May 3, 2026

ମାଟ୍ରିକ ପରୀକ୍ଷା ଦେଇନାହାନ୍ତି ୮୩୬୪

1 min read

କଟକ: କିଏ ଗୋଟିଏ ବିଷୟରେ ପରୀକ୍ଷା ଦେଇଛି ତ ଆଉ କିଏ ଦୁଇଟି। ଏପରିକି ବହୁ ଛାତ୍ରଛାତ୍ରୀ ଫର୍ମପୂରଣ କରି ବି ପରୀକ୍ଷା ଦେଇନାହାନ୍ତି। ରାଜ୍ୟରେ ଚଳିତବର୍ଷ ଏହିଭଳି ଭାବେ ୮ ହଜାର ୩୬୪ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିବା ଜଣାପଡ଼ିଛି। ସମ୍ପୃକ୍ତ ଛାତ୍ରଛାତ୍ରୀ କେଉଁଥି ପାଇଁ ପରୀକ୍ଷା ଦେବାକୁ ଆସିଲେ ନାହିଁ ଏବଂ କ’ଣ ଅସୁବିଧା ରହିଲା ତାହା ଜାଣିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ବ ଦେଇଛି। ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ କାରଣ ଖୋଜିବାକୁ କୁହାଯାଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ସଚେତନ ନିମନ୍ତେ ନିର୍ଦେଶ ଦିଆଯାଇଛି। ​‌ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କେନ୍ଦୁଝରରେ ସର୍ବାଧିକ ୭୫୨ ଛାତ୍ରଛାତ୍ରୀ ରହିଥିବା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଏନ. ତିରୁମାଲା ନାୟକ ସୂଚନା ଦେଇଛନ୍ତି। ରାଜ୍ୟରେ ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ମେ ୮ ତାରିଖରୁ ୧୮ ଯାଏ ଫର୍ମପୂରଣ କରାଯିବ। ତେଣୁ ମାଟ୍ରିକ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ସଚେତନ କରାଯିବ। ରାଜ୍ୟରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେନ୍ଦୁଝର ବ୍ୟତୀତ ମୟୂରଭଞ୍ଜରେ ୭୫୦ ଜଣ ରହିଛନ୍ତି। ସେହିଭଳି ବଲାଙ୍ଗିରରେ ୬୪୦, ବାଲେଶ୍ବରରେ ୬୨୭, ଗଞ୍ଜାମରେ ୫୨୦, ଯାଜପୁରରେ ୪୫୯, କଳାହାଣ୍ଡିରେ ୩୮୦, ଭଦ୍ରକରେ ୩୭୨, ସୁନ୍ଦରଗଡ଼ରେ ୨୬୮, କଟକରେ ୨୬୬, କେନ୍ଦ୍ରାପଡ଼ାରେ ୨୬୦, ମାଲକାନଗିରିରେ ୨୫୫, ଢେଙ୍କାନାଳରେ ୨୪୬, ଖୋର୍ଦ୍ଧାରେ ୨୪୨, ରାୟଗଡ଼ା ୨୧୨, ନବରଙ୍ଗପୁର ୨୦୯, ନୂଆପଡ଼ାରେ ୧୮୪, ବରଗଡ଼ରେ ୧୭୫, କନ୍ଧମାଳରେ ୧୭୪, ପୁରୀରେ ୧୬୭, ନୟାଗଡ଼ରେ ୧୬୨, ଜଗତସିଂହପୁରରେ ୧୬୧, କୋରାପୁଟରେ ୧୪୪, ଅନୁଗୋଳରେ ୧୪୩, ଗଜପତିରେ ୧୩୪, ସୁବର୍ଣ୍ଣପୁର ୧୩୦, ସମ୍ବଲପୁରରେ ୧୦୭, ଝାରସୁଗୁଡ଼ାରେ ୯୦, ଦେବଗଡ଼ରେ ୬୭, ବୌଦ୍ଧରେ ୬୬ ପରୀକ୍ଷା ଦେଇନାହାନ୍ତି। ପୂର୍ବରୁ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିନ୍ତା ବଢ଼ାଇଥିଲା। ଏନେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ସମେତ ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ କାହିଁକି ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଲେ ତାହା ତଥ୍ୟ ସଂଗ୍ରହ କରିବାକୁ ଜିଲା ଶିକ୍ଷାଧିକାରୀଙ୍କୁ କୁହାଯାଇଥିଲା। ତେବେ ଅଧିକରୁ ଅଧିକ ପିଲା କିଭଳି ସପ୍ଲିମେଣ୍ଟାରୀ କିମ୍ବା ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟରେ ପରୀକ୍ଷା ଦେଇପାରିବେ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।