July 27, 2024

ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ୬୦% ରୁ ଅଧିକ ମତଦାନ ହୋଇଛି

1 min read

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୬୦.୪୮ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ସୋମବାର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ଭୋଟିଂ ହୋଇଥିଲା। ପଶ୍ଚିମବଙ୍ଗରେ ସର୍ବାଧିକ ୭୬.୦୫ ପ୍ରତିଶତ ମତଦାନ ହୋଇଥିବାବେଳେ ଲଦାଖରେ ୬୯.୬୨%, ଝାଡ଼ଖଣ୍ଡରେ ୬୩.୦୯% ଏବଂ ଓଡ଼ିଶାରେ ୬୯.୩୪ ପ୍ରତିଶତ ମତଦାନ ହୋଇଛି। ଉତ୍ତରପ୍ରଦେଶରେ ୫୭.୭୯ ପ୍ରତିଶତ ଭୋଟିଂ ହୋଇଥିବାବେଳେ ଜମ୍ମୁ-କଶ୍ମୀରରେ ୫୮.୧୭%, ବିହାରରେ ୫୪.୮୫% ଏବଂ ମହାରାଷ୍ଟ୍ରରେ ସର୍ବନିମ୍ନ ୫୪.୩୩ ପ୍ରତିଶତ ମତଦାନ ହୋଇଛି।

ପଶ୍ଚିମବଙ୍ଗରେ ଭୋଟ ବେଳେ କାଁଭାଁ ହିଂସାକାଣ୍ଡ ଘଟିଥିବାବେଳେ ଉତ୍ତରପ୍ରଦେଶର ଏକ ଗ୍ରାମରେ ଲୋକେ ଭୋଟ ବର୍ଜନ କରିଥିଲେ। ପଶ୍ଚିମବଙ୍ଗର ବାରାକପୋର, ବଙ୍ଗାଓଁ ଏବଂ ଆରାମବାଗ ନିର୍ବାଚନ ମଣ୍ଡଳୀର କେତେକ ସ୍ଥାନରେ ଟିଏମ୍‌ସି ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ପଶ୍ଚିମବଙ୍ଗ ଓ ଓଡ଼ିଶାର କେତେକ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଅଭିଯୋଗ ହୋଇଥିଲା। ଇଭିଏମ୍‌ ତ୍ରୁଟି, ଏଜେଣ୍ଟଙ୍କୁ ବୁଥ୍‌ରେ ପୂରାଇ ନ ଦେବା ଆଦି ୧,୦୩୬ଟି ଅଭିଯୋଗ ମିଳିଥିବା ନିର୍ବାଚନ କମିଶନ କହିଛନ୍ତି। ମହାରାଷ୍ଟ୍ରର କେତେକ ବୁଥ୍‌ରେ ଅସୁବିଧା ନେଇ ଭୋଟରମାନେ ଅଭିଯୋଗ କରିଥିବା ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକ୍‌ରେ ଜଣାଇଛନ୍ତି।

ମୁମ୍ବାଇରେ ବହୁ ବଲିଉଡ୍‌ ସେଲିବ୍ରିଟି ଲାଇନରେ ଆସି ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଥିଲା। ପଞ୍ଚମ ପର୍ଯ୍ୟାୟରେ ୮.୯୫ କୋଟିରୁ ଊର୍ଦ୍ଧ୍ୱ ଭୋଟର ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ସେଥିପାଇଁ ୯୪,୭୩୨ଟି ବୁଥ୍‌ ହୋଇଥିବାବେଳେ ୯.୪୭ ଲକ୍ଷ ପୋଲିଂ ଅଫିସରଙ୍କୁ ନିୟୋଜିତ କରାଯାଇଥିଲା। ଏହି ପର୍ଯ୍ୟାୟର କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ସ୍ମୃତି ଇରାନୀ, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ସାଧ୍ୱୀ ନିରଞ୍ଜନ ଜ୍ୟୋତି, ସାନ୍ତନୁ ଠାକୁର,ଏଲ୍‌ଜେପି ନେତା ଚିରାଗ ପାଶ୍ୱାନ, ଶିବସେନାର ଶ୍ରୀକାନ୍ତ ଶିନ୍ଦେ, ଭାଜପାର ରାଜୀବ ପ୍ରତାପ ରୁଡି, ଆର୍‌ଜେଡିର ରୋହିଣୀ ଆଚାର୍ଯ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ପାଇଁ ଏହା ୨ୟ ପର୍ଯ୍ୟାୟ ନିର୍ବାଚନ ହୋଇଥିବାବେଳେ ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଆସନ-ଆସ୍କା, କନ୍ଧମାଳ,ବଲାଙ୍ଗୀର, ବରଗଡ଼ ଓ ସୁନ୍ଦରଗଡ଼ ପାଇଁ ଭୋଟଗ୍ରହଣ ହୋଇଥିଲା । ଏସବୁ ଲୋକସଭା କ୍ଷେତ୍ର ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ବି ଭୋଟଗ୍ରହଣ ହୋଇଥିଲା ।୫ମ ପର୍ଯ୍ୟାୟ ସୁଦ୍ଧା ମୋଟ ୩୭୯ଟି ଲୋକ ସଭା ଆସନରେ ମତଦାନ ଶେଷ ହୋଇଛି। ଆସନ୍ତା ୨୫ରେ ଷଷ୍ଠ ପର୍ଯ୍ୟାୟ ଓ ଜୁନ୍‌ ୧ରେ ସପ୍ତମ ପର୍ଯ୍ୟାୟ ଭୋଟିଂ ପରେ ୪ରେ ଭୋଟ ଗଣତି ହେବ।

Leave a Reply

Your email address will not be published. Required fields are marked *