July 22, 2024

ବଢୁଛି ଆଳୁ ଦର, ଚିନ୍ତାରେ ଖାଉଟି

1 min read

ଭୁବନେଶ୍ବର : ସାଧାରଣ ନିର୍ବାଚନ ପରେ ତେଜରାତି ସାମଗ୍ରୀ ଡାଲି ଓ ଚାଉଳଠାରୁ ଆରମ୍ଭ କରି ସମସ୍ତ ମସଲା ଦର ବଢିଛି। ପନିପରିବା ଦର ଆକାଶ ଛୁଆଁ ହୋଇଛି। ଆଳୁ ଓ ପିଆଜ ସମେତ ତଟକା ପନିପରିବା ଦର କିଲୋପିଛା ୪୦ରୁ ୮୦ ଟଙ୍କାରେ ବିକ୍ରି କରାଯାଉଛି। ରୋଷେଇ ଘର ରାଜା କୁହାଯାଉଥିବା, କିଲୋଗ୍ରାମ ପିଛା ଦର ୩୫ଟଙ୍କାକୁ ବୃଦ୍ଧି ପାଇଛି। ଏଭଳି ଦରଦାମ ବୃଦ୍ଧି ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଛି। ଆଳୁ ଦର ବଢିବା ଯୋଗୁଁ ସାଧାରଣ ଖାଉଟିର ପକେଟକୁ ବାଧୁଛି। ଜୁନ୍ ୨୦ ପୂର୍ବରୁ ବଜାରରେ ଆଳୁ କିଲୋଗ୍ରାମ ୩୦ ଟଙ୍କାରେ ବିକ୍ରି କରାଯାଉଥିଲା। ୨୦ତାରିଖ ପରେ ଆଳୁ ଦର ବୃଦ୍ଧି ପାଇ କିଲୋଗ୍ରାମ ପିଛା ୩୫ଟଙ୍କାରେ ପହଞ୍ଚିଛି। ୧୦ଦିନ ହେଲା ୟୁନିଟ-୧ ହାଟରେ ଆଳୁ ତିନି କିଲୋକୁ ୧୦୦ ଟଙ୍କାରେ ବିକ୍ରି କରାଯାଉଛି। ଗୋଟିଏ କିଲୋ ଆଳୁ ଆଣିଲେ ୩୫ ଟଙ୍କା ଦେବାକୁ ପଡୁଛି। ଭୁବନେଶ୍ବର ଗଳିକନ୍ଦିରେ ପରିବା ବ୍ୟବସାୟୀ ଆଳୁ କିଲୋକୁ ୩୫ଟଙ୍କାରେ ବିକ୍ରି କରୁଥିବା ଜଣାପଡିଛି। ଜଣେ ବ୍ୟବସାୟୀ କହିଛନ୍ତି, ନିର୍ବାଚନ ପୂର୍ବରୁ ଆଳୁ ପ୍ୟାକେଟ ପିଛା ୭୫୦ଟଙ୍କା ଦର ଥିବାବେଳେ ତାହା ୯୫୦ଟଙ୍କାକୁ ବୃଦ୍ଧି ପାଇଛି। ଆଳୁ କୁଇଣ୍ଟାଲ ଦର ୧୮ରୁ ୧୯ଶହ ଟଙ୍କାରେ ବିକ୍ରି କରାଯାଉ ଥିବାବେଳେ ତାହା ଏବେ ୨୫ଶହ ଟଙ୍କାରେ ପହଞ୍ଚିଛି। ପ୍ୟାକେଟ ପିଛା ୨୦୦ ଟଙ୍କା ଦର ବଢିଥିବା ବେଳେ କୁଇଣ୍ଟାଲ ଉପରେ ପ୍ରାୟ ୬ଶହ ଟଙ୍କା ବୃଦ୍ଧି ପାଇଛି। ଆଳୁ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ରାଜ୍ୟ ସରକାର ଆଳୁ ମିଶନ ଆରମ୍ଭ କରିଥିଲେ। ହେଲେ ଆଳୁ ମିଶନ ବିଫଳ ହୋଇଥିବାରୁ ଓଡ଼ିଶା ପଡୋଶୀ ରାଜ୍ୟ ଉପରେ ନିର୍ଭର କରୁଛି। ରାଜ୍ୟରେ ଜାନୁଆରୀ, ଫେବୃଆରୀ ଏବଂ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ମଧ୍ୟରେ ଆଳୁ ଅମଳ ହୋଇଥାଏ। ଏହି ସମୟରେ ଚାଷୀ ଆଳୁ ସାଇତି ରଖିବା ସହିତ ଖୁଚୁରା ବଜାରକୁ ଆଣି ବିକ୍ରି କରିଥାନ୍ତି। ଫଳସ୍ବରୂପ ପଶ୍ଚିମବଙ୍ଗ, ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ଆଳୁ ଆମଦାନୀ କମିଥାଏ। ଏପ୍ରିଲ ଦ୍ବିତୀୟ ସପ୍ତାହ ବେଳକୁ ସ୍ଥାନୀୟ ଆଳୁ ସରିଯିବା ଦ୍ବାରା ପୂର୍ବପରି ବେପାରୀଙ୍କୁ ବାହାର ରାଜ୍ୟରୁ ଆମଦାନୀ କରିବାକୁ ପଡୁଛି। ରାଜ୍ୟ ପାଇଁ ଦୈନିକ ୪ ହଜାର ଟନ ଆଳୁ ଦରକାର ପଡୁଛି। ୨୦୧୫ ମସିହାରେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ରପ୍ତାନୀ ଉପରେ କେତେକ କଟକଣା ଲଗାଇଥିଲେ। ସେତେବେଳେ ପଶ୍ଚିମବଙ୍ଗରୁ ରାଜ୍ୟକୁ ଆଳୁ କମ ଆମଦାନୀ ହେବା ଦ୍ବାରା ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଥିଲା। ଅହେତୁକ ଭାବେ ଦର ବୃଦ୍ଧି ପାଇବାରୁ ଗ୍ରାହକଙ୍କ ପକେଟକୁ ବାଧିଥିଲା ଏବଂ ସରକାର ମଧ୍ୟ ସେତେବେଳେ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିଲେ। ଆଳୁ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୧୫-୧୬ରେ ତିନିବର୍ଷିଆ ଆଳୁ ମିଶନ ଆରମ୍ଭ କରିଥିଲେ। ଉଦ୍ୟାନ ନିର୍ଦେଶାଳୟକୁ ୫୦ କୋଟି ଟଙ୍କା ଦିଆଯାଇଥିଲା। ମିଶନର ଲକ୍ଷ୍ୟ ଥିଲା, ୧୫ ହଜାର ହେକ୍ଟର ଜମିରେ ହେଉଥିବା ଆଳୁ ଚାଷକୁ ତିନି ବର୍ଷରେ ୬୦ ହଜାର ହେକ୍ଟର ଜମିକୁ ବୃଦ୍ଧି କରାଯିବ। ଉତ୍ପାଦିତ ଆଳୁ ସଂରକ୍ଷଣ ପାଇଁ ମିଶନ ଅଧିନରେ ୧୧୨ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ଚାଷ ଜମି ଏବଂ ସଂରକ୍ଷଣ ବଢିବା ଦ୍ବାରା ପରବର୍ତ୍ତୀ ବର୍ଷ ଗୁଡିକ ପାଇଁ ଗୁଣାତ୍ମକ ବିହନର ଅଭାବ ରହିବ ନାହିଁ। ଫଳରେ ଚାଷୀ ଶୀତଳ ଭଣ୍ଡାରରୁ ଆଳୁ ନେଇ ଲଗାଇ ପାରିବେ। ବିକ୍ରି ନିମନ୍ତେ ଉପଯୁକ୍ତ ବଜାର ବ୍ୟବସ୍ଥା କରାଯିବ। ଶୀତଳ ଭଣ୍ଡାର ମାଲିକଙ୍କୁ ବିଦ୍ୟୁତ ଉପରେ ୬ବର୍ଷ ପର୍ଯ୍ୟନ୍ତ ରିଆତି ବ୍ୟବସ୍ଥା ରଖାଯାଇଥିଲା। କିନ୍ତୁ ମିଶନ ଅଧିନରେ ଗୋଟିଏ ହେଲେ ଲକ୍ଷ୍ୟ ପୂରଣ ହୋଇନାହିଁ। ୩ ବର୍ଷ ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟ ୧୧୨ ଶୀତଳ ଭଣ୍ଡାର ମଧ୍ୟରୁ ମାତ୍ର ୪ଟି ନିର୍ମାଣ ହୋଇଥିଲା। ଚାଷ ଜମି ୧୫ ହଜାର ହେକ୍ଟରରୁ ୨୫ ହଜାର ହେକ୍ଟରକୁ ବୃଦ୍ଧି କରାଯାଇଥିଲା। ତିନି ବର୍ଷରେ ମାତ୍ର ୧୦ ହଜାର ହେକ୍ଟର ଜମିରେ ଆଳୁ ଚାଷ ବଢିଥିଲା।
ସରକାରଙ୍କ ଆଳୁ ମିଶନ ସଫଳ ହୋଇଛି ବୋଲି ବିଧାନସଭା ଅଧିବେଶନ କାଳରେ ତତ୍କାଳୀନ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ। କିନ୍ତୁ ବାସ୍ତବରେ ଆଳୁ ମିଶନ କେତେଦୂର ସଫଳ ହୋଇଛି ତାହା ବଜାର ଦରରୁ ବାରି ହୋଇ ପଡୁଛି।

Leave a Reply

Your email address will not be published. Required fields are marked *