July 27, 2024

ଭୁବନେଶ୍ୱରର ଭୋଟ ଗଣିତ

1 min read

ଭୁବନେଶ୍ୱର: ଭୁବନେଶ୍ୱରଲୋକସଭା ଆସନ ଅଧୀନରେ ରହିଛି ୭ଟି ବିଧାନସଭା କ୍ଷେତ୍ର। ଏକାମ୍ର ଭୁବନେଶ୍ୱର, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଜୟଦେବ, ଜଟଣୀ, ବେଗୁନିଆ ଏବଂ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀକୁ ନେଇ ଗଠିତ ଏହି ଲୋକସଭା ଆସନ। ୨୦୧୯ରେ ୬ଟି ଆସନ ବିଜେଡି ଖାତାକୁ ଯାଇଥିଲା। କେବଳ ଜଟଣୀ ଆସନରେ କଂଗ୍ରେସ ନେତା ସୁରେଶ ରାଉତରାୟ ଜିତିଥିଲେ। ଏଥର ବିଜେଡି ଓ ବିଜେପି ଏହି ଆସନଗୁଡ଼ିକୁ ଦଖଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ କେତେକ ଆସନରେ ପ୍ରାର୍ଥୀ ଅଦଳ ବଦଳ କରିଛନ୍ତି ଉଭୟ ଦଳ।

ଭୁବନେଶ୍ୱରର ତିନୋଟି ଯାକ ଆସନରେ ବିଜେଡି ପ୍ରାର୍ଥୀ ବଦଳାଇ ନାହିଁ। ପୁରୁଣା ମୁହଁକୁ ପୁଣିଥରେ ଟିକେଟ ଦେଇଛି। ବିଜେପି ଦୁଇଟି ଆସନରେ ପୁରୁଣା ପ୍ରାର୍ଥୀ ଦେଇଥିବା ବେଳେ ଭୁବନେଶ୍ୱର ଉତ୍ତର ଆସନରେ ପ୍ରାର୍ଥୀ ବଦଳାଇଛି। ଏଠାରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପ୍ରିୟଦର୍ଶି ମିଶ୍ରଙ୍କୁ ଟିକେଟ ଦେଇଛି ବିଜେପି। ସେହିପରି ଜୟଦେବ ଆସନରେ ୨୦୧୯ରେ ବିଜୟୀ ହୋଇଥିବା ଅରବିନ୍ଦ ଢାଲି ଏଥର ବିଜେପିରେ ଯୋଗ ଦେଇ ଟିକେଟ ନେଇଛନ୍ତି। ବିଜେଡି ସେଠି ନୂଆ ମୁହଁକୁ ପ୍ରାର୍ଥୀ କରିଛି।

ସେହିପରି ଖୋର୍ଦ୍ଧାରେ ବିଜେପି ଓ ବିଜେଡି ପ୍ରାର୍ଥୀ ବଦଳାଇଛନ୍ତି। ୨୦୧୯ରେ ବେଗୁନିଆ ଆସନରୁ ଜିତିଥିବା ରାଜେନ୍ଦ୍ର ସାହୁଙ୍କୁ ବିଜେଡି ଖୋର୍ଦ୍ଧାରେ ପ୍ରାର୍ଥୀ କରିଛି। ସେହିପରି ବିଜେପି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ ଦେଇଛି। ପ୍ରଶାନ୍ତ ଆଗରୁ ବିଜେଡି ଟିକେଟରେ ବେଗୁନିଆ ଓ ଚିଲିକା ବିଧାନସଭା ଆସନରୁ ଲଢ଼ି ବିଧାୟକ ହୋଇଥିଲେ। ଏଥର ଖୋର୍ଦ୍ଧାରେ ପ୍ରଶାନ୍ତ ଓ ରାଜେନ୍ଦ୍ରଙ୍କ ଭିତରେ ବଡ଼ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି।

ବେଗୁନିଆରେ ବିଜେଡି ଓ ବିଜେପି ପ୍ରାର୍ଥୀ ବଦଳାଇଛନ୍ତି। ବିଜେଡି ପ୍ରଦୀପ ସାହୁ ଏବଂ ବିଜେପି ପ୍ରକାଶଚନ୍ଦ୍ର ରଣବିଜୁଳିଙ୍କ ଟିକେଟ ଦେଇଛି। ସେହିପରି କଂଗ୍ରେସ ମଧ୍ୟ ବିଭିନ୍ନ ଆସନରେ ପ୍ରାର୍ଥୀ ବଦଳାଇ ଭୋଟ ନେବାକୁ ଅଙ୍କ କଷୁଛି। ବିଧାନସଭା ଫଳାଫଳ ଉପରେ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଥିବାରୁ ତୃଣମୂଳ ସ୍ତରରେ ପ୍ରଚାର ମଇଦାନ କମ୍ପୁଛି।

ମେ’ ୨୫ ତାରିଖରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଭୋଟଗ୍ରହଣ ହେବ। ପୁଣି କାହାକୁ ୫ ବର୍ଷ ପାଇଁ ନିଜର ପ୍ରତିନିଧି ବାଛି ଦିଲ୍ଲୀ ପଠାଇବେ ଭୁବନେଶ୍ୱର ଭୋଟର ତାହା ଉପରେ ଏବେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *