September 17, 2026

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି

1 min read

ଦିଗପହଣ୍ଡି,୧୭।୯: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଘର ବାରିପଟ ମାଟିତଳୁ ଗୁରୁବାର ଭୋରରୁ ପ୍ରାୟ ୪ ଇଞ୍ଚ ଲମ୍ବା ବିଶିଷ୍ଟ ସୁନା ନିର୍ମିତ ମା ‘ କାଳୀଙ୍କ ମୂର୍ତ୍ତି ମିଳିଥିବା ଜଣାପଡିଛି । ଖବର ବିଜୁଳି ବେଗରେ ପ୍ରଚାରିତ ହେବା ପରେ ବଜାପଲ୍ଲୀ ଏବଂ ଆଖପାଖ ଗାଁର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଯୁଧିଷ୍ଠିରଙ୍କ ଘର ସମ୍ମୁଖରେ ପହଞ୍ଚି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।

ବୁଧବାର ଯୁଧିଷ୍ଠିରଙ୍କ ଝିଅ ବି.କାମିନୀ ରେଡ୍ଡୀ ଗାଧୋଉଥିବା ବେଳେ ନିକଟରେ ଥିବା ମଇଳା ପାଣି କୁଣ୍ଡରେ ତାଙ୍କ ସୁନା ମଙ୍ଗଳସୂତ୍ରଟି ପଡିଯାଇଥିଲା। କାମିନୀ ଘରେ ପହଞ୍ଚି ବାପାଙ୍କୁ କହିବାରୁ ସେ ସେଠାରେ ପହଁଚି କୁଣ୍ଡ ନିକଟରୁ ମାଟି ଖୋଳି ମଙ୍ଗଳସୂତ୍ରକୁ ପାଇଥିଲେ । ପରିବାର ଲୋକେ ରାତ୍ରି ଭୋଜନ ସାରି ଶୋଇଥିବା ବେଳେ ରାତି ପ୍ରାୟ ୧ ଟାରେ ଝିଅ କାମିନୀଙ୍କୁ ମା ‘ କାଳୀ ସ୍ବପ୍ନରେ ଦେଖାଦେଇ ତୋର ସୁନା ମାଳି ତୁ ପାଇଗଲୁ । ମୁଁ ସେହି ମାଟି ତଳେ ପୋତି ହୋଇ ରହିଛି । ମୋତେ ସେଠାରୁ ଉଦ୍ଧାର କରି ପୂଜାର୍ଚ୍ଚନା ପାଇଁ ସ୍ଵପ୍ନାଦେଶ ହୋଇଥିଲା।

ପରେ ମା ‘ କାଳୀ ତାଙ୍କ ଦେହରେ ଆବିର୍ଭୁତ ହେବାରୁ ସେ ଅସ୍ବାଭାବିକ ଆଚରଣ ଦେଖାଇଥିଲେ । ପାଖରେ ଶୋଇଥିବା ବାପା ଯୁଧିଷ୍ଠିରଙ୍କ ବେକରେ କାମିନୀ ଗୋଡ଼ ପକାଇ ଚୁଟିକୁ ମୁକୁଳା କରି ଝୁଲିଥିଲେ । ପରିବାରର ଅନ୍ୟମାନେ ନିଦରୁ ଉଠି କାମିନୀଙ୍କ ଭୟଙ୍କର ରୂପ ଓ ଆଚରଣକୁ ଦେଖି ଭୟଭୀତ ହୋଇଥିଲେ । ପରେ କାମିନୀ ଘର ଭିତରେ ଉଦଣ୍ଡ ନୃତ୍ୟ କରି ସ୍ୱପ୍ନାଦେଶରେ ଦେଖିଥିବା ସବୁ କଥା ବଖାଣିଥିଲେ।

ଯୁଧିଷ୍ଠିର ଓ ତାଙ୍କ ସ୍ତ୍ରୀ ସୁଲଭ ସାହି ପଡୋଶୀଙ୍କୁ ଉଠାଇ ସବୁ କଥା ଜଣାଇଥିଲେ । ଭୋର ହେବା ପରେ ଯୁଧିଷ୍ଠିର ଓ ପରିବାର ଲୋକେ ଘର ବାରିପଟକୁ ଯାଇ ନିର୍ଦ୍ଧାରିତ ସ୍ଥାନରେ ମାଟି ଖୋଳିବା ପରେ ମା ‘ କାଳୀଙ୍କ ମୂର୍ତ୍ତି ମିଳିଥିଲା। ଉକ୍ତ ମା’ କାଳୀଙ୍କ ମୂର୍ତ୍ତିକୁ ଚୁଆ, ଚନ୍ଦନ, ଅଗୁର, କୁଙ୍କୁମ, ହଳଦୀ ପାଣିରେ ଗାଧୋଇ ଫୁଲ ଚନ୍ଦନ ଧୂପ ଦୀପନୈବେଦ୍ୟ ପୂର୍ବକ ପୂଜାର୍ଚ୍ଚନା କରିଥିଲେ ।