March 18, 2026

ଆରମ୍ଭ ହୋଇଛି ୨୦୨୫ ଯୁକ୍ତ ୨ ପରୀକ୍ଷା ଖାତାଦେଖା

1 min read

ଭୁବନେଶ୍ୱର: ଓଡ଼ିଶାରେ ବୁଧବାରଠାରୁ ଆରମ୍ଭ ହୋଇଛି ୨୦୨୫ ଯୁକ୍ତ ୨ ପରୀକ୍ଷା ଖାତାଦେଖା। ଚଳିତ ବର୍ଷ ମଧ୍ୟ ୨ଟି ପର୍ଯ୍ୟାୟ ଏହି ପରୀକ୍ଷା ଖାତା ଦେଖାଯିବ। ଉଭୟ ଅନଲାଇନ ଓ ଅଫଲାଇନରେ ଖାତା ମୂଲ୍ୟାଙ୍କନ ହେଉଛି। ମେ’ ୧୫ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ଯୁକ୍ତ ୨ ଖାତାଦେଖା ଏପ୍ରିଲ ୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୧୪ ତାରିଖ ଯାଏଁ ଚାଲିବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨୮ ତାରିଖ ଯାଏଁ ଚାଲିବ। ଓଡ଼ିଶାର ୩୦ଟି ଜିଲ୍ଲାର ୭୮ଟି କେନ୍ଦ୍ରରେ ମୂଲ୍ୟାଙ୍କନ ପ୍ରକ୍ରିୟା କରାଯାଉଛି।

ସେହିପରି ଯୁକ୍ତ ୨ ଖାତା ମୂଲ୍ୟାଙ୍କନ ପାଇଁ ପ୍ରାୟ ୧୬ ହଜାରରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ସାମିଲ ହେବେ। ସର୍ବଭାରତୀୟ ସ୍ତରରେ ବିଭିନ୍ନ ପ୍ରବେଶିକା ପରୀକ୍ଷାକୁ ନଜରରେ ରଖି ମେ’ ୧୫ ତାରିଖ ସୁଦ୍ଧା ସବୁ ବିଷୟର ପରୀକ୍ଷା ଫଳ ପ୍ରକାଶ କରିବାକୁ ସିଏଚଏସଇ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

୨୦୨୪ର ଯୁକ୍ତ ୨ ପରୀକ୍ଷା ଫେବ୍ରୁଆରି ୧୮ ତାରିଖରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ଚାଲିଥିଲା। ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।