January 17, 2025

ଓଡ଼ିଶାରେ ନୂଆବର୍ଷରୁ ଶୀତ ବଢ଼ିବାର ସମ୍ଭାବନା

1 min read

ଭୁବନେଶ୍ବର: ଓଡ଼ିଶାରେ ନୂଆବର୍ଷରୁ ଶୀତ ବଢ଼ିବାର ସମ୍ଭାବନା ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାନୁଆରି ୫ ଯାଏଁ ରାଜ୍ୟରେ ଶୁଖିଲା ପାଗ ଓଡ଼ିଶାରେ ଏବେ ବର୍ଷା କମିଥିବାବେଳେ ପାଗ ଶୁଖିଲା ରହିଛି। ତେବେ ନୂଆବର୍ଷରୁ ରାଜ୍ୟରେ ତାପମାତ୍ରା କମି ପୁଣି ଶୀତ ବଢ଼ିବାର ସମ୍ଭାବନା ରହିଛି। ଏହାସହ ବିଭିନ୍ନ ଜିଲ୍ଲାରେ ସକାଳେ ଘନ କୁହୁଡ଼ି ହେବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଘନ କୁହୁଡ଼ି ନେଇ ୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି। ମଙ୍ଗଳବାର ଯାଏଁ ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ସେହିପରି ଏବେ ରାଜ୍ୟରେ ଜାନୁଆରି ୫ ଯାଏଁ ପାଗ ଶୁଖିଲା ରହିବା ନେଇ ଆକଳନ କରାଯାଇଛି। ନୂଆବର୍ଷରୁ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅନ୍ୟପଟେ ଏବେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବେଶ କରୁଛି। ଏହା ପ୍ରଭାବରେ ରାଜ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ କମି ପୁଣି ପ୍ରବଳ ଶୀତ ପଡ଼ିବାର ସମ୍ଭାବନା ରହିଛି।