February 13, 2025

ରାଜ୍ୟର ପ୍ରତିଯୋଗୀଙ୍କ ସଫଳତା ବିକଶିତ ଓଡ଼ିଶାକୁ ପ୍ରତିଫଳିତ କରିବ

1 min read

ଭୁବନେଶ୍ୱର: ଫ୍ରାନ୍ସର ଲିଓନ୍‌ଠାରେ ଅନୁଷ୍ଠିତ ହେବାକୁ ଥିବା ୪୭ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ଓଡ଼ିଶାର ପ୍ରତିଯୋଗୀମାନଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଶୁକ୍ରବାର ଲୋକସେବା ଭବନରୁ ଭିଡିଓ କନଫରେନ୍ସ ଜରିଆରେ ପ୍ରତିଯୋଗୀମାନଙ୍କ ସହ କଥା ହୋଇଥିଲେ। ଏହି ଅବସରରେ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ। “ସ୍କିଲ୍‌ଡ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆମ ଯୁବବର୍ଗଙ୍କୁ ସଶକ୍ତ କରୁଛି। ସେମାନଙ୍କ ପାଇଁ ନୂଆ ସୁଯୋଗର ଦ୍ୱାର ଖୋଲି ବିଶ୍ୱ ମାନଚିତ୍ରରେ ସ୍ଥାନିତ କରୁଛି। ବିଶ୍ୱ ଦକ୍ଷତା ପ୍ରତିଯୋଗିତା ଅନ୍ତର୍ଜାତୀୟ ସ୍ତରରେ ନିଜ ପ୍ରତିଭା ଦେଖାଇବା ପାଇଁ ଏକ ବଡ଼ ସୁଯୋଗ। ଏଥିରେ ଭାରତର ୬୦ ଜଣ ପ୍ରତିଯୋଗୀ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ସେଥିରୁ ୧୫ଜଣ ମନୋନୀତ ହେବା ଆମ ସମସ୍ତଙ୍କ ପାଇଁ ଖୁସିର କଥା। ସେମାନେ ସଫଳତା ହାସଲ କରି ରାଜ୍ୟକୁ ଗୌରବାନ୍ଵିତ କରିବେ ବୋଲି ମୋର ବିଶ୍ଵାସ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏଠାରେ ଓଡ଼ିଶାର ୧୫ ଜଣିଆ ପ୍ରତିଯୋଗୀଙ୍କ ମଧ୍ୟରୁ ବରୁଣ ସାହୁ, ରାଜେନ୍ଦ୍ର ବିନ୍ଧାଣୀ, କାମିନୀ କୁମାରୀ ରାମ, ଦିଶା ଦର୍ଶିନୀ ଏବଂ ଅମରେଶ ସାହୁଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଏହି ଅବସରରେ ରାଜ୍ୟ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ପାଇଁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଏନ୍ ବି ଏସ୍ ରାଜପୁତ୍ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଫ୍ରାନ୍ସର ଲିଓନ୍‌ ସହରରେ ସେପ୍ଟେମ୍ବର ୧୦ରୁ ୧୫ ତାରିଖ ଯାଏଁ ୪୭ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୭୦ଟି ଦେଶର ୧୪୦୦ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ଟ୍ରେଡରେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ଭାରତରୁ ୬୦ ଜଣ ପ୍ରତିଯୋଗୀ ୫୨ଟି ଟ୍ରେଡରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୧୫ ଜଣ ପ୍ରତିଯୋଗୀ ରହିଛନ୍ତି।

Leave a Reply

Your email address will not be published. Required fields are marked *