କରୁଛନ୍ତି, ଯେଉଁଠାରେ କୌଣସି ଦାବି ତାହାର ପୃଷ୍ଠଭୂମି ଓ ପ୍ରସଙ୍ଗ ସ୍ପଷ୍ଟ ହେବା ପୂର୍ବରୁ ହିଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିଥାଏ। ନିର୍ବାଚନୀ ତଥ୍ୟ, ପ୍ରଶାସନିକ ନିଷ୍ପତ୍ତି ଓ ବୈଷୟିକ ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ସହଜରେ ଏକ ଶିରୋନାମା, ସଂକ୍ଷିପ୍ତ ପୋଷ୍ଟ କିମ୍ବା କ୍ଷୁଦ୍ର ଭିଡିଓରେ ସୀମିତ ହୋଇପାରେ। ଏପରି ଏକ ଦ୍ରୁତଗତିଶୀଳ ସୂଚନା ପରିବେଶରେ, ପ୍ରତିଷ୍ଠାନଗତ ଯୋଗାଯୋଗ କେବଳ ସୂଚନା ପ୍ରଦାନର ମାଧ୍ୟମ ହୋଇ ରହେ ନାହିଁ; ଏହା ନିର୍ବାଚନୀ ସ୍ୱଚ୍ଛତା, ଜନସାଧାରଣଙ୍କ ବୁଝାମଣା ଏବଂ ପ୍ରତିଷ୍ଠାନ ପ୍ରତି ବିଶ୍ୱାସର ଏକ ଅବିଚ୍ଛିନ୍ନ ଅଂଶରେ ପରିଣତ ହୁଏ।
ଭୋଟର ତାଲିକା ସଂଶୋଧନକୁ ନେଇ ସାମ୍ପ୍ରତିକ ବିତର୍କ ଏହି ବିଷୟଟିକୁ ଆହୁରି ସ୍ପଷ୍ଟ କରେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ଭୋଟର ତାଲିକାରେ ନାମ ସାମିଲ କରିବା ପାଇଁ ଦାବି, ପ୍ରସ୍ତାବିତ ଅନ୍ତର୍ଭୁକ୍ତ କିମ୍ବା ବାଦ ଦେବା ବିରୋଧରେ ଆପତ୍ତି, ଏବଂ ବାସସ୍ଥାନ ସଂଶୋଧନ କିମ୍ବା ସ୍ଥାନାନ୍ତର ସମ୍ପର୍କିତ ଆବେଦନ-ଏସବୁକୁ ପୃଥକ ପ୍ରକ୍ରିୟା ଓ ଶ୍ରେଣୀ ଭାବେ ବିଚାର କରାଯାଏ। ତେଣୁ, ଏହି ଭିନ୍ନ ପ୍ରକ୍ରିୟାଗତ ଶ୍ରେଣୀଗୁଡ଼ିକୁ ଏକାଠି କରି ଦେଖୁବା ପରିବର୍ତ୍ତେର୍, ପ୍ରତ୍ୟେକ ସଂଖ୍ୟାର ପ୍ରଶାସନିକ ଅର୍ଥ ଓ ପ୍ରକ୍ରିୟାଗତ ପରିପ୍ରେକ୍ଷିତକୁ ବୁଝିବା ଅଧିକ ଗୁରୁତ୍ୱପୂର୍ଣ୍ଣ।
ଞ୍ଚତେଣୁ, ଜନସାଧାରଣଙ୍କ ମନରେ ଉଠୁଥିବା ସନ୍ଦେହର ଉତ୍ତର କେବଳ ଏତିକି କହିଦେବାରେ ସୀମିତ ରହିପାରେ ନାହିଁ ଯେ ନିର୍ବାଚନ କମିଶନ ଏକ ସାମ୍ବିଧାନିକ କର୍ତ୍ତୃପକ୍ଷ। କମିଶନଙ୍କ ସାମ୍ବିଧାନିକ ସ୍ଥିତି ତାଙ୍କର ନିର୍ଦ୍ଦେଶ ଓ ନିଷ୍ପତ୍ତିିକୁ ବୈଧତା