July 27, 2024

ବିଧାନସଭା ଅଧିବେଶନ ଆରମ୍ଭ ୫ତାରିଖ ରୁ ବ୍ୟବସ୍ତା କଡ଼ାକଡ଼ି

1 min read

ଭୁବନେଶ୍ବର: ଆସନ୍ତା ୫ତାରିଖରୁ ଆରମ୍ଭ ହେବ ବିଧାନସଭା କାମଚଳା ବଜେଟ୍‌ ଅଧିବେଶନ। ଏହା ଫେବ୍ରୁଆରି ୧୩ ତାରିଖ ଯାଏ ଚାଲିବ। ଅଧିବେଶନ ସମୟରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, ସଂସ୍ଥା ପକ୍ଷରୁ ପ୍ରତିବାଦ ସଭା, ଧାରଣା, ବିକ୍ଷୋଭ ପ୍ରଦର୍ଶନ ହେବାର ଆଶଙ୍କା ରହିଛି। ଏହି ସମୟରେ ଯେଭଳି ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ଦେଖାନଯାଏ, ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ କମିସନରେଟ୍‌ ପୁଲିସ ନିଜକୁ ପ୍ରସ୍ତୁତ ରଖିବା ସହ ସଜାଗ ରହିଛି। ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ୩ ଥାକିଆ ସୁରକ୍ଷାବଳୟ ମଧ୍ୟରେ ରହିବ ବିଧାନସଭା। ବିଧାନସଭା ଓ ଆଖପାଖ ଅଞ୍ଚଳରେ ପୁଲିସ ଛାଉଣି କରାଯିବ। ଏଥିପାଇଁ ୩୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବ। ସେହିପରି ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ଆଦି ସମସ୍ତ ଦିଗ ଉପରେ କଡ଼ା ନଜର ରଖିବେ। କେବଳ ଏତିକି ନୁହେଁ, ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍‌ଜି, ରବୀନ୍ଦ୍ରମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ଶତାଧିକ ସିସିଟିଭି ଖଞ୍ଜା ଯାଇଛି।

ସିସିଟିଭି ପୂରା ଅଞ୍ଚଳ ଉପରେ ନଜର ରଖିବ।ରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍‌, ରବୀନ୍ଦ୍ରମଣ୍ଡପ ଗେଟ୍‌, ଲୋୟର ପିଏମ୍‌ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ କରାଯିବ।‌ ଡିସିପି ପ୍ରତୀକ ସିଂଙ୍କ ସମେତ ୨ ଡିସିପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ୮ଜଣ ଅତିରିକ୍ତ ଡିସିପି, ୧୬ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀ, ୨୦ଜଣ ଆଇଆଇସିଙ୍କୁ ମିଶାଇ ୧୦୦ରୁ ଅଧିକ ଅଧିକାରୀ ଦାୟିତ୍ବରେ ରହିବେ। ଡିସିପି ଶ୍ରୀ ସିଂ କହିଛନ୍ତି, ଚଳିତଥର ବିଧାନସଭା ଅଧିବେଶନ ପାଇଁ ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ। ବିଧାନସଭା ଛାତ ଉପରେ ମଧ୍ୟ ପୁଲିସ ରହିବେ। ପ୍ରବେଶ ପଥରେ ୨ଟି ଚେକ୍‌ପୋଷ୍ଟ କରାଯାଇଛି। ଏହାଛଡ଼ା ବିକ୍ଷୋଭ, ଧାରଣା ଓ ଅନଶନ କରୁଥିବା ସଂଗଠନଗୁଡ଼ିକ ଉପରେ ଲୋୟର ପିଏମ୍‌ଜିରେ ଲାଗିଥିବା ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ମାଷ୍ଟରକ୍ୟାଣ୍ଟିନ୍‌-ପିଏମ୍‌ଜି ରାସ୍ତାକୁ ସିଲ୍‌ କରାଯାଇଛି। ରେଳ ଷ୍ଟେସନ୍‌ ନିକଟରେ ଥିବା ସମସ୍ତ ହୋଟେଲ୍‌, ଲଜ୍‌ରେ ରହୁଥିବା ଅତିଥିଙ୍କ ଯାଞ୍ଚ ଆରମ୍ଭ ହୋଇଛି। ସେହିପରି ରାଜଧାନୀର ଖଣ୍ଡଗିରିରୁ ଆରମ୍ଭ କରି ରସୁଲଗଡ଼, କଳ୍ପନା, ପଟିଆ ଆଦି ବିଭିନ୍ନ ଅଞ୍ଚଳରେ ରାତିରେ ବ୍ଲକିଂ, ଚେକିଂ ଆ‌ରମ୍ଭ କରିଛି ପୁଲିସ। ତେବେ ଆସନ୍ତା ୪ତାରିଖ ଦିନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ, ପୁଲିସ କମିସନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନ ଘଟଣାସ୍ଥଳ ବୁଲି ସ୍ଥିତି ସମୀକ୍ଷା କରିବେ।

ଅନ୍ୟପଟେ ସୁରକ୍ଷାଦୃଷ୍ଟିରୁ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ବିଧାନସଭା ଓ ସଂଲଗ୍ନ ରାସ୍ତାରେ ଯାନବାହନ ଚଳାଚଳ ଉପରେ ଟ୍ରାଫିକ୍‌ କଟକଣା ଲାଗିଛି। ହାଉସିଂ ବୋର୍ଡ ଛକ ପଟୁ ଆସୁଥିବା ଯାନବାହନ କେଶରୀ ଟକିଜ୍‌ ଠାରୁ ଆଗକୁ ନଯାଇ ବାମ ପାର୍ଶ୍ବ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ। ଏଜି ଛକ ପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଯାନବାହନ ଜୟଦେବଭବନ ନିକଟ ଡାହାଣ ପାର୍ଶ୍ବ ଆଇଜି ପାର୍କ ରାସ୍ତାଦେଇ ଯି‌‌ବେ। ମାଷ୍ଟରକ୍ୟାଣ୍ଟିନ ପଟୁ ଆସୁଥିବା ଯାନବାହନ ଲୋୟର ପିଏମ୍‌ଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତାଦେଇ ଯିବେ। ୧୨୦ ବାଟାଲିୟନ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଥିବା ଯାନବାହନ ପାୱାରହାଉସ୍‌ ଛକଦେଇ ଯିବେ। ରାଜଭବନ ଛକ ପଟୁ ଏମ୍‌ଏଲ୍‌ଏ କଲୋନି ଓ ରବୀନ୍ଦ୍ର ମଣ୍ଡପ ଆଡକୁ ଯିବାକୁ ଚାହୁଥିବା ଯାନବାହନ ଶାସ୍ତ୍ରୀନଗର ଛକ ଆଡ଼କୁ ଯି‌ବେ।

Leave a Reply

Your email address will not be published. Required fields are marked *