October 29, 2026

ସପ୍ତଦଶ ବିଧାନସଭାର ଅଷ୍ଟମ ତଥା ଶୀତକାଳୀନ ଅଧିବେଶନ ନଭେମ୍ବର ୧୮ତାରିଖରୁ ଆରମ୍ଭ ହେବ

1 min read

ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ଅଷ୍ଟମ ତଥା ଶୀତକାଳୀନ ଅଧିବେଶନ ନଭେମ୍ବର ୧୮ତାରିଖରୁ ଆରମ୍ଭ ହେବ। ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୩୩ଟି ସରକାରୀ ଓ ବେସରକାରୀ କାର୍ଯ୍ୟ ଦିବସ ରହିଛି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବୁଧବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୧୮ରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୨୫, ୨୬ ଓ
୨୭ ତାରିଖ ତିନିଦିନ ଧରି ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଗୃହରେ ଆଲୋଚନା କରାଯିବ। ନଭେମ୍ବର ୩୦ ତାରିଖ (ସୋମବାର) ବ୍ୟୟମଞ୍ଜୁରୀ ବିଧେୟକ ଉପରେ ଆଲୋଚନା ସହ ପାରିତ କରିବାକୁ ସ୍ଥିର ହୋଇଛି। ନଭେମ୍ବର ୨୦ରେ ବେସରକାରୀ ସଦସ୍ୟଙ୍କ କାର୍ଯ୍ୟ ଦିବସ ଧାର୍ଯ୍ୟ ହୋଇଥିବା ବେଳେ ନଭେମ୍ବର ୨୪ରେ ରାସ ପୂର୍ଣ୍ଣିମା ଉପଲକ୍ଷେ ଗୃହରେ ଛୁଟି ରହିବ। ସେହିପରି, ଡିସେମ୍ବରରେ ୪, ୧୧, ୧୮, ୨୯ ଏବଂ ୩୧ ତାରିଖକୁ ବେସରକାରୀ ସଦସ୍ୟଙ୍କ କାର୍ଯ୍ୟ ଦିବସ (ବିଲ୍ ଓ ସଂକଳ୍ପ) ଭାବେ ସ୍ଥିର କରାଯାଇଛି। ଅନ୍ୟପକ୍ଷରେ, ଡିସେମ୍ବର ୧ରୁ ୩, ୫, ୭ରୁ ୧୦, ୧୪ରୁ ୧୭, ୧୯, ୨୧ରୁ ୨୪, ୨୮ ଏବଂ ୩୦ତାରିଖରେ କେବଳ ସରକାରୀ କାର୍ଯ୍ୟ ଏବଂ ବିଧେୟକ ଉପରେ ଆଲୋଚନା କରାଯିବା ନେଇ କାର୍ଯ୍ୟସୂଚୀ ରହିଛି।
ଆସନ୍ତା ଶୀତକାଳୀନ ଅଧିବେଶନ ବେଶ୍‌ ଉଷ୍ମ ରହିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ନଭେମ୍ବରରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ମଣ୍ଡି ସମସ୍ୟା ଭଳି ପ୍ରସଙ୍ଗ ଉଠାଇ ବିରୋଧୀ ଦଳଗୁଡ଼ିକ ଗୃହରେ ସରକାରଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରିପାରନ୍ତି। ଏହାସହ ରାଜ୍ୟର ସାମ୍ପ୍ରତିକ ଆଇନଶୃଙ୍ଖଳା ସ୍ଥିତି, ବେକାରୀ ସମସ୍ୟା ଏବଂ ଦରବୃଦ୍ଧି ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତି କରିବେ।