ନିଟ୍-ୟୁଜି ୨୦୨୬ର ପରୀକ୍ଷା ଆସନ୍ତା ୨୧ ତାରିଖରେ
1 min read
ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୬ର ପୁନଃ ପରୀକ୍ଷା ଆସନ୍ତା ୨୧ ତାରିଖରେ ହେବାକୁ ଯାଉଛି। ମେ’ ମାସରେ ହୋଇଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ଏହାକୁ ପୁନର୍ବାର କରାଯାଉଛି। ପୁନଃ ପରୀକ୍ଷାର ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ଲାଗି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଅନେକ ନୂଆ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ପରୀକ୍ଷା ଲାଗି ପ୍ରଶ୍ନପତ୍ର ତିଆରି କରିଥିବା ବିଭିନ୍ନ ବିଷୟ ବିଶେଷଜ୍ଞ, ଶିକ୍ଷକ, ଅନୁବାଦକ ଓ ଅନ୍ୟ କର୍ମଚାରୀଙ୍କୁ ସଙ୍ଗରୋଧ (ଆଇସୋଲେସନ)ରେ ରଖାଯାଇଛି।
ଏହି କର୍ମଚାରୀମାନଙ୍କୁ ପରିବାର ଓ ଅନ୍ୟ କାହା ସହିତ ମିଶିବାକୁ ସୁଯୋଗ ଦିଆଯାଉ ନାହିଁ। ଏପରି କି ସେମାନଙ୍କୁ ମୋବାଇଲ, ଇଣ୍ଟରନେଟ୍ ଓ ଅନ୍ୟ ଯୋଗାଯୋଗ ଉପକରଣ ସବୁ ବାରଣ କରାଯାଇଛି। କର୍ମଚାରୀମାନେ ରହୁଥିବା ଘରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜୁନ୍ ୨୧ ତାରିଖ ଅର୍ଥାତ୍ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଏପରି ଆଇସୋଲେସନ ବା ଲକ୍ଡାଉନ କରି ରଖାଯିବ। ଅନ୍ୟପଟେ ପ୍ରଶ୍ନପତ୍ରକୁ ପରିବହନ ପାଇଁ ବାୟୁସେନାର ହେଲିକପ୍ଟର ମୁତୟନ କରାଯାଇଛି। ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ପାଇଁ ଦେଶବ୍ୟାପୀ ୫ଲକ୍ଷ ସୁରକ୍ଷାକର୍ମୀ ମୁତୟନ କରାଯିବାର ବ୍ୟବସ୍ଥା ହୋଇଛି।


