July 27, 2024

ପ୍ରସ୍ତୁତି ଜୋରଦାର, ଶୁକ୍ରବାର ଏନଡିଏ ବୈଠକ

1 min read

ନୂଆଦିଲ୍ଲୀ: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶୁକ୍ରବାର (ଜୁନ୍ ୭) ନୂଆଦିଲ୍ଲୀରେ ଏନଡିଏ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଜେପି, ଟିଡିପି, ଜେଡିୟୁ, ଏଲଜେପି (ଆର), ଶିବସେନା (ସିନ୍ଦେ ଗୋଷ୍ଠୀ), ଜେଡିଏସ ଏବଂ ଏନଡିଏର ଅନ୍ୟାନ୍ୟ ସହଯୋଗୀ ଦଳର ନବନିର୍ବାଚିତ ସାଂସଦମାନେ ଯୋଗଦେବେ। ସେପଟେ ବିଜେପି ଓ ଜେଡିୟୁର ନେତାମାନେ ଅଲଗା ଅଲଗା ବୈଠକ କରିବା ପରେ ରାଜଧାନୀରେ ରାଜନୈତିକ ଗତିବିଧି ଜୋର ଧରିଛି।

ଜାତୀୟ ରାଜଧାନୀରେ ଏନଡିଏ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଜୋରଦାର ଆଲୋଚନା ଚାଲିଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ କ୍ୟାବିନେଟ ଗଠନ ନେଇ ଏନଡିଏ ସହଯୋଗୀଙ୍କ ସହ ଆଲୋଚନା କରିବାକୁ ଦାୟିତ୍ୱ ଦିଆଯାଇଛି। ଆଜି ଶ୍ରୀ ନଡ୍ଡା ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଲମ୍ବା ବୈଠକ କରିଛନ୍ତି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ପୀୟୂଷ ଗୋୟଲ, ପ୍ରହ୍ଲାଦ ଯୋଶୀ, ମନସୁଖ ମାଣ୍ଡଭିଆ ଓ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ଓ ବିନୋଦ ତାୱଡେ ପ୍ରମୁଖ ଉପସ୍ଥିତ ଥିଲେ। ଜେଡିୟୁର ଅନେକ ନେତା ମଧ୍ୟ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଦଳର ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି। ଏନଡିଏ ସଂସଦୀୟ ଦଳ ବୈଠକ ପୂର୍ବରୁ ଶୁକ୍ରବାର ସକାଳେ ଜେଡିୟୁ ସଂସଦୀୟ ଦଳ ବୈଠକ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମେଣ୍ଟ ନେତା ଭାବେ ଚୟନ କରାଯାଇଛି।

Leave a Reply

Your email address will not be published. Required fields are marked *