ଶ୍ରୀଲଙ୍କାରେ ଏ ଦଳକୁ ନେଇ ଚାଲିଥିବା ତ୍ରିରାଷ୍ଟୀୟ ଦିନିକିଆ
1 min read
କଲମ୍ବୋ: ଶ୍ରୀଲଙ୍କାରେ ଏ ଦଳକୁ ନେଇ ଚାଲିଥିବା ତ୍ରିରାଷ୍ଟୀୟ ଦିନିକିଆ ଶୃଙ୍ଖଳାର ସୋମବାର ଭାରତୀୟ ଏ ଦଳର ଓପନର ବୈଭବ ସୂର୍ଯ୍ୟବଂଶୀ ଓ ଶ୍ରୀଲଙ୍କା ଖେଳାଳିଙ୍କ ମଧ୍ୟରେ ପଡ଼ିଆରେ ଅପ୍ରିତିକର ଦୃଶ୍ୟ ଦେଖିବାକୁ ମିଳିଥିଲା। ଶ୍ରୀଲଙ୍କା ଖେଳାଳି ଭାରତୀୟ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏଥିରେ ରାଗିଯାଇ ବୈଭବ ଶ୍ରୀଲଙ୍କା ଖେଳାଳିଙ୍କୁ ଧକ୍କା ମାରିଥିଲେ। ଶ୍ରୀଲଙ୍କା ଖେଳାଳିଙ୍କୁ ଧକ୍କା ମାରିବା ନେଇ ବୈଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ଆଶା କରା ଯାଉଥିଲା। ରିପୋର୍ଟ ମୁତାବକ ତାଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ। ଯାହା ଭାରତୀୟ ଏ ଦଳକୁ ଆଶ୍ବସ୍ତି କରିଛି। ଅନ୍ୟପକ୍ଷରେ ବିସିସିଆଇ ପକ୍ଷରୁ ମଧ୍ୟ ବୈଭବଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ମଙ୍ଗଳବାର ସ୍ପଷ୍ଟ କରାଯାଇଛି। ରିପୋର୍ଟ ମୁତାବକ ସୋମବାର ଦାମ୍ବୁଲାରେ ଖେଳାଯାଇଥିବା ମ୍ୟାଚ ଆରମ୍ଭରୁ ଶ୍ରୀଲଙ୍କା ଖେଳାଳିମାନେ ବୈଭବଙ୍କୁ ବାରମ୍ବାର ଚିଡାଇଥିଲେ। ଏପରିକି ବୈଭବ ଆଉଟ୍ ହୋଇ ଫେରିବା ପରେ ଶ୍ରୀଲଙ୍କା ଖେଳାଳି ଏହା ଆଇପିଏଲ ନୁହେଁ; ଘରକୁ ଫେରିଯାଅ କହି କଟାକ୍ଷ କରିଥିଲେ। ଜବାବରେ ବୈଭବ ଶ୍ରୀଲଙ୍କା ଖେଳାଳିଙ୍କୁ ଧକ୍କା ମାରିଥିଲେ। ମ୍ୟାଚ ପରେ ଶ୍ରୀଲଙ୍କାର କିଛି ଖେଳାଳି ଫୋନରେ ବୈଭବଙ୍କୁ ଘଟଣା ନେଇ ପରୋକ୍ଷରେ କ୍ଷମା ପ୍ରାର୍ଥନା କରିଥିଲେ। ଉକ୍ତ ମ୍ୟାଚରେ ଭାରତ ଏ ସୁପର୍ ଓଭରରେ ଶ୍ରୀଲଙ୍କା ଏ ନିକଟରୁ ପରାଜିତ ହୋଇଥିଲା।


