ସମ୍ବଲପୁର ଜିଲ୍ଲାର ବାମରା ବ୍ଲକ ଅନ୍ତର୍ଗତ ଗଡ଼ପୋଷ ରେଳ ଷ୍ଟେସନ ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ
1 min read
ଗଡ଼ପୋଷ: ସମ୍ବଲପୁର ଜିଲ୍ଲାର ବାମରା ବ୍ଲକ ଅନ୍ତର୍ଗତ ଗଡ଼ପୋଷ ରେଳ ଷ୍ଟେସନ ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଅଟେ। ଗଡ଼ପୋଷ ସମେତ ଆଖପାଖ ଗ୍ରାମର ହଜାର ହଜାର ଲୋକ ଯାତାୟତ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ବ୍ୟବସାୟ ପାଇଁ ଏହି ଷ୍ଟେସନ ଉପରେ ନିର୍ଭରଶୀଳ। କିନ୍ତୁ ଦୀର୍ଘଦିନ ଧରି ଏଠାରେ ରହିଥିବା କେତେକ ମୌଳିକ ସମସ୍ୟାର ସମାଧାନ ପ୍ରତି ରେଳ ବିଭାଗ ଆବଶ୍ୟକ ଗୁରୁତ୍ୱ ଦେଉନଥିବାରୁ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଆଜି ପୂର୍ବ ବ୍ଲକ ଅଧ୍ୟକ୍ଷ ସଦାନନ୍ଦ କୁଜୁର, ଗଡ଼ପୋଷ ସରପଞ୍ଚ ପୁଷ୍ପା ତିର୍କୀ ଓ ସଗରା ସରପଞ୍ଚ ଗୋଲାପୀ ବାଘଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ରେଳ ଷ୍ଟେସନ ପହଞ୍ଚି ଦାବିପତ୍ର ପ୍ରଦାନ କରିଛନ୍ତି।
ରେଳ ଓଭରବ୍ରିଜ୍ ନିର୍ମାଣ
ଗଡ଼ପୋଷ ରେଳ ଷ୍ଟେସନର ପୂର୍ବ ପାର୍ଶ୍ୱରେ ଥିବା ରେଳ ଫାଟକ ଅଞ୍ଚଳବାସୀଙ୍କ ପାଇଁ ଦୀର୍ଘଦିନ ଧରି ଏକ ଗୁରୁତର ସମସ୍ୟା ହୋଇ ରହିଛି। ଏହି ରେଳ ଫାଟକର ଅପର ପାର୍ଶ୍ୱରେ ଗଡ଼ପୋଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥିତ। ଫଳରେ ଫାଟକ ବନ୍ଦ ରହିବା ସମୟରେ ରୋଗୀଙ୍କୁ ହସ୍ପିଟାଲ ନେବା, ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସରେ ରେଫର କରିବା ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ବିଳମ୍ବ ଘଟୁଛି। ଏହା ସହିତ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଚାକିରିଜୀବୀ, ବ୍ୟବସାୟୀ ଓ ସାଧାରଣ ଯାତ୍ରୀମାନେ ଦୈନିକ ଯାତାୟତରେ ହଇରାଣ ହେଉଛନ୍ତି। ରେଳ ଫାଟକ ଦୀର୍ଘ ସମୟ ବନ୍ଦ ରହିବା ଯୋଗୁଁ ଜନଜୀବନ ମଧ୍ୟ ପ୍ରଭାବିତ ହେଉଛି। ଏଣୁ ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧା ଦୃଷ୍ଟିରୁ ଏଠାରେ ତୁରନ୍ତ ରେଳ ଓଭରବ୍ରିଜ୍ ନିର୍ମାଣ କରାଯିବା ଅତ୍ୟନ୍ତ ଜରୁରୀ। ଏହି ଦାବି ଦୀର୍ଘଦିନର ହୋଇଥିଲେ ମଧ୍ୟ ଏଯାଏଁ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନାହିଁ।
ଇସ୍ପାତ ଏକ୍ସପ୍ରେସ୍ର ନିୟମିତ ରହଣି
ଗଡ଼ପୋଷ ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସ୍ ସପ୍ତାହରେ ମାତ୍ର ତିନିଦିନ ରହଣି କରୁଥିବାରୁ ଅନ୍ୟ ଦିନଗୁଡ଼ିକରେ ଯାତ୍ରୀମାନେ ଏହି ଟ୍ରେନ୍ ସେବାରୁ ବଞ୍ଚିତ ହେଉଛନ୍ତି। ଏହି ଟ୍ରେନ୍ର ଚାହିଦା ଓ ଯାତ୍ରୀଙ୍କ ଆବଶ୍ୟକତାକୁ ବିଚାର କରି ସପ୍ତାହର ସମସ୍ତ ଦିନ ଏହାର ରହଣି ବ୍ୟବସ୍ଥା କରାଯାଉ।


