January 21, 2025

ଗରିବ ପାଇଁ ନାହିଁ ସୁବିଧା: କୋକେଇରେ ୨୦ କିମି ବୁହାହେଲା ଶବ

1 min read

ନବରଙ୍ଗପୁର: ଗରିବ ବୋଲି ପତ୍ନୀଙ୍କ ଶବ ନିଜ ଗାଁକୁ ନେବାକୁ ଅସୁବିଧାରେ ପଡ଼ିଲେ। ପ୍ରଶାସନ କିମ୍ବା ରାଜନେତାଙ୍କୁ ଗୁହାରି ସତ୍ତ୍ବେ ସହଯୋଗ‌ର ହାତ ବଢ଼ିଲା ନାହିଁ। ଶେଷରେ ସଂପର୍କୀୟଙ୍କ ସହାୟତାରେ ୨୦କିଲୋମିଟର କୋକେଇ କାନ୍ଧେଇ ନିଜ ଗାଁକୁ ଚାଲି ଚାଲି ଗଲେ। ନବରଙ୍ଗପୁର ଜିଲ୍ଲାର ଏହି ଦାନ ମାଝୀ ଜଣକ ହେଲେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଫଫୁଗାଁର ଅଭି ଅମାନତ୍ୟ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ ପୂର୍ଣ୍ଣିଗୁଡ଼ା ଗାଁର କରୁଣା ଅମାନତ୍ୟକୁ ବିବାହ କରିଥିଲେ ଫୁଫୁଗାଁର ଅଭି। ପୂର୍ବରୁ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଥିଲା ବେଳେ ୩ମାସ ତଳେ ତୃତୀୟ ସନ୍ତାନ (କନ୍ୟା)କୁ ଜନ୍ମ ଦେଇଥିଲେ କରୁଣା। ତେବେ ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପ୍ରଥମେ ନବରଙ୍ଗପୁର, ପରେ କୋରାପୁଟ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିଛି ଦିନର ଚିକିତ୍ସା ପରେ ପୂର୍ଣ୍ଣିଗୁଡ଼ାସ୍ଥିତ ବାପଘରକୁ କରୁଣା ଚାଲି ଆସିଥିଲେ। ସଂପୂର୍ଣ୍ଣ ସୁସ୍ଥ ହେଲେ ସ୍ବାମୀଙ୍କ ଘରକୁ ଯିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ୨୫ତାରିଖ ରାତିରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା।

ପତ୍ନୀଙ୍କ ପରଲୋକ ଖବର ପାଇ ଅଭି ପୂର୍ଣ୍ଣିଗୁଡ଼ାକୁ ଆସିଲେ। ଆଦିବାସୀ ପରମ୍ପରା ଅନୁସାରେ ସ୍ବାମୀଙ୍କ ଗାଁରେ ହିଁ ପତ୍ନୀଙ୍କ ଶେଷକୃତ୍ୟ ହୋଇଥାଏ। ଏଥିପାଇଁ ଫଫୁଗାଁ ଶବ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ଯୋଗାଡ଼ କରିବାକୁ ଅଭି ଉଦ୍ୟମ କରିଥିଲେ। ତଥାପି କୌଣସି ଗାଡ଼ି ମିଳିନଥିଲା। ଏଥିପାଇଁ ସ୍ଥାନୀୟ ରାଜନେତାଙ୍କୁ ସରକାରୀ ଗାଡ଼ି ଯୋଗାଡ଼ କରିବାକୁ ଗୁହାରି କରିଥିଲେ। ଏମିତି ସ୍ଥିତିରେ କେହି ସହଯୋଗର ହାତ ବଢ଼ାଇ ନଥ‌ଲେ। ଅନ୍ୟପକ୍ଷରେ ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ଗାଡ଼ି ଭଡ଼ା କରି ଶବ ନେବା ସମ୍ଭବ ନଥିଲା। ଗୋଟିଏ ପଟେ ସାରା ଦେଶ ଗଣତନ୍ତ୍ର ଦିବସ ପାଳନ କରୁଥିଲା ବେଳେ ଅଭି ପତ୍ନୀଙ୍କ ଶେଷକୃତ୍ୟ ଚିନ୍ତାରେ ବୁଡ଼ି ରହିଥିଲେ। ଚାରିଆଡ଼ୁ ନିରାଶ ହୋଇ ଶେଷରେ ଗତକାଲି ଭୋର ସମୟରେ କୋକେଇ ବାନ୍ଧି ସେଥିରେ ପତ୍ନୀଙ୍କ ଶବ ଲଦି ବାହାରି ପଡ଼ିଥିଲେ ନିଜ ଗାଁ ଅଭିମୁଖେ।

ସଂପର୍କୀୟ ସହଯୋଗ କରିବାରୁ କୁମୁଲି, ଘାଟଗୁଡ଼ା, ସାନମାଳିଗୁଡ଼ା, ଝାଡ଼ବନ୍ଧଗୁଡ଼ା, ଉସୁରୁପଦର ଦେଇ ନିଜ ଗାଁରେ ପହଞ୍ଚିଥିଲେ। ଅଭିଙ୍କ ଭଳି ଗରିବ ପରିବାର ପାଇଁ ସରକାରୀ ଯୋଜନା କେବଳ ଭେଳିକି ବୋଲି ଗ୍ରାମବାସୀ କହିଛନ୍ତି। କାରଣ ଏପର୍ଯ୍ୟନ୍ତ ତାଙ୍କ ପରିବାରକୁ ରାସନ କାର୍ଡ କିମ୍ବା ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ। ପତ୍ନୀଙ୍କ ମୃତ୍ୟୁ ପରେ ବି କୌଣସି ପ୍ରକାର ସହାୟତା ମିଳିଲା ନାହିଁ, ଏହାଠାରୁ ବଳି ବିଡ଼ମ୍ବନା କ’ଣ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *