June 7, 2026

ବାଲିଗୁଡ଼ାରେ କୋଟିକୋଟି ଟଙ୍କାର ସମ୍ପତ୍ତି ଠାବ

1 min read

ଫୁଲବାଣୀ: ନାମ ବୈକୁଣ୍ଠ। କାମ ହେଲା ଆଦିବାସୀଙ୍କ ବିକାଶ ପାଇଁ ଆସୁଥିବା ଟଙ୍କା ଲୁଟ୍‌ କରିବା। ଆଦିବାସୀଙ୍କର ଟଙ୍କାରେ ଭୁବନେଶ୍ବର, ଯାଜପୁର, ବାରିପଦା ଏବଂ ବାଲିଗୁଡ଼ାରେ କୋଟିକୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ବିଷୟରେ ଆମେ କହୁଛୁ। ବୈକୁଣ୍ଠ ବେହେରାଙ୍କ ସମ୍ପତ୍ତି ଥିବା ୯ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଆଜି ସକାଳ ଠାରୁ ଚଢ଼ାଉ କରିଛି। ତାଙ୍କର ୫ଟି ବହୁତଳ କୋଠା ଏବଂ ୧୩ଟି ପ୍ଲଟ୍‌ ଭିଜିଲାନ୍ସ ବିଭାଗକୁ ଯେତିକି ଆଶ୍ଚର୍ଯ୍ୟ କରି ନଥିଲା ବ୍ୟାଙ୍କ ଲକ୍‌ରୁ ୨ କୋଟି ଟଙ୍କା ଠାବ କରାଯିବା ସେତିକି ଚକିତ କରିଥିଲା। ବ୍ୟାଙ୍କ କର୍ମଚାରୀମାନେ ଟଙ୍କା ଗଣିଗଣି ହାଲିଆ ହୋଇଯାଇଥିଲେ।
୧୯୯୯ରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ ବୈକୁଣ୍ଠ। ନବରଂଗପୁର ବ୍ଲକ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିଲା ଚାକିରି ଜୀବନ। ସେଠାରେ ୨ ବର୍ଷ ରହିଲା ପରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)କୁ ଯାଇଥିଲେ। ମୟୂରଭଂଜ ଜିଲ୍ଲା ଉଦଳାରେ ହୋଇଥିଲା ପୋଷ୍ଟିଂ। ଏହା ଥିଲା ୨୦୦୧ର ଘଟଣା। ୨୦୦୭ରେ ପୁଣି ନବରଂଗପୁରକୁ ଯିବାକୁ ମିଳିଲା ସୁଯୋଗ। କୋଷାଗୁମୁଡ଼ା, ଡାବୁଗାଁ ଏବଂ ଆଇଟିଏଏର ଦାୟିତ୍ବ ଗ୍ରହଣ କଲେ ବୈକୁଣ୍ଠ। ୨୦୧୬ରେ ସହକାରୀ ଯନ୍ତ୍ରୀ ଭାବେ ନବରଂଗପୁର ଆଇଟିଡିଏରେ ଯୋଗଦେଇ‌ଥିଲେ, ଯେଉଁଠି ସେ ୨୦୨୨ ପର୍ଯ୍ୟନ୍ତ କାମ କରିଥିଲେ। ଗତ ତିନି ମାସ ପୂର୍ବରୁ ବୈକୁଣ୍ଠଙ୍କର ପଦୋନ୍ନତି ହୋଇଥିଲା ଏବଂ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।