June 13, 2026

ଖୁଚୁରା ମୁଦ୍ରାସ୍ଫୀତି ହାର ୩.୯୩ ପ୍ରତିଶତକୁ ବୃଦ୍ଧି

1 min read

ମୁମ୍ବାଇ: ଖାଦ୍ୟ ସାମଗ୍ରୀ ଦର ବଢ଼ିବାରୁ ମେ ମାସର ଖୁଚୁରା ମୁଦ୍ରାସ୍ଫୀତି ହାର ୩.୯୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୧୬ ମାସ ମଧ୍ୟରେ ଦରଦାମର ଏହା ହେଉଛି ସର୍ବୋଚ୍ଚ ସ୍ତର। ଗତ ଏପ୍ରିଲରେ ତାହା ୩.୪୮ ପ୍ରତିଶତ ଥିଲା। ମେ ମାସରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୪.୫୪ ପ୍ରତିଶତ ହୋଇଛି। ଗ୍ରାମାଞ୍ଚଳରେ ଏହି ହାର ୪.୮୩ ପ୍ରତିଶତ ଓ ସହରାଞ୍ଚଳରେ ୩.୭୪ ପ୍ରତିଶତ ହୋଇଛି।

ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ୪.୭୮ ପ୍ରତିଶତକୁ ବୃଦ୍ଧି ପାଇଥିବା କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ତେଲ ଓ ପନିପରିବା ଦର ବଢ଼ିବାରୁ ମେ ମାସର ଖୁଚୁରା ମୁଦ୍ରାସ୍ଫୀତି ବଢ଼ିବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା। ମୁଦ୍ରାସ୍ଫୀତି ବଢ଼ିଥିବାରୁ ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସୁଧ ହାର ସମ୍ପର୍କରେ କଠୋର ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିବ। ନିକଟରେ କରାଯାଇଥିବା ମୁଦ୍ରାନୀତି ସମୀକ୍ଷା ବେଳେ ସୁଧ ହାର ଅପରିବର୍ତ୍ତିତ ରଖାଯାଇଥିଲା। ଆଗାମୀ ଦିନରେ ଦରଦାମରେ ସେହି ବୃଦ୍ଧି ଜାରି ରହିଲେ ରିଜର୍ଭ ବ୍ୟାଙ୍କ ସୁଧ ବୃଦ୍ଧି ଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେବ। ମେ ମାସରେ ଟମାଟୋ, ଅଦା ଓ ରୁପା ଅଳଙ୍କାର ମୂଲ୍ୟରେ ବ୍ୟାପକ ବୃଦ୍ଧି ଘଟିଥିଲା। ସେହି ସମୟରେ ଆଳୁ, ଜିରା, ଗାଡ଼ି ଓ କଞ୍ଚା ମଟର ଦରରେ ହ୍ରାସ ହୋଇଛି।