February 13, 2025

ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଲେ ରାଜ୍ଯ ସରକାର

1 min read

ଭୁବନେଶ୍ୱର: ବିଭିନ୍ନ ଭାଗରୁ ହଟିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ। ତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଲେ ରାଜ୍ଯ ସରକାର।

ବିଷ୍ଣୁପଦ ସେଠୀ ରାଜ୍ୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଭଳି ୩ଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତ ଥିଲେ।

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସଞ୍ଜୀବ ମିଶ୍ରଙ୍କୁ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର। ଏହାସହ ଆଇଏଏସ୍ ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି।

ଟେଣ୍ଡର ଫିକ୍ସିଂ ଓ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଯୋଡ଼ି ହୋଇଛି ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ନାଁ। ଏହି ମାମଲାରେ ହାଜର ହେବା ଲାଗି ଡିସେମ୍ବର ୧୧ ତାରିଖରୁ ସିବିଆଇ ପକ୍ଷରୁ ସମନ କରାଯାଇଥିଲେ ମଧ୍ୟ ସେ ଏଯାଏଁ ହାଜର ହୋଇନାହାନ୍ତି।ବିଷ୍ଣୁପଦ ସେଠୀ ସିବିଆଇ ନିକଟରେ ହାଜର ହାଜର ନହେବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେବା ପରେ ବିଷ୍ଣୁପଦ ସେଠୀଙ୍କ ଉପରେ ଆକ୍ସନ ନେଇଛନ୍ତି ରାଜ୍ଯ ସରକାର।

୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ସମ୍ପୃକ୍ତି ଥିବା ନେଇ ହୋଇଥିବା ଅଭିଯୋଗକୁ ଏଯାଏଁ ଖଣ୍ଡନ କରିନାହାନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ। ଏହାରି ମଧ୍ୟରେ ବିଷ୍ଣୁପଦ ସେଠୀଙ୍କ ୩ଜଣ ଡ୍ରାଇଭରଙ୍କୁ ଆଣି ଜେରା କରିଛି ସିବିଆଇ।