ବୋହୂ ଶାଶୁଙ୍କ ଦେହରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି
1 min read
ମାଲକାନଗିରି : ଟଙ୍କା ଚୋରି କରୁଥିବା ଶାଶୁ ଜାଣିପାରିବାରୁ ବୋହୂ ଶାଶୁଙ୍କ ଦେହରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏପରି ଘଟଣା ମାଲକାନଗିରି ଥାନା ଅନ୍ତର୍ଗତ ଏମ୍ଭି ୧୮ ଗ୍ରାମରେ ଗତ ୨୭ ତାରିଖରେ ଘଟିଛି। ଏ ସମ୍ପର୍କରେ ରେଣୁକା ବୈଦ୍ୟଙ୍କ ପୁଅ ଅବିନାଶ ମାଲକାନଗିରି ଥାନାରେ ସ୍ତ୍ରୀ ଜୟାଙ୍କ ନାମରେ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ଏକ ମାମଲା(ନଂ. ୨୨୫/୨୫) ରୁଜୁ ହୋଇଛି ।
ଏମ୍ଭି ୧୮ ଗ୍ରାମର ଅବିନାଶ ବୈଦ୍ୟ ଛତିଶଗଡ଼ କୋଣ୍ଟା ଗ୍ରାମର ଜୟାଙ୍କୁ ୨ ବର୍ଷ ତଳେ ବିବାହ କରିଥିଲେ। ଅବିନାଶ ବାହାର ରାଜ୍ୟରେ କାମ କରୁଥିବା ବେଳେ ତାଙ୍କ ମା’ରେଣୁକା ବୈଦ୍ୟ ଓ ବୋହୂ ଜୟା ଦୁହେଁ ଘରେ ରହୁଥିଲେ।
ଏମ୍ଭି ୧୮ ଗ୍ରାମରେ ଅବିନାଶଙ୍କ ଏକ ଛୋଟ ତେଜରାତି ଦୋକାନ ରହିଛି। ତେବେ ବୋହୂ ଜୟା ପ୍ରାୟ ସମୟରେ ଘରୁ ଟଙ୍କା ଓ ସୁନା ଆଦି ଚୋରି କରୁଥିବା ବେଳେ ଏହି ବିଷୟରେ ଶାଶୁ ରେଣୁକା ଜାଣିପାରି ପୁଅ ଅବିନାଶଙ୍କୁ କହିବା ସହ ଘରେ ସିସି କ୍ୟାମେରା ଲଗାଇବା ପାଇଁ କହିଥିଲେ।
ଟଙ୍କା ଚୋରି କରୁଥିବା ବିଷୟରେ ଶାଶୁ ରେଣୁକା ଜାଣିବା ପରେ ବୋହୂ ତାଙ୍କୁ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିଥିଲେ । ରେଣୁକା ଘରେ ଶୋଇଥିବା ବେଳେ ବୋହୂ ଜୟା ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଘର କବାଟ ବନ୍ଦକରି ୪ ମାସର ପୁଅ ସହ ନିଜ ଗ୍ରାମ ଛତିଶଗଡ଼ କୋଣ୍ଟାକୁ ଚାଲି ଯାଇଥିଲେ ା ଏହା ଦେଖି ଗ୍ରାମବାସୀ ରେଣୁକାଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରେଣୁକାଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ପୋଡି ଯାଇଥିବାରୁ ତାଙ୍କୁ ରାୟପୁରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଖୁବ୍ଶୀଘ୍ର ବୋହୂ ଜୟାଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପେଟ୍ରୋଲ ପକାଇ ନିଆଁ ଲଗାଇବା ବେଳେ ବୋହୂ ଜୟାଙ୍କ ଦୁଇ ହାତ ପୋଡ଼ିଯାଇଥିବା ସୂଚନା ମିଳିଛି।