July 27, 2024

ଆଦିବାସୀଙ୍କ ପାଇଁ ଯୋଜନା କଲେ: ରାଜ୍ୟ ସରକାର

1 min read

ଭୁବନେଶ୍ବର: ରାଜ୍ୟରେ ଥିବା ପ୍ରାୟ ୧କୋଟି ଆଦିବାସୀ ପାଇଁ ରାଜ୍ୟ ସରକାର ଆଜି ଯୋଜନା ଅଜାଡ଼ି ଦେଇଛନ୍ତି। ଆଦିବାସୀଙ୍କୁ ରୋଜଗାର, ଉତ୍ପାଦିତ ସାମଗ୍ରୀର ବଜାରୀକରଣ, ସେମାନଙ୍କ ଭାଷାର ସୁରକ୍ଷା ଓ ଅଧିକାର ପାଇଁ ରାଜ୍ୟ ସରକାର ହାତ ଖୋଲି ଦେଇଛନ୍ତି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏ ସଂକ୍ରାନ୍ତୀୟ ନିଷ୍ପତ୍ତିଗୁଡ଼ିକରେ ମୋହର ବାଜିଛି। ଆଜିର ବୈଠକରେ ୨ଟି ବିଭାଗର ମୋଟ୍‌ ୫ଟି ପ୍ରସ୍ତାବ ପାରିତ ହୋଇଛି। ଆଦିବାସୀଙ୍କ ପାଇଁ ନୂଆ ଯୋଜନା ‘ଲାଭ-ଲଘୁ ବନଜାତ ଦ୍ରବ୍ୟ କ୍ରୟ’ ପ୍ରସ୍ତାବ କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିଛି। ଏଥିରେ ଲଘୁ ବନଜାତ ଦ୍ରବ୍ୟ ପାଇଁ ରାଜ୍ୟ ସରକାର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରିବେ। ଏହା ପ୍ରତିବର୍ଷ ଧାର୍ଯ୍ୟ ହେବ। ରାଜ୍ୟ ସରକାର ଏମ୍‌ଏସ୍‌ପି ଦେଇ ଆଦିବାସୀଙ୍କ ଠାରୁ ଲଘୁ ବନଜାତ ଦ୍ରବ୍ୟ କିଣିବେ।

ଆଦିବାସୀମାନେ ସେମାନଙ୍କ ସାମଗ୍ରୀ ରାଜ୍ୟ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡ଼ିଶା ଲିମିଟେଡ (ଟିଡିସିସିଓଏଲ୍‌)ରେ ବିକିବେ। ସାମଗ୍ରୀ ବିକିବା ପରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କ ପ୍ରାପ୍ୟ ଜମା କରିଦିଆଯିବ। ଏହାଦ୍ବାରା ଆଦିବାସୀମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ଏବଂ ନିଜେ ଉତ୍ପାଦନ କରୁଥିବା ଲଘୁ ବନଜାତ ଦ୍ରବ୍ୟଗୁଡ଼ିକର ଅଭାବୀ ବିକ୍ରି ହେବନି କି କେହି ଦଲାଲ ରହିବେନି।ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ପ୍ରାଥମିକ ସଂଗ୍ରହକାରୀଙ୍କ ମଧ୍ୟରେ ୯୯% ଆଦିବାସୀ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା। ତେଣୁ ଲାଭ ଯୋଜନାକୁ ମିସନ୍ ଶକ୍ତି ଏସ୍‌ଏଚ୍‌ଜିଗୁଡ଼ିକ ଦ୍ବାରା କାର୍ଯ୍ୟକାରୀ କରାଯିବ। ଏହି ଦ୍ରବ୍ୟକ୍ରୟ କେନ୍ଦ୍ରଗୁଡ଼ିକ କୌଣସି ଏସ୍‌ଏଚ୍‌ଜି କିମ୍ବା ଟିଡିସିସିଓଏଲ୍‌ ଦ୍ବାରା ନିୟୋଜିତ ସଂସ୍ଥା ଦ୍ବାରା ପରିଚାଳିତ ହେବ। ‌ଏଥିପାଇଁ ଉକ୍ତ ଏସ୍‌ଏଚ୍‌ଜି/ସଂସ୍ଥାକୁ ୨% କମିସନ ମିଳିବ। ଆଉ ବାକି ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ।

ଏହି ସମସ୍ତ କାର୍ଯ୍ୟରେ ୫ଟି ନୀତି ଅନୁଶୀଳନ କରି ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯିବ। ଏହାଦ୍ବାରା କେଉଁ ବ୍ୟକ୍ତି କେତେ ଲଘୁ ବନଜାତ ଦ୍ରବ୍ୟ ବିକ୍ରି କଲେ, ମୋଟ୍‌ କେତେ ସାମଗ୍ରୀ କିଣାବିକା ହେଲା ତାହା ସ୍ବୟଂଚାଳିତ ପ୍ରକ୍ରିୟାରେ ରେକର୍ଡ କରାଯିବ। ଦ୍ରବ୍ୟକ୍ରୟ କେନ୍ଦ୍ରଗୁଡ଼ିକରେ ଯେଉଁ ଲଘୁ ବନଜାତ ସାମଗ୍ରୀ କିଣାଯିବ ତାହାକୁ ଟିଡିସିସିଓଏଲ୍‌ ପକ୍ଷରୁ ପ୍ରୋସେସିଂ ୟୁନିଟଗୁଡ଼ିକୁ ଇ-ଟେଣ୍ଡର କରି ଅଧିକ ମୂଲ୍ୟରେ ବିକିବା ବ୍ୟବସ୍ଥା କରାଯିବ। ସେହିପରି ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ରାୟଗଡ଼ାରେ ୨୫କୋଟି ଟଙ୍କା ବ୍ୟୟରେ ହଳଦୀ ପ୍ରୋସେସିଂ ପ୍ଲାଣ୍ଟ ବସାଇବେ। ଲାଭ ଯୋଜନାରେ କିଣା ହେବାକୁ ଥିବା ହଳଦୀକୁ ଏଠାରେ ଗୁଣ୍ଡ କରାଯିବ। ଆଦିବାସୀମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ଲଘୁ ବନଜାତ ସାମଗ୍ରୀଗୁଡ଼ିକର ଯେପରି ଅଭାବୀ ବିକ୍ରି ହେବନି ଏବଂ ସେମାନେ ଏହାକୁ ବିକ୍ରି କରି ଠିକ୍ ମୂଲ୍ୟ ପାଇବେ ତାହା ଉପରେ ଗୁରୁତ୍ବାରୋପ କରାଯାଇଛି।

Leave a Reply

Your email address will not be published. Required fields are marked *