ପ୍ରଦାନ କରେ; କିନ୍ତୁ ଜନସାଧାରଣଙ୍କ ବିଶ୍ୱାସ ସେତେବେଳେ ଅଧିକ ଦୃଢ଼ ହୁଏ, ଯେତେବେଳେ ସେହି ନିର୍ଦ୍ଦେଶ ଓ ନିଷ୍ପତ୍ତିିଗୁଡ଼ିକ ସ୍ୱଚ୍ଛ ଭାବେ କାର୍ଯ୍ୟକାରୀ ହୁଏ, ସେଗୁଡ଼ିକର ଯୁକ୍ତି ଓ ପ୍ରକ୍ରିୟା ସାଧାରଣ ଲୋକଙ୍କ ପାଇଁ ବୋଧଗମ୍ୟ ହୁଏ ଏବଂ ସ୍ୱାଧୀନ ଭାବେ ଯାଞ୍ଚ କରିବାର ସୁଯୋଗ ରହେ। ଅର୍ଥାତ୍ ପ୍ରତିଷ୍ଠାନଗତ ବୈଧତା ସହିତ ସ୍ୱଚ୍ଛତା, ଜବାବଦେହିତା ଓ ବୋଧଗମ୍ୟତା ମଧ୍ୟ ଜନବିଶ୍ୱାସର ମୁଖ୍ୟ ଆଧାର। ଏହି ପରିପ୍ରେକ୍ଷିରେ, କମିଶନଙ୍କ ପାଇଁ ପ୍ରତ୍ୟେକ ସମାଲୋଚକଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ନୁହେଁ। କୌଣସି ସ୍ୱାଧୀନ ସାମ୍ବିଧାନିକ ପ୍ରତିଷ୍ଠାନ ସାର୍ବଜନୀନ ସହମତିକୁ ଲକ୍ଷ୍ୟ କରି ନିଜର ଦାୟିତ୍ୱ ପାଳନ କରିପାରେ ନାହିଁ। ତଥାପି, ଏହାର କାର୍ଯ୍ୟପଦ୍ଧତି ଓ ନିଷ୍ପତ୍ତି ପ୍ରକ୍ରିୟାକୁ ସ୍ପଷ୍ଟ ଭାବେ ବ୍ୟାଖ୍ୟା କରିବା, ପ୍ରାସଙ୍ଗିକ ସୂଚନାକୁ ସରଳ ଓ ସୁଗମ ରୂପରେ ସାର୍ବଜନୀନ କରିବା, ଏବଂ ଅସ୍ଥାୟୀ କିମ୍ବା ଡ୍ରାଫ୍ଟ ସୂଚନା, ପ୍ରଶାସନିକ ନିଷ୍ପତ୍ତି ଓ ଚୂଡ଼ାନ୍ତ ଫଳାଫଳ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ରଖିବା ତାହାର ଦାୟିତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏପରି ସ୍ୱଚ୍ଛ ଓ ସୁସଙ୍ଗତ ଯୋଗାଯୋଗ ମାଧ୍ୟମରେ ତଥ୍ୟର ଭୁଲ ବ୍ୟାଖ୍ୟାର ସମ୍ଭାବନା କମିବା ସହିତ ଜନସାଧାରଣଙ୍କ ପାଇଁ ନିର୍ବାଚନୀ ପ୍ରକ୍ରିୟାକୁ ବୁଝିବା ମଧ୍ୟ ସହଜ ହୁଏ।
ତ୍ରୁଟିର ପରିଚାଳନା କ୍ଷେତ୍ରରେ ମଧ୍ୟ ସମାନ ନୀତି ପ୍ରଯୁଜ୍ୟ। ଭାରତ ଭଳି ବିଶାଳ ଓ ଜଟିଳ ଦେଶରେ ଏକ ବ୍ୟାପକ ନିର୍ବାଚନୀ ପ୍ରକ୍ରିୟା ପରିଚାଳନା କରୁଥିବା ପ୍ରତିଷ୍ଠାନ ତ୍ରୁଟି, ବାଦ ପଡ଼ିବା ଏବଂ ବିବାଦ ଭଳି ପରିସ୍ଥିତିର ସମ୍ମୁଖୀନ ହେବା ସ୍ୱାଭାବିକ। ପ୍ରତିଷ୍ଠାନଗତ ବିଶ୍ୱସନୀୟତାର ଅର୍ଥ ଏପରି ସମସ୍ୟା କେବେ ଘଟିବ ନାହିଁ ବୋଲି ଦାବି କରିବା ନୁହେଁ; ବରଂ ଏହା ପ୍ରମାଣ କରିବା ଯେ ସ୍ପଷ୍ଟ ଓ ପ୍ରତିଷ୍ଠିତ ପ୍ରକ୍ରିୟା ମାଧ୍ୟମରେ ତ୍ରୁଟିକୁ ଚିହ୍ନଟ, ସଂଶୋଧନ ଏବଂ ତାହା ପାଇଁ ଜବାବଦେହିତା ନିର୍ଦ୍ଧାରଣ କରାଯାଇପାରେ। ଏଠାରେ ଏକ ବ୍ୟାପକ ସାମ୍ବିଧାନିକ ଶିକ୍ଷା ନିହିତ ଅଛି। ପ୍ରତିଷ୍ଠାନଗୁଡ଼ିକ ସ୍ୱଚ୍ଛତା ଓ ଜବାବଦେହିତା ସହିତ ନିଜର କର୍ତ୍ତୃତ୍ୱ ପ୍ରୟୋଗ କଲେ ସେମାନଙ୍କର ବିଶ୍ୱସନୀୟତା ଆହୁରି ଦୃଢ଼ ହୁଏ। ସ୍ୱାଧୀନତା ବଜାୟ ରଖିବା ପାଇଁ ନିର୍ବାଚନ କମିଶନଙ୍କୁ ଯାଞ୍ଚ କିମ୍ବା ପ୍ରଶ୍ନରୁ ଦୂରେଇ ରହିବାର ଆବଶ୍ୟକତା ନାହିଁ। ବରଂ, ପୂର୍ବାନୁମାନଯୋଗ୍ୟ ପ୍ରକ୍ରିୟା, ସୁଗମ ଓ ସ୍ପଷ୍ଟ ସୂଚନା, ଏବଂ ଯୁକ୍ତିସଙ୍ଗତ ବ୍ୟାଖ୍ୟା ଏହାର ସ୍ୱାଧୀନତାକୁ ଆହୁରି ବିଶ୍ୱସନୀୟ ଓ ପ୍ରତିଷ୍ଠିତ କରିପାରେ।
ତେଣୁ ନିର୍ବାଚନ ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ କୌଣସି ପ୍ରତିଷ୍ଠାନ ଉପରେ ପ୍ରଶ୍ନହୀନ କିମ୍ବା ଅନ୍ଧ ବିଶ୍ୱାସ ଭାବେ ବୁଝିବା ଉଚିତ୍ ନୁହେଁ। ବରଂ, ଏହା ଏକ ଏପରି ଯୁକ୍ତିସଙ୍ଗତ ଆତ୍ମବିଶ୍ୱାସ, ଯେ ପ୍ରତିଷ୍ଠାନର ନିଜ ଦାୟିତ୍ୱ ପାଳନ କରିବାର ବୈଧ କ୍ଷମତା ରହିଛି, ତ୍ରୁଟି ଚିହ୍ନଟ ଓ ସଂଶୋଧନ ପାଇଁ ପ୍ରତିଷ୍ଠିତ ପ୍ରକ୍ରିୟା ରହିଛି, ଏବଂ ନିଜର ନିଷ୍ପତ୍ତି ଓ କାର୍ଯ୍ୟପଦ୍ଧତିକୁ ସ୍ପଷ୍ଟ ଭାବେ ବ୍ୟାଖ୍ୟା ଓ ସାର୍ବଜନୀନ ଯାଞ୍ଚ ପାଇଁ ଉପଲବ୍ଧ କରାଇବାରେ ଏହା ପ୍ରସ୍ତୁତ। ଏହି ଅର୍ଥରେ, ଜନବିଶ୍ୱାସ ଅନ୍ଧ ସମର୍ଥନ ଉପରେ ନୁହେଁ, ବରଂ ସ୍ୱଚ୍ଛତା, ଜବାବଦେହିତା ଓ ପ୍ରତିଷ୍ଠାନଗତ ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ଆଧାରିତ।
ହାଦିଆ ପରବିନ୍ – ଇସଲାମିକ୍ ସ୍କଲାର୍


