July 27, 2024

ଅମିତ ଶାହଙ୍କ ବିଶାଳ ରୋଡ ସୋ

1 min read

କଟକ: କଟକ ଗୋପବନ୍ଧୁ ଛକରୁ ଆରମ୍ଭ ହେଲା ବରିଷ୍ଠ ବିଜେପି ନେତା ଅମିତ ଶାହଙ୍କ ବିଶାଳ ରୋଡ ସୋ’। ଅମିତ ଶାହଙ୍କ ସହ ଏହି ରୋଡ ସୋ’ରେ ସାମିଲ ହୋଇଛନ୍ତି ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଏବଂ କଟକ ବାରବାଟୀ ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଦଳୀୟ କର୍ମୀ ଓ ସମର୍ଥକ।ସନ୍ଧ୍ୟା ସାଢେ ୫ଟାରୁ ଗୋପବନ୍ଧୁ ଛକଠାରୁ ଆରମ୍ଭ ହୋଇଥିବା ଏହି ରୋଡ ସୋ’ ନୟାସଡ଼କ ପର୍ଯ୍ୟନ୍ତ ଚାଲିବ। ଅମିତ ଶାହଙ୍କ ରୋଡ ସୋ’କୁ ନେଇ ଦଳୀୟ ନେତା, କର୍ମୀ ଏବଂ ସମର୍ଥକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଏହି ବିଶାଳ ରୋଡ ସୋ’ ଦେଖିବା ଲାଗି ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ସାଧାରଣ ଜନତା ଏକାଠି ହୋଇଛନ୍ତି।

ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଅମିତ ଶାହଙ୍କ ରୋଡ ସୋ’ ଗୋପବନ୍ଧୁ ଛକଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ବାଲୁବଜାର, ଚାନ୍ଦିନୀ ଚୌକ, ଶେଖ ବଜାର ହୋଇ ନୟାସଡ଼କଠାରେ ପହଞ୍ଚିବ।ରୋଡ ସୋ’ ସମୟରେ ଅମିତ ଶାହ କହିଛନ୍ତି, “ଓଡ଼ିଶାର ସମ୍ମାନ ବିଜେପିର ମୁଖ୍ୟ ପ୍ରସଂଗ ରହିଛି। ନବୀନ ବାବୁଙ୍କ ସହ ଆମର କୌଣସି ମତଭେଦ ନାହିଁ। କିନ୍ତୁ ନବୀନ ବାବୁଙ୍କ ନାଁରେ ବାହାର ରାଜ୍ୟର ଅଧିକାରୀ ଆସି ଓଡ଼ିଶାରେ ଶାସନ ଚଳାଇବେ, ଏହା ରାଜ୍ୟବାସୀଙ୍କ ପାଇଁ ଗ୍ରହଣୀୟ ନୁହେଁ।”

ସେ ଆହୁରି କହିଥିଲେ, ଓଡ଼ିଶାରେ ବିଜେପି ସରକାରର ଶପଥଗ୍ରହଣର ୬ ଘଣ୍ଟା ମଧ୍ୟରେ ପୁରୀ ଶ୍ରୀ ମନ୍ଦିରର ଚାରିଦ୍ଵାର ଖୋଲାଯିବ ଏବଂ ଏକ ମାସ ମଧ୍ୟରେ ରାତ୍ନଭଣ୍ଡାର ଚାବି ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନିକ କରାଯିବ।ଚିଟଫଣ୍ଡ ଦୁର୍ନୀତି ସମ୍ପର୍କରେ ସେ କହିଛନ୍ତି ଚିଟଫଣ୍ଡ ଲୁଟେରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଦେଢ଼ବର୍ଷ ମଧ୍ୟରେ ଚିଟଫଣ୍ଡ ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି ବିଜେପିର ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇଛି ବୋଲି ଅମିତ ଶାହ କହିଛନ୍ତି।

Leave a Reply

Your email address will not be published. Required fields are marked *