July 27, 2024

ବାହାନଗା ରେଳ ଦୁର୍ଘଟଣାରେ: ଆଉ ୫ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

1 min read

ବାଲେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ଇତିମଧ୍ୟରେ ୮ ମାସ ପୂରିଥିବା ବେଳେ ରେଳବାଇ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ପ୍ରଥମ ପର୍ଯ୍ୟାୟରେ ଗତ ୧୭ ତାରିଖରେ ବାହାନଗା ଷ୍ଟେସନ୍‌ର ପୂର୍ବତନ ଷ୍ଟେସନ ମାଷ୍ଟର ଏସ୍‌ବି ମହାନ୍ତି ଓ ଟ୍ରାଫିକ ଇନ୍ସପେକ୍ଟର ଏକେ ଖୁଣ୍ଟିଆଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ପରେ ସର୍ବଭାରତୀୟ ସ୍ତରରେ ୩୫ ହଜାରରୁ ଅଧିକ ଷ୍ଟେସନ୍‌ ମାଷ୍ଟର ଓ ଟ୍ରେନ୍‌ ଅପରେଟିଂ କର୍ମଚାରୀ ଗୋଟିଏ ଦିନ କଳାବ୍ୟାଜ୍‌ ପରିଧାନ କରି ପ୍ରତିବାଦ କରିଥିଲେ। ହେଲେ, ରେଳବାଇ ବୋର୍ଡ ଉପରେ ଏହାର କିଛି ପ୍ରଭାବ ପଡ଼ିନାହିଁ। ବରଂ, ରେଳ ସୁରକ୍ଷା କମିସନରଙ୍କ ରିପୋର୍ଟ ଆଧାରରେ ଆଗକୁ ଆଉ ୫ ଜଣ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।ଗତବର୍ଷ ଜୁନ୍ ୨ ତାରିଖ ସନ୍ଧ୍ୟା​ରେ ବାଲେଶ୍ବରଠାରୁ ୨୦ କିମି ଦୂର ବାହାନଗାଠାରେ ଦୁଇଟି ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ ଓ ଗୋଟିଏ ମାଲବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଥିଲା। ଯେଉଁଥିରେ ୨୯୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

ଭାରତୀୟ ରେଳ ଇତିହାସରେ ଏହା ଥିଲା ସବୁଠାରୁ ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣା ପରଦିନ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭୁଲ୍‌ କାହାର ଜଣାପଡ଼ିଥିବା କହିବା ସହିତ ଖୁବ୍‌ଶୀଘ୍ର ତ୍ରୁଟି ପଦାକୁ ଆସିବ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଥିଲେ। ଏହାପରେ ଗୋଟିଏପଟେ ଦୁର୍ଘଟଣାରେ ଆପରାଧିକ ଦିଗକୁ ନେଇ ସିବିଆଇ ତନାଘନା କରିଥିବା ବେଳେ ରେଳ ସୁରକ୍ଷା କମିସନର ମଧ୍ୟ ନିଜ ଆଡୁ ମାମଲାର ତଦନ୍ତ କରିବା ସହ ଘଟଣାର ୩ ସପ୍ତାହ ପରେ ରେଳବାଇ ବୋର୍ଡରେ ରିପୋର୍ଟ ଦାଖଲ କରିଥିଲେ। ଉକ୍ତ ରିପୋର୍ଟରେ ରିଲେ ରୁମ୍‌ରେ ସିଗନାଲ୍ ଓ ଟେଲି କମ୍ୟୁନିକେସନ୍‌ ବିଭାଗର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ଦର୍ଶାଯାଇଥିଲା। ଏଥିଲାଗି ମୁଖ୍ୟତଃ ଷ୍ଟେସନ୍ ମାଷ୍ଟର ଓ ସିଗ୍‌ନାଲ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଦାୟୀ କରିଥିଲେ।

ହସ୍ତଗତ ସୂଚନା ଅନୁସାରେ, ମରାମତି ସମୟରେ ସିଗ୍‌‌ନାଲିଂ ସର୍କିଟ୍‌‌ ଏପଟ ସେପଟ କରାଯିବା ହେତୁ ଜୁନ୍‌‌ ୨ ତାରିଖରେ ଦିନତମାମ ଷ୍ଟେସନକୁ ତ୍ରୁଟିପୂର୍ଣ୍ଣ ସିଗ୍‌‌ନାଲ ମିଳିଥିଲା। ମାତ୍ର, ଷ୍ଟେସନ୍‌ ମାଷ୍ଟର ଓ ଟ୍ରାଫିକ୍‌ ସିଗନାଲ୍‌ ଦାୟିତ୍ବରେ ଥିବା କର୍ମଚାରୀ ଏହାକୁ ଗମ୍ଭୀରତାର ସହ ନେଇନଥିଲେ। କାମଚଳା ମରାମତି କରି ଛାଡ଼ି ଦେଇଥିଲେ। ଦୁର୍ଘଟଣା ଦିନ ବାହାନଗା ଷ୍ଟେସନ୍‌ର ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ ଲିଫ୍ଟିଂ ବ୍ୟାରିୟର୍‌କୁ ବଦଳା ଯାଇଥିଲା। ଟେକ୍ନିସିଆନ ଓ ସିଗ୍‌ନାଲ କର୍ମଚାରୀ ସେଥିରେ ଥିବା ୱେୟାରିଂ ସର୍କିଟ୍‌କୁ ସଜାଡ଼ିଥିଲେ ହେଁ ତାହା ଠିକ୍‌ ଭାବେ କାମ କରିନଥିଲା ବୋଲି କମିସନର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହି ରିପୋର୍ଟ ଆଧାରରେ ୨ ଜଣ ଚାକିରିରୁ ବିଦା ହୋଇଥିବା ବେଳେ ନିଲମ୍ବିତ ହୋଇଥିବା ଅନ୍ୟ ୫ ଜଣ କର୍ମଚାରୀଙ୍କ ମୁଣ୍ଡରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଖଣ୍ଡା ଝୁଲୁଛି। ଯେ କୌଣସି ସମୟରେ ସେମାନେ ବିଦା ହୋଇପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ, ସିବିଆଇ ଏହି ଘଟଣାର ତଦନ୍ତ ଚାଲୁ ରଖିଥିବାରୁ ରିପୋର୍ଟକୁ ସାର୍ବଜନୀନ କରାଯାଇନଥିଲା। କେବଳ କମିସନରଙ୍କ ଦ୍ବାରା ଦାଖଲ ହୋଇଥିବା ରିପୋର୍ଟକୁ ଆଧାର କରି ବାହାନଗା ​ରେଳ ଦୁର୍ଘଟଣା ପାଇଁ ୩ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *