October 22, 2024

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ

1 min read

ବାଲେଶ୍ଵର: ବାଲେଶ୍ଵର ସହରରେ ଲାଗିଥିବା କର୍ଫ୍ୟୁ କୋହଳ ହୋଇଛି। ସୋମବାରଠାରୁ ବାଲେଲେଶ୍ଵର ପୌରାଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ସହ ଇଣ୍ଟରନେଟ ସୁବିଧା ମିଳିବ। ବାଲେଶ୍ଵର ସହରର ସୁନହାଟ ଅଞ୍ଚଳରେ ଜୁନ ୧୭ ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ସହରରେ କର୍ଫ୍ୟୁ ଜାରି କରାଯାଇଥିଲା। ଏପରିକି ସମ୍ବେଦନଶୀଳ ଅଞ୍ଚଳରଗୁଡ଼ିକରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା।

ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସୁଥିବାରୁ ଏହାକୁ ଦେଖି କର୍ଫ୍ୟୁ କୋହଳ କରାଯାଇଛି। ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ। ସେହିପରି ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ। ତେବେ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଡ୍ରୋନ ଯୋଗେ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଏଥିସହ ସାମାଜିକ ଗଣମାଧ୍ୟମରେ ଆସୁଥିବା ଗୁଜବ ଓ ମିଥ୍ୟା ଖବର ଉପରେ ନଜର ରଖାଯାଇ ସାଇବର ପାଟ୍ରୋଲିଂ ଆରମ୍ଭ ହୋଇଛି। ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ଲୋକଙ୍କ ସହଯୋଗ ଲୋଡ଼ିଛି।ଏହି ଘଟଣାରେ ମୋଟ ୨୯ଟି ମାମଲା ରୁଜୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮୯ ଜଣଙ୍କୁ ଗିରଫ କରାଯାଇଛି। ଗୁଜବ ସୃଷ୍ଟି କରିଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କ’ଣ ଥିଲା ପୂରା ଘଟଣା?

ଜୁନ ୧୭ ତାରିଖ ଅପରାହ୍ଣରେ ବାଲେଶ୍ଵରର ସୁନହାଟ ଅଞ୍ଚଳରେ ରାସ୍ତା କଡ଼ ଡ୍ରେନରେ ପ୍ରବଳ ରକ୍ତ ବୋହି ଯାଉଥିଲା। ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସେମାନେ ପୋଲିସକୁ ଖବର ଦେଇଥିଲେ। ରକ୍ତ ଛଡ଼ାଯାଉଥିବା ସ୍ଥାନକୁ ପୋଲିସ ଓ ଅନ୍ୟ ଲୋକମାନେ ଯେଉଁଠାରୁ ଯିବାରୁ ସେଠାକାର ଲୋକେ ଏକାଠି ହୋଇ ଏହାର ବିରୋଧ କରିଥିଲେ। ଏହାପରେ ସେମାନେ ପୋଲିସ ଓ ଅଭିଯୋଗକାରୀଙ୍କ ଉପରକୁ ପଥର ଏବଂ କାଚ ବୋତଲ ଫିଙ୍ଗିଥିଲେ।

ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ, ପ୍ରତିଆକ୍ରମଣ କରିବା ଯୋଗୁଁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ। ସେହି ସମୟରେ ଅଭିଯୁକ୍ତମାନେ ରାସ୍ତାରେ ଯାଉଥିବା ବାଇକ୍ ଓ ଚାରିଚକିଆ ଯାନକୁ ଅଟକାଇ ଲୋକଙ୍କୁ ଆକ୍ରମଣ କରିଥିଲେ। ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆକମଣରୁ ବର୍ତ୍ତି ନଥିଲେ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଲେଶ୍ଵର ଏସପି ସାଗରିକା ନାଥଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ଏହି ହିଂସାକୁ ଶାନ୍ତ କରିବା ପାଇଁ ଉଦ୍ୟମ କରାଯାଇଥିଲା। ସମଗ୍ର ଅଞ୍ଚଳରେ ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବାସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୧୪୪ ଧାରା ଲାଗୁ କରାଯାଇଥିଲା।

ତେବେ ପୋଲିସର ବନ୍ଦୋବସ୍ତ ସତ୍ତ୍ୱେ ସେହିଦିନ ବିଳମ୍ବିତ ରାତିରେ ବାଲେଶ୍ଵରର ଗୋଳାପୋଖରୀ, ମୋତିଗଞ୍ଜ, ସିନେମା ଛକ ଅଞ୍ଚଳକୁ ସଂଘର୍ଷ ବ୍ୟାପିଥିଲା। ଗଣ୍ଡ‌ଗୋଳକାରୀମାନେ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ପଥର ମାଡ଼ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ସହରବ୍ୟାପି କର୍ଫ୍ୟୁ ଜାରି କରାଯିବା ସହ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଥିଲା। ଏହା ସହ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *