ବାଲିଯାତ୍ରା ଉତ୍ସବରେ ଯୋଗଦେଇଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
1 min read
କଟକ, ୨୪।୧୧: ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାମୁଦ୍ରିକ ଐତିହ୍ୟର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା ଉତ୍ସବରେ ଯୋଗଦେଇଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ମହାନଦୀର ବକ୍ଷରେ ଏକ ସୁସଜ୍ଜିତ ପାରମ୍ପରିକ ବୋଇତରେ ଯାତ୍ରା କରିଥିଲେ। ରାଷ୍ଟ୍ରପତିଙ୍କ ଏହି ନିଆରା ଜଳଯାତ୍ରା ବାଲିଯାତ୍ରା ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା।
ସିଲଭର ସିଟି ବୋଟ୍ କ୍ଲବରୁ ରାଷ୍ଟ୍ରପତି ସ୍ୱତନ୍ତ୍ର ଭାବେ ସଜ୍ଜିତ ‘କଳିଙ୍ଗ ତରଙ୍ଗିଣୀ’ ବୋଇତରେ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ସୁରକ୍ଷା ଓ ସହଯାତ୍ରା ପାଇଁ ଭାରତୀୟ ନୌସେନାର ଏକ ଜାହାଜ ସମେତ ମୋଟ ୭ଟି ବୋଇତ ଏହି ଯାତ୍ରାରେ ସାମିଲ ହୋଇଥିଲା। ମହାନଦୀରେ ଏହି ଜଳଯାତ୍ରା ପରେ ରାଷ୍ଟ୍ରପତି ଗଡ଼ଗଡ଼ିଆ ଘାଟରେ ପହଞ୍ଚିଥିଲେ।
ସେଠାରେ ପାରମ୍ପରିକ ବୋଇତ ବନ୍ଦାଣ ରୀତିନୀତି ପରେ ରାଷ୍ଟ୍ରପତି ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଉତ୍ସବରେ ଯୋଗଦେଇଥିଲେ। ଗଣକବି ବୈଷ୍ଣବ ପାଣି ମଞ୍ଚରେ ସେ ଐତିହାସିକ ବାଲିଯାତ୍ରାର ଉଦ୍ଘାଟନ କରିଥିଲେ।
ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ କଟକ ସହରରେ ବ୍ୟାପକ ଉତ୍ସାହ ପ୍ରକାଶ ପାଇଥିଲା। ତାଙ୍କ ଆଗମନ ଓ ବାଲିଯାତ୍ରା ଉଦ୍ଘାଟନ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।
ଓଡ଼ିଆ ସାଧବ ପୁଅଙ୍କ ସମୁଦ୍ରଯାତ୍ରା ଓ ପ୍ରାଚୀନ କଳିଙ୍ଗର ବିଦେଶ ସହ ବାଣିଜ୍ୟିକ ସମ୍ପର୍କର ସ୍ମୃତି ବହନ କରୁଥିବା ବାଲିଯାତ୍ରାରେ ରାଷ୍ଟ୍ରପତିଙ୍କ ଯୋଗଦାନ ଉତ୍ସବକୁ ଅଧିକ ଗୌରବମୟ କରିଛି।


