July 26, 2024

ଆରମ୍ଭ ହେଉଛି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, ଅକ୍ଷର ଭୂମି କୁ ଲୋକାର୍ପିତ କରିବେ: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଶନିବାରଠାରୁ ଜନତା ମଇଦାନରେ ଆରମ୍ଭ ହେଉଛି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ଏହାକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ବରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ‘ଅକ୍ଷର ଭୂମି’। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି।

ଖାଣ୍ଡେଲାଇଟ୍‌ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସ୍ବରୂପ ଏହାର ନିର୍ମାଣ କରାଯାଇଛି। ଓଡ଼ିଆ ବର୍ଣ୍ଣମାଳାରେ ସୁଶୋଭିତ ଅକ୍ଷର ଭୂମି ଆମ ଭାଷା ପ୍ରୀତିକୁ ଉଜ୍ଜୀବିତ କରି ରଖିବା ସହ ଆମ ଭାଷା, ସଂସ୍କୃତି, କଳା ଓ ସ୍ଥାପତ୍ୟର ଜୟଗାନ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମର ମହାନ ଐତିହ୍ୟ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟରେ ଅକ୍ଷର ଭୂମି ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେଇଚାଲିବ ବୋଲି ଶ୍ରୀ ପଟ୍ଟନାୟକ ଆଶାପ୍ରକଟ କରିଥିଲେ।


ଲୋକାର୍ପଣ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍‌ ବାଲକ୍ରିଷ୍ଣନ୍, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିସନର୍‌ ଅନୁ ଗର୍ଗ, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ ଓ ସଂସ୍କୃତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ନିୟମିତ କଳାମଣ୍ଡଳ ଯାଇ ଅକ୍ଷର ଭୂମି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିଲେ। ତାଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ଇଡ୍‌କୋ ଜରିଆରେ ସମ୍ପାଦିତ ହୋଇଛି।

Leave a Reply

Your email address will not be published. Required fields are marked *