July 27, 2024

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ

1 min read

VVPAT Election voting

ଭୁବନେଶ୍ୱର: ଓଡ଼ିଶାରେ ମେ’ ୨୫ ତାରିଖ ଶନିବାର ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅଧିନସ୍ଥ ୪୨ଟି ବିଧାନସଭା କ୍ଷେତ୍ରରେ ମତାଧିକାର ସାବ୍ୟସ୍ତ କରିବେ ଭୋଟର। ଏଥିରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ସାମିଲ ଅଛି। ଏଠାରେ ମୋଟ ୯୪ ଲକ୍ଷ ୪୮ ହଜାର ଜଣ ମତଦାତା ଭୋଟ୍ ଦେବ। ଏନେଇ ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ପାଇଁ ଓଡ଼ିଶାରେ ୧୦,୫୫୧ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୨୦୦୦ଟି ଆଦର୍ଶ ମତଦାନ କେନ୍ଦ୍ର ରହିବ। ଏହାସହ ୧୫୦୦ଟି ବୁଥକୁ ସମ୍ପୂର୍ଣ୍ଣ ଭାବେ ମହିଳା ଏବଂ ୩୦ଟି ବୁଥକୁ ଭିନ୍ନକ୍ଷମ କର୍ମଚାରୀମାନେ ପରିଚାଳନା କରିବେ। ଏହି ପର୍ଯ୍ୟାୟରେ ପ୍ରାୟ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ତେବେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ପାଇଁ ମୋଟ ୬୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଏବଂ ୯ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ସେହିପରି ୪୨ଟି ବିଧାନସଭା ଆସନ ପାଇଁ ମୋଟ ୩୮୩ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୩୩୯ ଜଣ ପୁରୁଷ ଏବଂ ୪୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଅନ୍ୟପଟେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ମୋଟ ମତଦାତାଙ୍କ ମଧ୍ୟରୁ ୪୮ ଲକ୍ଷ ୩୦ ହଜାର ଜଣ ପୁରୁଷ, ୪୬ ଲକ୍ଷ ୧୮ ହଜାର ଜଣ ମହିଳା ଓ ୧୨୯୧ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି।

ଅନ୍ୟପଟେ ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ତେବେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭୋଟ୍ ଗ୍ରହଣ ହେଉଥିବା ଜିଲ୍ଲାଗୁଡ଼ିକରେ ୧୨୧ କମ୍ପାନି ସିଏପିଏଫ୍ ଫୋର୍ସ ନିୟୋଜିତ ହେବେ। ସେଥିରୁ ସମ୍ବଲପୁରରେ ୧୨, ଦେବଗଡ଼ରେ ୨, ଅନୁଗୁଳରେ ୧୨, ଢେଙ୍କାନାଳରେ ୮, ମୟୂରଭଞ୍ଜରେ ୨, କେନ୍ଦୁଝରରେ ୧୭, କଟକ ଗ୍ରାମାଞ୍ଚଳରେ ୧୧, କଟକ ସହରାଞ୍ଚଳରେ ୮, ଭୁବନେଶ୍ୱରରେ ୧୩, ଖୋର୍ଦ୍ଧାରେ ୧୧, ପୁରୀରେ ୧୧ ଏବଂ ନୟାଗଡ଼ରେ ୧୪ କମ୍ପାନି କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ।

Leave a Reply

Your email address will not be published. Required fields are marked *