ଜାତୀୟ ହକିରେ ଓଡ଼ିଶା ମହିଳା ଦଳର ପରାଜୟ
1 min read
ଭୁବନେଶ୍ବର: ଓଡ଼ିଶା ହକି ପୁନଃ ରାଜ୍ୟର ହକି ପ୍ରେମୀମାନଙ୍କୁ ନିରାଶ କରିଛି। ଗତ ମାସ ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ଦଳ ସେମିଫାଇନଲରେ ବି ପ୍ରବେଶ ପାଇବାରେ ବିଫଳ ହୋଇ ଥିଲେ। ଏବେ ଆଉ ଏକ ଜାତୀୟ କ୍ରୀଡ଼ାରେ ରାଜ୍ୟର ବରିଷ୍ଠ ମହିଳା ଦଳର ଖରାପ ପ୍ରଦର୍ଶନ ସମସ୍ତ କ୍ରୀଡ଼ା ପ୍ରେମୀମାନଙ୍କୁ ଗଭୀର ଆଘାତ ଦେଇଛି।
ହରିୟାଣାର ପଞ୍ଚକୁଲାଠାରେ ଆୟୋଜିତ ୧୫ତମ ବରିଷ୍ଠ ମହିଳା ଜାତୀୟ ହକି ଚାମ୍ପିୟନସିପରେ ପଦକ ଜିତିବାର ପ୍ରବଳ ଦାବିଦାର ଓଡ଼ିଶା ଦଳ ପଦକ ତ ଦୁରର କଥା କ୍ଵାର୍ଟର ଫାଇନଲରେ ସ୍ଥାନ ପାଇ ପାରିଲା ନାହିଁ। ବାରହ ଶ୍ରେଷ୍ଠ ଦଳକୁ ନେଇ ଗଠିତ ଏ ଡିଭିଜନରେ ଓଡ଼ିଶା ଦଶମ ସ୍ଥାନରେ ରହିଲା।
ହକି ଇଣ୍ଡିଆ ଚଳିତ ବର୍ଷରେ ଜାତୀୟ ହକି ଚାମ୍ପିୟନସିପ ନୂଆ ଫରମେଟରେ ଆୟୋଜନ କରିଛି। ଏଥିରେ ରାଜ୍ୟର ହକି ଦଳଗୁଡ଼ିକୁ ୩ଟି ଅଲଗା ଅଲଗା ଡିଭିଜନରେ ବିଭକ୍ତ କରାଯାଇଛି। ଶ୍ରେଷ୍ଠ ୧୨ଟି ରାଜ୍ୟକୁ ଡିଭିଜନ ‘ଏ’ରେ, ଏହାପରେ ଥିବା ୯ଟି ରାଜ୍ୟକୁ ଡିଭିଜନ ‘ବି’ରେ ଏବଂ ଶେଷ ୭ଟି ରାଜ୍ୟକୁ ଡିଭିଜନ ‘ସି’ରେ ରଖି ଚାମ୍ପିୟନସିପର ଆୟୋଜନ ହୋଇଥିଲା।
ଏହା ସହିତ ହକି ଇଣ୍ଡିଆ ପଦୋନ୍ନତି ଓ ଅବନତିର ଫାର୍ମୁଲା ଲାଗୁ ମଧ୍ୟ କରିଛି। ଫାର୍ମୁଲା ଅନୁସାରେ ଡିଭିଜନ ‘ଏ’ ଏବଂ ଡିଭିଜନ ‘ବି’ର ଦୁଇ ନିମ୍ନ ସ୍ଥାନରେ ରହିଥିବା ଦଳ ଯଥାକ୍ରମେ ଡିଭିଜନ ‘ବି’ ଏବଂ ଡିଭିଜନ ‘ସି’କୁ ଖସି ଯିବେ। ସେହି ପ୍ରକାର ଡିଭିଜନ ‘ବି’ ଏବଂ ଡିଭିଜନ ‘ସି’ର ଦୁଇ ଶ୍ରେଷ୍ଠ ଦଳ ଉପର ଡିଭିଜନରେ ଉନ୍ନତ ହେବେ।
ଓଡ଼ିଶା ଏକ ଶକ୍ତିଶାଳୀ ଦଳ ଭାବେ ଜଣା ଶୁଣା ହୋଇଥିବାରୁ ଡିଭିଜନ ‘ଏ’ ରେ ସ୍ଥାନ ପାଇଥିଲା। ଡିଭିଜନ ‘ଏ’ ର ୧୨ଟି ଦଳକୁ ୪ଟି ଗ୍ରୁପରେ ରଖାଯାଇ ଲିଗ ଭିତ୍ତିରେ ମ୍ୟାଚ ଆୟୋଜନ କର ଯାଇଥିଲା। ପ୍ରତି ଗ୍ରୁପରୁ ୨ଟି ଦଳ କ୍ୱାର୍ଟରଫାଇନଲରେ ପ୍ରବେଶ କରିଥାନ୍ତେ। ଓଡ଼ିଶାକୁ ହରିୟାଣା ଏବଂ କର୍ଣ୍ଣାଟକ ସହ ଗୋଟିଏ ଗ୍ରୁପରେ ରଖାଯାଇଥିଲା । ଏହି ବର୍ଗରେ ଓଡ଼ିଶା ନିଜର ୨ଟି ଯାକ ମ୍ୟାଚରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା।
ମାର୍ଚ୍ଚ ୬ ତାରିଖରେ ପ୍ରଥମ ମ୍ୟାଚରେ ଆୟୋଜକ ହରିୟାଣା ଓଡ଼ିଶାକୁ ୩-୦ ଗୋଲରେ ପରାସ୍ତ କଲା। ଏହାପରେ ଦ୍ଵିତୀୟ ମ୍ୟାଚରେ କର୍ଣ୍ଣାଟକ ମଧ୍ୟ ଓଡ଼ିଶାକୁ ୨-୧ ଗୋଲରେ ପରାସ୍ତ କରି ଘରକୁ ଫେରିଯିବାକୁ ବାଧ୍ୟ କଲା। ତେବେ ୧୨ ଟିମ୍ ବିଶିଷ୍ଟ ଏ ଡିଭିଜନରେ ଓଡିଶା ଦଶମ ସ୍ଥାନରେ ରହି ଅଳ୍ପକେ ‘ବି’ ଡିଭିଜନକୁ ଖସିବାରୁ ବଞ୍ଚିଗଲା।