July 27, 2024

ଧନୀଙ୍କ ପାଇଁ ମୋଦୀ-ପଟ୍ଟନାୟକ, ଗରିବଙ୍କ ପାଇଁ କଂଗ୍ରେସ: ମଲ୍ଲିକାର୍ଜୁନ ଖଡ୍‌ଗେ

1 min read

ଭୁବନେଶ୍ବର: ଓଡ଼ିଶାରେ ଯେଉଁ ସରକାର ଚାଲିଛି ତାହା ଧନୀ ଲୋକଙ୍କ ସରକାର। ମୋଦୀ-ପଟ୍ଟନାୟକ ମିଳିମିଶି ଲୋକଙ୍କ ଜୀବନରେ ଖୁସି ଆଣିବା ବଦଳରେ ଓଡ଼ିଶାର ଲୋକଙ୍କ ଜୀବନରେ ଦୁଃଖ ଆଣିଛନ୍ତି। ଓଡ଼ିଶାର ବହୁ ଯୁବକଯୁବତୀ ବେଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ ଓ ଅନ୍ୟ ରାଜ୍ୟକୁ କାମଧନ୍ଦା ପାଇଁ ଯାଉଛନ୍ତି। ଏ କଥା କ’ଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଯାଉନି? ସେମାନେ ଗରିବ ହୋଇଥିବାରୁ ସେମାନଙ୍କ କଥା କେହି କହୁନାହାନ୍ତି। କିନ୍ତୁ ଅମ୍ବାନି, ଆଦାନି, ଟାଟା ଓ ବିର୍ଲାଙ୍କ କଥା କହୁଛନ୍ତି। ତେଣୁ ଏ ଲଢ଼େଇ ଧନୀ ଓ ଗରିବଙ୍କ ଭିତରେ। କଂଗ୍ରେସ ଗରିବଙ୍କ ସାଥୀରେ ଥିବା ବେଳେ ଏ ଦୁହେଁ ଧନୀଙ୍କ ସାଥୀରେ ରହିଛନ୍ତି। ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଲୋୟର ପିଏମ୍‌ଜିରେ ଆୟୋଜିତ ‘ଓଡ଼ିଶା ବଞ୍ଚାଅ’ ସମାବେଶରେ ଯୋଗ ଦେଇ ଏଭଳି ଢଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ।


ଏଆଇସିସି ଅଧ୍ୟକ୍ଷ ଦାୟିତ୍ବ ନେବା ପରେ ଶ୍ରୀ ଖଡ୍‌ଗେଙ୍କର ଏହା ଥିଲା ପ୍ରଥମ ଓଡ଼ିଶା ଗସ୍ତ।ଏହି ଗସ୍ତ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବିଶାଳ ଆୟୋଜନ କରାଯାଇଥିଲା। ଭୁବ‌ନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଶହ ଶହ କର୍ମୀ ତାଙ୍କୁ କାର୍ଯ୍ୟକ୍ରମ ସ୍ଥଳକୁ ପାଛୋଟି ଆଣିଥିଲେ। ଲୋୟର ପିଏମ୍‌ଜିରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରି ଶ୍ରୀ ଖଡ୍‌ଗେ କହିଥିଲେ ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କ ଦୃଷ୍ଟିରେ ଓଡ଼ିଶାର ବିଶେଷ ସ୍ଥାନ ଥିଲା। ୧୯୬୪ ମସିହାରେ ଓଡ଼ିଶାରେ କଂଗ୍ରେସର ବଡ଼ ଅଧିବେଶନ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ଦଳରୁ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୁ ପଟ୍ଟନାୟକଙ୍କ ପ୍ରଧାନମନ୍ତ୍ରୀ ନେହରୁଙ୍କ ବିଚାରଧାରାକୁ ମାନୁଥିବା ବେଳେ ଆଜିର ପଟ୍ଟନାୟକ ବିଜେପିର ବିଚାରଧାରାକୁ ମାନୁଛନ୍ତି। ତେଣୁ ସେ ପଟ୍ଟନାୟକ ଓ ଆଜିର ପଟ୍ଟନାୟକ ଭିତରେ ବଡ଼ ଫରକ୍ ରହିଛି। ବିଜେପି-ବିଜେଡିର ଭିତିରି ସଂପର୍କ ପାଇଁ କ‌ଂଗ୍ରେସ ସେମାନଙ୍କ ବାହାଘର କରିଛି। ହେଲେ ଏ ବିବାହ ହେଉଛି ପ୍ରେମ ବିବାହ।


ଓଡ଼ିଶାରେ ଯାହା ବି ବିକାଶ ହେଉଛି ତାହା କଂଗ୍ରେସ ଅମଳରେ ହୋଇଛି। ଏବେର ସରକାର ଓଡ଼ିଶା ପାଇଁ କିଛି କରି ନାହାନ୍ତି। ପାରାଦୀପ ବନ୍ଦରଠାରୁ ଆରମ୍ଭ କରି ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌, ମଞ୍ଚେଶ୍ବର ରେଳ ଡବା କାରଖାନା ସବୁ କଂଗ୍ରେସ କରିଛି। ହେଲେ ମୋଦୀଜୀ ପଚାରୁଛନ୍ତି କଂଗ୍ରେସ ୭୦ବର୍ଷରେ କରିଛି କ’ଣ? କଂଗ୍ରେସ ସମ୍ବିଧାନକୁ ବଞ୍ଚାଇ ଥିବାରୁ ମୋଦୀ ଆଜି ଏ ପଦରେ ବସି ପାରିଛନ୍ତି। ରାହୁଲ ଗାନ୍ଧୀ ଦେଶକୁ ଏକାଠି ଯୋଡ଼ିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ଭାଙ୍ଗିବାରେ ଲାଗିଛି। ୨କୋଟି ଚାକିରି, ସମସ୍ତଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା, ଚାଷୀଙ୍କ ଆୟ ଦ୍ବିଗୁଣ କଥା ମୋଦୀ କହିଥିବା ବେଳେ ଏସବୁ ମିଛ ବୋଲି ପ୍ରମାଣିତ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୩୫% ଜଳସେଚନ, ଶୀତଳଭଣ୍ଡାର ନିର୍ମାଣ କରିବା କଥା କହିଥିଲେ, କୁଆଡ଼େ ଗଲା? ରାଜ୍ୟର ସବୁ ବିଭାଗରେ ଅନେକ ସରକାରୀ ପଦବି ଖାଲି ପଡ଼ିଛି। ଏସବୁ କେବେ ପୂରଣ ହେବ?

Leave a Reply

Your email address will not be published. Required fields are marked *