ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍ ଟାଇ
1 min read
କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଦିନିକିଆ ଶୃଙ୍ଖଳାରେ ଭାରତ ପ୍ରଥମ ମ୍ୟାଚ୍କୁ ଅଳ୍ପକେ ହାତଛଡ଼ା କରିଛି। ଶ୍ରୀଲଙ୍କାର ୨୩୦ ରନ୍କୁ ପିଛା କରି ଭାରତ ମଧ୍ୟ ସମାନ ସ୍କୋରରେ ଅଟକିଯାଇଛି। ପ୍ରଥମ ମ୍ୟାଚ୍ ଟାଇ ରହିବାରୁ ଏବେ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଭାରତକୁ ନିହାତି ବିଜୟ ଆବଶ୍ୟକ ହେଉଛି। ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ୍ ୧୩ ଓଭରରେ ୭୫ ରନ୍ର ଭାଗୀଦାରି ଗଢ଼ି ଭଲ ମୂଳଦୁଆ ପକାଇଥିଲେ। କିନ୍ତୁ ଶୁବମନ (୧୬) ଆଉଟ୍ ହେବା ପରେ ଅନ୍ୟମାନେ ପଛକୁ ପଛ ପାଭିଲିୟନ୍ ଫେରିଥିଲେ। ରୋହିତ ଏକମାତ୍ର ବ୍ୟାଟର୍ ଭାବେ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ୧୩୨/୫ ସ୍କୋର ବେଳେ ଭାରତ ସଂଘର୍ଷ କରୁଥିଲା ବେଳେ କେଏଲ୍ ରାହୁଲ୍ (୩୧) ଓ ଅକ୍ଷର ପଟେଲ୍ (୩୩) କିଛି ସମୟ ପାଇଁ ସ୍ଥିତି ସମ୍ଭାଳି ନେଇଥିଲେ। କିନ୍ତୁ ନିମ୍ନକ୍ରମର ବିଫଳତା ଯୋଗୁଁ ଭାରତକୁ ନିଶ୍ଚିତ ବିଜୟ ହାତଛଡ଼ା କରିବାକୁ ପଡ଼ିଥିଲା। ୱାନିନ୍ଦୁ ହସରଙ୍ଗା ଓ ଚରିତ ଅସଲଙ୍କା ୩ ଲେଖାଏଁ ୱିକେଟ୍ ନେଇ ଭାରତୀୟ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ।
ଏଥିପୂର୍ବରୁ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର୍ ପଥୁମ ନିଶଙ୍କ (୭୫ ବଲ୍ରୁ ୫୬ ରନ୍) ଗୋଟିଏ ପଟେ ବ୍ୟାଟିଂ କରିଥିବାବେଳେ ଶ୍ରୀଲଙ୍କା କିନ୍ତୁ ୨୭ତମ ଓଭର ବେଳକୁ ୧୦୧/୫ରେ ସଂଘର୍ଷ କରିଥିଲା। ପଥୁମଙ୍କ ପରେ ଜାନିଥ ଲାୟାନାଗେ (୨୦), ଦୁନିଥ ୱେଲାଲାଗେ (୬୫ ବଲ୍ରୁ ୬୭* ରନ୍), ୱାନିନ୍ଦୁ ହସରଙ୍ଗା (୩୫ ବଲ୍ରୁ ୨୪ ରନ୍), ଅକିଲ ଧନଞ୍ଜୟ (୨୧ ବଲ୍ରୁ ୧୭ ରନ୍) ଛୋଟ ଛୋଟ ଅବଦାନ ଦେବାରୁ ଶ୍ରୀଲଙ୍କା ୨୩୦ ରନ୍ରେ ପହଞ୍ଚିପାରିଥିଲା। ଭାରତ ପାଇଁ ମହମ୍ମଦ ସିରାଜ ୱିକେଟ୍ ଅଭିଯାନ ଆରମ୍ଭ କରିଥିବାବେଳେ ଦୁଇ ସ୍ପିନର୍ ଅକ୍ଷର ପଟେଲ୍ ଓ କୁଲଦୀପ ୟାଦବ ସେମାନଙ୍କ ୧୦ ଓଭର କୋଟାରେ ସମାନ ୩୩ ରନ୍ ଲେଖାଏଁ ଦେଇ ଯଥାକ୍ରମେ ୨ ଓ ୧ ୱିକେଟ୍ ଅକ୍ତିଆର କରିଥିଲେ। ଅର୍ଶଦୀପ ସିଂହ ୨ ୱିକେଟ୍ ଏବଂ ୱାସିଂଟନ୍ ସୁନ୍ଦର, ଶିବମ ଦୁବେ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।