୪ଟି ଶିଶୁ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ
1 min read
ଛତ୍ରପୁର: ଗଞ୍ଜାମ ପୋଲିସ ଜ଼ିଲାରେ ଘଟିଥିବା ୪ଟି ଶିଶୁ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଇଛନ୍ତି। ସେମାନଙ୍କୁ ଦଣ୍ଡାଦେଶ ହୋଇଛି। ଶିଶୁ ଯୌନ ନିର୍ଯାତନା ନେଇ ବଡ଼ଗଡ଼ ଥାନାରେ ୨୦୨୩ ଫେବୃଆରୀ ୧୧ ତାରିଖରେ ରୁଜୁ ମାମଲା (ନଂ. ୮୧) ଏବଂ କବିସୂର୍ଯ୍ୟନଗର ଥାନାରେ ୨୦୨୦ ଡିସେମ୍ବର ୫ ତାରିଖରେ ରୁଜୁ ମାମଲା (ନଂ. ୩୩୪)ରେ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ସେହିପରି ଭଞ୍ଜନଗର ଥାନା ଅଞ୍ଚଳରେ ୯ ବର୍ଷର ଜଣେ କନ୍ୟାଙ୍କୁ ବଳାତ୍କାର ହୋଇଥିଲା। ଏନେଇ ଥାନାରେ ୨୦୨୩ ଅକ୍ଟୋବର ୧୦ରେ ରୁଜୁ ମାମଲା (ନଂ.୯୪୨)ର ଦେଷୀ ଯୁବକଙ୍କୁ କୋର୍ଟ ୨୦ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଶିଶୁ ଯୌନ ନିର୍ଯାତନା ନେଇ ହିଞ୍ଜିଳି ଥାନାରେ ୨୦୨୧ ଫେବୃଆରୀ ୧୪ ତାରିଖରେ ରୁଜୁ ମାମଲା (ନଂ. ୫୮)ର ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ସମସ୍ତ ୪ ମାମଲାରେ ପୋକସୋ ଆକ୍ଟରେ ପୋଲିସ ମାମଲା ରୁଜୁ କରିଥିଲା ମାମଲା ଗୁଡିକର ତଦନ୍ତକାରୀ ଅଫିସର ତଥା ତତ୍କାଳୀନ ବଡ଼ଗଡ଼ ଥାନାର ଏସଆଇ ସତ୍ୟବ୍ରତ ସାହୁ, କବିସୂର୍ଯ୍ୟନଗର ଥାନା ଇନ୍ସପେକ୍ଟର ପ୍ରଭାତ ସାହୁ, ହିଞ୍ଜିଳି ଥାନାର ଏସଆଇ ଶରତ ଚନ୍ଦ୍ର ରୟ ଏବଂ ଭଞ୍ଜନଗର ଥାନା ଏସଆଇ କେଶବ ଷଡ଼ଙ୍ଗୀଙ୍କ ଠିକ ତଦନ୍ତ ଯୋଗୁ ଏହି ସଫଳତା ମିଳିଥିବା ଏସ୍ପି କହିଛନ୍ତି।