November 5, 2026

NAAC ମାନ୍ୟତା ନବୀକରଣ ପାଇଁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଚିଠି

1 min read

ଭୁବନେଶ୍ୱର: ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ହୋଇନାହିଁ । ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ମାନ୍ୟତା ନବୀକରଣ ପାଇଁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି ଲେଖାଯାଇଛି । ଏହି ତାଲିକାରେ ରହିଛି ଓଡ଼ିଆ ବିଶ୍ୱବିଦ୍ୟାଳୟ, ମାଆ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଯଥାଶୀଘ୍ର NAAC ମାନ୍ୟତା ନବୀକରଣ କରିବାକୁ କୁହାଯାଇଛି । ଏହି ପ୍ରକ୍ରିୟାରେ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ।
ଏଥିସହ UGC ସହ ମଧ୍ୟ ଯୋଗାଯୋଗରେ ରହିଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି । ଏବେ ୧୪୦୦ରୁ ଅଧିକ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକ ପଦ ପୂରଣ ପାଇଁ ସାକ୍ଷାତକାର ଚାଲିଛି । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ମଧ୍ୟ ସାକ୍ଷାତକାର ପ୍ରକ୍ରିୟା ଶେଷ ହୋଇଛି। ଏନ୍‌ଆଇଆର୍‌ଏଫ୍‌ ରାଙ୍କିଂ ସମେତ ଅନ୍ୟ ଜାତୀୟ ରାଙ୍କିଂରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଭଲ ସ୍ଥାନ ହାସଲ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।